• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚୀନ୍ ହେଉ କି ପାକିସ୍ତାନ । ପଡୋଶୀ ଶତ୍ରୁଙ୍କ ମୁକାବିଲାରେ ଭାରତକୁ ସବୁବେଳେ ସହଯୋଗ କରିଆସିଛି ଋଷ । କିଛି ବର୍ଷ ହେବ ଭାରତ ଆମେରିକାର ନିକଟତର ହେବା ସହ ଅନେକ ଆମେରିକୀୟ ଅସ୍ତ୍ରଶସ୍ତ୍ର କିଣିଥିଲେ ମଧ୍ୟ ଋଷ ସହ କ୍ଷୀଣ ହୋଇନି ସମ୍ପର୍କ । ବିଶ୍ୱର ଦୁଇ ବୃହତ ଶକ୍ତିଙ୍କ ସହ ଭାରତ ସମାନ୍ତରାଳ ସଂପର୍କ ରଖିଥିବା ବେଳେ, ଏହାର ବୈଦେଶିକ ନୀତି ସ୍ୱତନ୍ତ୍ର ଓ ପରିସ୍ଥିତିକୁ ଦେଖି ଭାରତ ନିଜସ୍ୱ ନିଷ୍ପତ୍ତି ନେବ ବୋଲି ସ୍ପଷ୍ଟ କରିଦେଇଛି । ତେଣୁ ଆମେରିକା ସହ କ୍ୱାଡ୍ ମେଣ୍ଟ କରିଥିଲେ ମଧ୍ୟ ପୁରୁଣା ବନ୍ଧୁ ଋଷିଆ ସହ ସଂପର୍କ ଆଦୌ ପ୍ରଭାବିତ ହେବନି ବୋଲି ନୂଆଦିଲ୍ଲୀ ବାର୍ତ୍ତା ଦେବାକୁ ଚାହିଁଛି । ପୁତିନଙ୍କ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ଏକାଧିକ ଚୁକ୍ତି ଏହାର ବଳିଷ୍ଠ ପ୍ରମାଣ ବୋଲି କୁହାଯାଉଛି ।

ମୋଦି-ପୁତିନ ଶିଖର ବୈଠକ ପୂର୍ବରୁ ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀସ୍ତରୀୟ ବା ଟୁ-ଟୁ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଋଷୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ AK 203 ରାଇଫଲ ସମେତ ୨୮ଟି ଡିଲ୍ ସ୍ୱାକ୍ଷରିତ ହୋଇଛି । ଅନ୍ୟପକ୍ଷରେ ଭାରତ ଋଷିଆଠାରୁ କିଣିଥିବା S-400 ଏୟାର ଡିଫେନ୍ସ ସିଷ୍ଟମ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ ୧୦ ଦିନ ମଧ୍ୟରେ ଏହା ଭାରତରେ ପହଞ୍ଚିବ । ଏହାକୁ ବ୍ୟବହାର ଲାଗି ଭାରତୀୟ ଯବାନ ଋଷ ବିଶେଷଜ୍ଞଙ୍କଠାରୁ ପ୍ରଶିକ୍ଷଣ ନେଇ ସାରିଛନ୍ତି । ପ୍ରତିରକ୍ଷା ବ୍ୟତିତ ଜ୍ଞାନକୌଶଳ, ବିଜ୍ଞାନ, ଶକ୍ତି, ବାଣିଜ୍ୟ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ନେଇ ଏସବୁ ରାଜିନାମାରେ ସ୍ୱାକ୍ଷର କରିଛନ୍ତି ଦୁଇ ଦେଶ । ସେହିପରି ୨୦୨୧ରୁ ୨୦୩୧ ପର୍ଯ୍ୟନ୍ତ ମିଲିଟାରୀ ଟେକ୍ନୋଲୋଜି କୋ-ଅପରେସନ ଚୁକ୍ତିରେ ବି ଦୁଇ ଦେଶ ସ୍ୱାକ୍ଷର କରିଛନ୍ତି ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଋଷ ପ୍ରତିପକ୍ଷ ସର୍ଜେଇ ସୋଇଗୁଙ୍କ ସହ କଥାବାର୍ତ୍ତା ଅବସରରେ ଲଦାଖ ସୀମାରେ ଚୀନ୍‌ର ଉଗ୍ର ବ୍ୟବହାର ପ୍ରସଙ୍ଗ ଉଠାଇଥିଲେ । ଭାରତକୁ ଦୃଢ଼ ସମର୍ଥନ ଲାଗି ସେ ଋଷକୁ କୃତଜ୍ଞତା ଜଣାଇଥିଲେ । ତେବେ ଭାରତ-ଋଷିଆ କନିଷ୍ଠ ସାମରିକ ସଂପର୍କ ଅନ୍ୟ କୌଣସି ଦେଶ ବିରୁଦ୍ଧରେ ଉଦ୍ଦିଷ୍ଟ ନୁହେଁ ବୋଲି ରାଜନାଥ ସ୍ପଷ୍ଟ କରିଦେଇଛନ୍ତି ।

ଆମେରିକା-ଋଷିଆ ସଂପର୍କରେ ତିକ୍ତତା ବଢୁଥିବାରୁ ପୁଟିନ୍‌ଙ୍କ ଭାରତଗସ୍ତକୁ ବେଶ ଗୁରୁତ୍ୱ ଦିଆଯାଉଛି । ଆମେରିକା, ଅଷ୍ଟ୍ରେଲିଆ, ଜାପାନକୁ ନେଇ ଗଠିତ କ୍ୱାଡ୍‌ର ଭାରତ ସଦସ୍ୟ ରାଷ୍ଟ୍ର ହୋଇଥିବା ବେଳେ ଋଷିଆ ସହ କୌଣସି ସାମରିକ ସହଯୋଗ ନରଖିବାକୁ ଆମେରିକା ସହଯୋଗୀ ରାଷ୍ଟ୍ରଙ୍କୁ କହିଆସୁଛି । ତେବେ ଭାରତର ବୈଦେଶିକ ନୀତି ସଂପୂର୍ଣ୍ଣ ସ୍ୱାଧୀନ ଓ ଏହା କାହାରି ଚାପରେ ପରିଚାଳିତ ହେବନି ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଦେଇଛି । ତେଣେ ଋଷିଆ ଭାରତର ସବୁଦିନିଆ ବନ୍ଧୁ ହୋଇଥିବା ବେଳେ ଆମେରିକା ଚୀନ୍‌ର ପ୍ରଭାବକୁ ପରାହତ କରିବାକୁ ଭାରତର ସହଯୋଗ ଚାହୁଁଛି । ତେଣୁ ଭାରତ ଆମେରିକା ଉପରେ ପୁରା ମାତ୍ରାରେ ନିର୍ଭରଶୀଳ ହୋଇପାରିବ ନାହିଁ । ସେଥିଲାଗି ନୂଆଦିଲ୍ଲୀ ନିଜ ବିକଳ୍ପ ଖୋଲା ରଖିବାକୁ ଚାହୁଁଥିବା କହିଛନ୍ତି ଭାରତ-ଆମେରିକା ନୀତି ବିଶେଷଜ୍ଞ ରିଚାର୍ଡ ରୋଷୋ ।