• translate
Prangyan Parimita

କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ । ପରବର୍ତ୍ତୀ ପଦକ୍ଷେପ ଅନୁସାରେ କ୍ରିପ୍ଟୋକରେନ୍ସିକୁ ନିୟନ୍ତ୍ରଣ କରିବାର ଉପାୟ ଖୋଜିବା ଉଚିତ୍ ବୋଲି ପାର୍ଲିଆମେଣ୍ଟାରୀ କମିଟି ଅନ୍ ଫିନାନ୍ସକୁ ସାଂସଦ, ଶିଳ୍ପ ବିଶେଷଜ୍ଞ ଏବଂ ସଙ୍ଗଠନ ଗୁଡ଼ିକ ସୂଚନା ଦେଇଛନ୍ତି । ଭାରତରେ କ୍ରିପ୍ଟୋକରେନ୍ସିର ବର୍ତ୍ତମାନର ସ୍ଥିତି, ସୁଯୋଗ, ଉଭୟ ସରକାର ଏବଂ ହିତାଧିକାରୀଙ୍କ ପାଇଁ ଆହ୍ୱାନକୁ ନେଇ ସଂସଦୀୟ ସ୍ଥାୟୀ କମିଟି ସୋମବାର ବୈଠକ ଅନୁଷ୍ଠିତ ହୋଇଥିଲା । 

କ୍ରିପ୍ଟୋ ଫାଇନାନ୍ସର ଉପରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଦ୍ୱାରା ଡକାଯାଇଥିବା ଏହା ଥିଲା ପ୍ରଥମ ବୈଠକ । କ୍ରିପ୍ଟୋକରେନ୍ସି ଦେଶରେ ରହିବା ଆବଶ୍ୟକ ଏବଂ ଏହାକୁ ନିୟନ୍ତ୍ରଣ କରିବା ଉପରେ ଧ୍ୟାନ ଦେବା ଉଚିତ୍ ବୋଲି ଅନେକ ବକ୍ତା ମତ ରଖିଛନ୍ତି । ଗତ ବର୍ଷ ସମାନ ସମୟରେ ସରକାର କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରିଥିଲେ କିନ୍ତୁ ତା’ ପର ଠାରୁ ସ୍ଥିତି ବଦଳି ଯାଉଛି । ବର୍ତ୍ତମାନ ସମୟରେ କ୍ରିପ୍ଟୋରେ ବିନିଯୋଗ ଆକାଶଛୁଆଁ ରହିଛି ଏବଂ ଏହା ଯୁବଗୋଷ୍ଠୀଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କ୍ରିପ୍ଟୋକରେନ୍ସିକୁ ନେଇ ଅନେକ ଅନିଶ୍ଚିତତା ଦେଖାଦେଇଛି । କିନ୍ତୁ ସୋମବାର ହୋଇଥିବା ବୈଠକ କିଛି ବିଶେଷ ଦିଗ ପ୍ରତି ଧାରଣା ଦେଉଛି । ବୈଠକରେ ୫ଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହୋଇଛି ।

କ୍ରିପ୍ଟୋକରେନ୍ସିକୁ କିଏ ନିୟନ୍ତ୍ରଣ କରିବ?

କ୍ରିପ୍ଟୋକରେନ୍ସି କିଏ ନିୟନ୍ତ୍ରଣ କରିବ? ସଂସଦୀୟ ପ୍ୟାନେଲ ବୈଠକରେ ଏସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ତେବେ କ୍ରିପ୍ଟୋକରେନ୍ସି ବିଷୟକୁ ସଂପୂର୍ଣ୍ଣ ଭାବେ ସରକାରଙ୍କ ଉପରେ ଛାଡ଼ି ଦେଇଛନ୍ତି ବିଷେଷଜ୍ଞ କମିଟି । ଆରବିଆଇ  କ୍ରିପ୍ଟୋକରେନ୍ସିର ତଦାରଖ କରିପାରେ କିନ୍ତୁ ଏହା ପୂର୍ବରୁ କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ବୋଲି କୁହାଯାଇଛି । ତେଣୁ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ ପାଇଁ ସରକାର ବ୍ୟବସ୍ଥା କରିବେ କି ନାହିଁ ତାହା ସମୟ କହିବ ।

ଖୁବ୍ ଶୀଘ୍ର ଆସିପାରେ ବିଲ୍

ଦୀର୍ଘ ସମୟ ଧରି ଏକ ସମ୍ଭାବ୍ୟ କ୍ରିପ୍ଟୋ ବିଲ୍ ସମ୍ପର୍କରେ ଶୁଣିବାକୁ ମିଳୁଛି । ୨୦୨୧ ୟୁନିଅନ୍ ବଜେଟ୍ ପୂର୍ବରୁ ସରକାର ବିଲ୍ ଆଗତ ହୋଇପାରେ ବୋଲି କୁହାଯାଇଛି । ଆଉ ଏହି ବିଲରେ କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ଲଗାଇବା ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ । ଏକ ନୂତନ ବିଲ୍ ଉପରେ କାମ ଚାଲିଥିବା ଜଣାପଡିଛି । ସୋମବାରର ବୈଠକରେ ସମାନ ବିଲ୍ ଆଗତ କରାଯାଇଥିଲା । ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ସପ୍ତାହରେ ସରକାର ଏକ ନୂତନ କ୍ରିପ୍ଟୋ ବିଲ୍ ଆଗତ କରିବାକୁ ଚିନ୍ତା କରୁଛନ୍ତି ବୋଲି କୁହାଯାଇଥିଲା । ନିବେଶକମାନଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ବିଲ୍ ପ୍ରସ୍ତୁତ ହୋଇପାରେ ।

