• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭବାନୀପୁର: ଭବାନୀପୁର ଆସନ ପାଇଁ ଭୋଟିଂ ବେଳେ ଟିଏମ୍‌ସି ଓ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ । କିଛି ଟିଏମ୍‌ସି ସମର୍ଥକ ଜଣେ ବିଜେପି କର୍ମୀଙ୍କ କାରକୁ ଭଙ୍ଗାରୁଜା କରିଛନ୍ତି । କାରକୁ ଅଟକାଇ ଚାରିପଟୁ ଘେରିବା ସହିତ ପଥର ମାଡ଼ କରି କାଚ ଭାଙ୍ଗି ଦେଇଥିଲେ ।

ବିଜେପିର ଚିଫ୍‌ ଇଲେକ୍ସନ ଏଜେଣ୍ଟ କଲ୍ୟାଣ ଚୌବେଙ୍କ ଅଭିଯୋଗ ଅନୁଯାୟୀ, ଗୋଟିଏ ବୁଥିରେ କିଛି କଲେଜ ଛାତ୍ର ଜାଲ୍ ଚିରକୁଟ ଦେଖାଇ ଭୋଟ୍ ଦେଉଥିବା ଖବର ଆସିଥିଲା । ଖବର ପାଇ ଘଟଣାସ୍ଥଳରେ ଚୌବେ ପହଞ୍ଚିଥିଲେ । ସେଠାରେ ଫର୍ଜି ଭୋଟ ଦେଉଥିବା ଦୁଇ ଜଣ ଦୁର୍ବତ୍ତଙ୍କୁ କଲ୍ୟାଣ ଚୌବେ ଓ ତାଙ୍କ ସାଥୀମାନେ କାବୁ କରିଥିଲେ । ଏହାର କିଛି ସମୟ ପରେ ହଠାତ୍‌ ଆଉ କିଛି ଦୁର୍ବୃତ୍ତ ୬ ରୁ ୮ଟି ବାଇକ୍‌ରେ ଆସିଥିଲେ । ଆଉ ଚୌବେଙ୍କୁ ଆକ୍ରମଣ କରିଥିଲେ । ଏମିତିକି ତାଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ତେବେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ନିର୍ବାଚନ ପ୍ରଚାର ସମୟରେ ଜଣେ କେନ୍ଦ୍ରୀୟ ବିଜେପି ନେତାଙ୍କୁ ମଧ୍ୟ ଟିଏମ୍‌ସି କର୍ମୀମାନେ ଆକ୍ରମଣ କରିଥିଲେ । ଏହାର ମଧ୍ୟ ଏକ ଭିଡିଓ ଭାଇରାଲ ହୋଇଥିଲା ।

ଆଜି ଭବାନୀପୁର ଆସନ ପାଇଁ ହୋଇଛି ଉପନିର୍ବାଚନ । ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ପରାଜୟ ପରେ ଭବାନୀପୁରରୁ ପୁଣି ଥରେ ଲଢ଼ୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପି ଯୁବ ଚେହେରା ପ୍ରିୟଙ୍କା ତିବ୍ରେୱାଲ ତାଙ୍କୁ କଡା ଟକ୍କର ଦେଉଛନ୍ତି । ସେହିପରି ସିପିଏମ୍‌ରୁ ଶ୍ରୀଜୀବ ବିଶ୍ୱାଳ ନିର୍ବାଚନ ଲଢ଼ୁଛନ୍ତି । ଏହି ସିଟ୍ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ । ଦିନ ୩ଟା ସୁଦ୍ଧା ୪୮.୦୮ ପ୍ରତିଶତ ଭୋଟିଂ ହୋଇଥିଲା । 

ଭବାନୀପୁର ହାଇପ୍ରୋଫାଇଲ୍ ସିଟ୍ ହୋଇଥିବାରୁ ଏହା ଉପରେ ବିଶେଷ ନଜର ରଖିଛନ୍ତି ନିର୍ବାଚନ କମିଶନ । ଦୁଇ ଦିନ ତଳେ ହିଂସାକାଣ୍ଡ ପରେ ସୁରକ୍ଷାକୁ ଅଧିକ ବଢ଼ାଯାଇଛି । ସମ୍ବେଦନଶୀଳ ବୁଥ୍‌ରେ ପାରା ମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୧୧ ଓ ୨୦୧୬ ମସିହାରେ ନିର୍ବାଚିତ ହୋଇଥିଲେ । ଭବାନୀପୁର ଛଡ଼ା ପଶ୍ଚିମବଙ୍ଗର ଜାଙ୍ଗିପୁର ଓ ସମଶେରଗଞ୍ଜ ନିର୍ବାଚନ ମଣ୍ଡଳୀରେ ବି ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଛି ।