• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ବ୍ୟାଡ୍‌ମିଣ୍ଟନ ଷ୍ଟାର ପି.ଭି. ସିନ୍ଧୁଙ୍କ ଐତିହାସିକ ସଫଳତା

  • କ୍ରମାଗତ ୨ଟି ଅଲିମ୍ପିକ୍ସରେ ଭାରତ ପାଇଁ ଜିତିଛନ୍ତି ୨ଟି ପଦକ

  • ରିଓ ଅଲିମ୍ପିକ୍ସରେ ରୌପ୍ୟ ଓ ଟୋକିଓରେ ବ୍ରୋଞ୍ଜ ପଦକ

  • ପ୍ରଥମ ଭାରତୀୟ ମହିଳାଭାବେ ୨ଟି ଅଲିମ୍ପିକରେ ସଫଳତା

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ଅଭୂତପୂର୍ବ ସଫଳତା, ସାରା ଦେଶରେ ନୂତନ ଉନ୍ମାଦ ଭରିଥିବା ବେଳେ, ଏଥିରେ ଆଉ ଏକ ଖୁସି ମଧ୍ୟ ଯୋଡ଼ି ହୋଇଯାଇଛି । ଲଗାତର ଦ୍ୱିତୀୟ ଥର ପାଇଁ ଭାରତକୁ ପଦକ ଦେଇଛନ୍ତି ବ୍ୟାଡ଼ମିଟନ୍ ଷ୍ଟାର୍ ପି.ଭି. ସିନ୍ଧୁ । ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ପାଇଥିବା ସିନ୍ଧୁ ଟୋକିଓରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେପଟେ ସିନ୍ଧୁଙ୍କ ଏହି ଐତିହାସିକ ସଫଳତା ପରେ ସାରା ଦେଶ ତାଙ୍କ ପ୍ରଶଂସାରେ ଶତମୁଖ।

ବ୍ୟାଡ୍‌ମିଣ୍ଟନରେ ଷ୍ଟାର ପି.ଭି. ସିନ୍ଧୁଙ୍କ ଐତିହାସିକ ସଫଳତା । କ୍ରମାଗତ ୨ଟି ଅଲିମ୍ପିକ୍ସରେ ଭାରତ ପାଇଁ ସେ ଦୁଇଟି ପଦକ ଜିତିଛନ୍ତି । ପ୍ରଥମ ଭାରତୀୟ ମହିଳାଭାବେ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିବା ପରେ ସିନ୍ଧୁଙ୍କୁ ଅଜସ୍ର ଶୁଭେଚ୍ଛାର ସୁଅ ଛୁଟିଛି । ୨୦୧୬ ରିଓ ଅଲିମ୍ପିକ୍ସରେ ନିଜର ପ୍ରଥମ ପଦାର୍ପଣରେ ସିନ୍ଧୁ ଭାରତ ପାଇଁ ବ୍ୟାଡ୍‌ମିଣ୍ଟନରେ ରୌପ୍ୟ ପଦକ ଜିତିଥିଲେ । ଆଉ ତା ପରଠାରୁ ପଛକୁ ଚାହିଁ ନାହାନ୍ତି ଏହି ହ୍ରାଇଦ୍ରାବାଦର ଷ୍ଟାର୍ ଖେଳାଳି । ଟୋକିଓ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ପାଇଁ ଲକ୍ଷ୍ୟ ରଖିଥିଲେ । ଏଥିପାଇଁ ପୁରା ଦମରେ ନିଜକୁ ପ୍ରସ୍ତୁତ କରିଥିଲେ।  ଏପରିକି କରୋନା କଟକଣା ବେଳେ ପ୍ରସ୍ତୁତିରେ ବାଧାସୃଷ୍ଟି ହେବାରୁ, ସେ ବିଦେଶରେ କିଛିଦିନ ଟ୍ରେନିଂ ନେଉଥିଲେ । ଅଲିମ୍ପିକ୍ସ ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ରେ ଅଭାବ ଥିବାରୁ ସିନ୍ଧୁଙ୍କ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ଥିଲା । କିନ୍ତୁ ସବୁ ଚ୍ୟାଲେଞ୍ଜ ସତ୍ତ୍ୱେ ଟୋକିଓ ଟକ୍କର ପାଇଁ ଓହ୍ଲାଇଥିଲେ ପି.ଭି. ସିନ୍ଧୁ । ଫର୍ମରେ ଥିବା ସିନ୍ଧୁ ପ୍ରଥମ ମ୍ୟାଚରୁ ପ୍ରଭାବ ବିସ୍ତାର କରିଚାଲିଥିଲେ ।