ବିଜ୍ଞାପନ ସମସ୍ୟା ଉପରେ ଆଲୋଚନା

ବର୍ତ୍ତମାନ କ୍ରିପ୍ଟୋ-ଏକ୍ସଚେଞ୍ଜ୍ ପ୍ଲାଟଫର୍ମରେ ମାଳ ମାଳ ବିଜ୍ଞାପନ ଆସୁଛି, ଯାହା ନଜରକୁ ଆସିନାହିଁ । ପୂର୍ବରୁ କ୍ରିପ୍ଟୋ ଏକ୍ସଚେଞ୍ଜ୍ ପ୍ଲାଟଫର୍ମ ଗୁଡିକରେ ବିଟ କଏନ୍ ଏବଂ ଅନ୍ୟ କ୍ରିପ୍ଟୋ କରେନ୍ସି ସମ୍ପର୍କରେ ବିଜ୍ଞାପନ ଆସିଥିଲା । ଶୀଘ୍ର ଟଙ୍କା ଦେବାର ଲୋଭ ଦେଖାଇ ଯୁବଗୋଷ୍ଠୀଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ହୋଇଥଇଲା । ସଂସଦୀୟ ପ୍ୟାନେଲ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି । ବିଜ୍ଞାପନଗୁଡ଼ିକ ଅତ୍ୟଧିକ ପ୍ରତିଶ୍ରୁତି ଦେବା ସହ ଏଥିରେ ସ୍ୱଚ୍ଛତାର ଅଭାବ ରହିଛି ବୋଲି ଉଲ୍ଲେଖ କରାଯାଇଛି ।

ଏପର୍ଯ୍ୟନ୍ତ ନିଶ୍ଚିତ ନୁହେଁ ଆରବିଆଇ

ବର୍ତ୍ତମାନ ସୁଦ୍ଧା କ୍ରିପ୍ଟୋକରେନ୍ସିର ନିବେଶ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସମ୍ପୂର୍ଣ୍ଣ ଭାବେ ଏକମତ ନୁହେଁ । ଏହା ପୂର୍ବରୁ କ୍ରିପ୍ଟୋକରେନ୍ସି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ସପକ୍ଷରେ କହିଥିଲା ଆରବିଆଇ । ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁସାରେ କ୍ରିପ୍ଟୋ-ଏକ୍ସଚେଞ୍ଜ୍ ପ୍ଲାଟଫର୍ମ ଦ୍ୱାରା ଉପସ୍ଥାପିତ ହୋଇଥିବା ସଂଖ୍ୟାକୁ ନେଇ ସନ୍ଦେହ କରିଥିଲା କେନ୍ଦ୍ରୀୟ ବ୍ୟାଙ୍କ । କିନ୍ତୁ ଅନ୍ୟାନ୍ୟ ଦିଗକୁ ମଧ୍ୟ ବିଚାରକୁ ନିଆଯିବା ଆବଶ୍ୟକ ବୋଲି ଆରବିଆଇ ପକ୍ଷରୁ କୁହାଯାଇଥିଲା । ବୈଠକର କିଛି ଦିନ ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ, କ୍ରିପ୍ଟୋକରେନ୍ସିଗୁଡିକ ଯେ କୌଣସି ଆର୍ଥିକ ବ୍ୟବସ୍ଥା ପାଇଁ ଗୁରୁତର ବିପଦ, କାରଣ ସେଗୁଡିକ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ନୁହେଁ । ୨୦୧୮ରେ କ୍ରିପ୍ଟୋକୁ ନିଷିଦ୍ଧ କରାଯାଇଥିଲା । ମାତ୍ର ୨୦୨୦ରେ ସୁପ୍ରିମ୍‌ କୋର୍ଟଙ୍କ ହସ୍ତକ୍ଷେପ ପରେ ସେହି କଟକଣା ପ୍ରତ୍ୟାହାର କରାଯାଇଥିଲା ।

ମୁଖ୍ୟ ଲକ୍ଷ୍ୟ ନିବେଶକମାନଙ୍କୁ ସୁରକ୍ଷା ଦେବା

ନିବେଶକଙ୍କ ସୁରକ୍ଷା ଦେବା ପାଇଁ ଅଧିକ ଆଲୋଚନା ହୋଇଥିଲା । ଦେଶରେ ପ୍ରାୟ ୧୫ ମିଲିୟନ୍ କ୍ରିପ୍ଟୋ ନିବେଶକ ଅଛନ୍ତି । ଆଉ ସେମାନେ ଡିଜିଟାଲ ମୁଦ୍ରାରେ ପ୍ରାୟ ୬୦୦ କୋଟି ଟଙ୍କା ରଖିଥିବା କ୍ରିପ୍ଟୋ ଏକ୍ସଚେଞ୍ଜ ପ୍ଲାଟଫର୍ମର ପ୍ରତିନିଧୀମାନେ ସରକାରଙ୍କୁ ସୂଚନା ଦେଇଛନ୍ତି । ସମସ୍ତ ସଦସ୍ୟଙ୍କ ପାଇଁ ନିବେଶକଙ୍କ ଅର୍ଥର ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସାଂସଦମାନେ କହିଛନ୍ତି ।

Other Stories