ଗୋଟିକ ପରେ ଗୋଟିଏ ମ୍ୟାଚ୍‌ରେ ଜିତିବା ପରେ, ସେମିଫାଇନାଲରେ ଚାଇନିଜ୍ ତାଇପେଇ ଖେଳାଳି ତାଇ ଜୁଙ୍କୁ ଭେଟିଥିଲେ ସିନ୍ଧୁ । ଏଥିରେ ପ୍ରଥମ ସେଟରେ ହାରିବା ପରେ ଦ୍ୱିତୀୟ ସେଟରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିଶ୍ୱର ନମ୍ବର ୱାନ୍‌ ଖେଳାଳି ତାଇ ଜୁଙ୍କ ଫର୍ମ ଆଗରେ ସିନ୍ଧୁ ହାରି ଯାଇଥିଲେ । ଏହାପରେ ପରବର୍ତ୍ତୀ ମ୍ୟାଚ୍‌ରେ ଚୀନର ବିଙ୍ଗ ଜିଆଓଙ୍କୁ ସିଧାସଳଖ ୨୧-୧୩ ଓ ୨୧-୧୫ ସେଟରେ ହରାଇ ଭାରତକୁ ଐତିହାସିକ ବିଜୟ ଦେଇଛନ୍ତି ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଐତିହାସିକ ସଫଳତା ପଛରେ ତାଙ୍କ କୋଚ୍ ପାର୍କ ଟି. ସାଙ୍ଗଙ୍କ ବଡ଼ ଭୂମିକା ରହିଛି ।

କ୍ରୀଡାବିତ୍ ପରିବାରରେ ଜନ୍ମ ନେଇଥିବା ସିନ୍ଧୁଙ୍କ ପିଲାଦିନୁ ଖେଳ ପ୍ରତି ବେଶ୍ ରୁଚି ଥିଲା । ବାପା ପି.ଭି. ରମନ୍ନା ଓ ମାଆ ପି. ବିଜୟା ଭାରତ ପାଇଁ ପ୍ରତିନିଧିତ୍ୱ କରିଥିବାରୁ ଏହାର ପ୍ରଭାବ ସିନ୍ଧୁଙ୍କ ଉପରେ ପଡିଥିଲା । ବ୍ୟାଡ୍‌ମିଣ୍ଟନ ଷ୍ଟାର୍ ପୁଲେଲା ଗୋପିଚାନ୍ଦଙ୍କ ଏକାଡେମୀରୁ ସିନ୍ଧୁ ଟ୍ରେନିଂ ଆରମ୍ଭ କରିଥିଲେ । ମାତ୍ର ୧୭ ବର୍ଷ ବୟସରେ ବିଶ୍ୱର ଶ୍ରେଷ୍ଠ ୨୦ ଜଣ ଖେଳାଳିଙ୍କ ମଧ୍ୟରେ ତାଙ୍କ ନାଁ ରହିଥିଲା। ୨୦୧୩ରେ ୱାଲର୍ଡ଼ ଚାମ୍ପିୟନଶିପରେ ଭାରତ ପାଇଁ ପ୍ରଥମ ବ୍ରୋଂଜ ପଦକ ଜିତିଥିଲେ ସିନ୍ଧୁ ।

ଏହାପରେ ୨୦୧୫କୁ ଛାଡିଦେଲ ୨୦୧୯ ପର୍ଯ୍ୟନ୍ତ ପ୍ରତିବର୍ଷ ମେଡାଲ୍ ଜିତିଛନ୍ତି । ୨୦୧୯ରେ ୱାଲର୍ଡ଼ ଚାମ୍ପିୟନଶିପରେ ଗୋଲଡ୍ ମେଡାଲ ହାସଲ କରିଥିଲେ । ବ୍ୟାଡ୍‌ମିଣ୍ଟନରେ ଅଭୂତପୂର୍ବ ସଫଳତା ପାଇଁ ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି । ୨୦୧୩ରେ ଅର୍ଜୁନ ପୁରସ୍କାର, ୨୦୧୫ରେ ପଦ୍ମଶ୍ରୀ, ୨୦୧୬ରେ ରାଜୀବଗାନ୍ଧି ଖେଳରତ୍ନ, ୨୦୨୦ରେ ପଦ୍ମଭୂଷଣ ପୁରସ୍କାର ଦିଆଯାଇଥିଲା । ସଫଳତାର ଶିଖର ଛୁଇଁଥିବା ବେଳେ ଗତବର୍ଷ ନଭେମ୍ବର ସିନ୍ଧୁଙ୍କ ଏକ ଟ୍ୱିଟ୍‌କୁ ନେଇ ସାରା ଭାରତ ଚକିତ ହୋଇଯାଇଥିଲା । ଡେନମାର୍କ ଓପନରେ ପରାଜୟ ପରେ ସେ ଟ୍ୱିଟ୍‌ରରେ ଆଇ ରିଟାୟାର ଲେଖିଥିଲେ । କିନ୍ତୁ ପରେ ଏହାକୁ ନେଇ ସେ ସ୍ପଷ୍ଟୀକରଣ ରଖିଥିଲେ । ଖେଳରୁ ଅବସର ନୁହେଁ, ନକରାତ୍ମକ ଭାବନା, ଅଜଣା ଭୟ ଓ ଅନିଶ୍ଚିତାରୁ ଦୂରେଇ ରହୁଛି ବୋଲି ସିନ୍ଧୁ ଦେଶବାସୀଙ୍କୁ ଜଣାଇଥିଲେ।