• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପୋଲ ନଥିବାରୁ ନଦୀରେ ବିପଦସଙ୍କୁଳ ଜଳଯାତ୍ରା

  • ଭରା ନଇରେ ଯାତାୟାତ କରିଥାନ୍ତି ଅଞ୍ଚଳବାସୀ

  • ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଲୋକଙ୍କ ଦାବି

କନ୍ଧମାଳ(ତ୍ରିନାଥ ସାହୁ) : ନଦୀ ଉପରେ ପୋଲ ନଥିବାରୁ ବିପଦସଙ୍କୁଳ ଜଳଯାତ୍ରା । ଶିଶୁ ହୁଅନ୍ତୁ ଅବା ବୟସ୍କ କି ଗର୍ଭବତୀ, ଭରା ନଇରେ ପଶି ଯାତାୟାତ କରନ୍ତି ଅଞ୍ଚଳବାସୀ । ପୋଲ ନିର୍ମାଣ ଦାବି ନେଇ ସରକାରୀ ବାବୁଙ୍କଠାରୁ ଜନ ପ୍ରତିନିଧି ସମସ୍ତଙ୍କୁ ନେହୁରା ହୋଇଛନ୍ତି, ହେଲେ କେହି ଶୁଣିନାହାନ୍ତି । ସେପଟେ ଅଭିଯୋଗ ପରେ କନ୍ଧମାଳ ଜିଲ୍ଲା ଗୁଞ୍ଜିବାଡି ପଞ୍ଚାୟତର ବଗାଡି ନଦୀ ଉପରେ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଛି ।

ପାଣି ଭିତରେ ରାସ୍ତା ପାର । କେତେବେଳେ ଆଣ୍ଠୁଏ, କେତେବେଳେ ଅଣ୍ଟାଏ ତ ଆଉ କେତେବଳେ ବେକେ ପାଣି । ବୃଦ୍ଧ ଠାରୁ ଆରମ୍ଭ କରି ଶିଶୁ ଅବା ଗର୍ବଭତୀ, ଏମିତି ନଦୀ ପାର ହୁଅନ୍ତି ସମସ୍ତେ । କାରଣ ନଦୀ ଆରପାରିରେ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର, ବ୍ଲକ ଅଫିସ୍ ସବୁକିଛି । କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତର ୮ ଖଣ୍ଡ ଗ୍ରାମବାସୀ ଏମିତି ନିତିଦିନିଆ ସଂଘର୍ଷ କରନ୍ତି । ବଗାଡି, ବଦାଲୀ, ଶ୍ରକପାଙ୍ଗା, ମିନାମିଲୁ, ମାଦୀରାହା, ପୁଡ୍ରିପଡ଼ା, ସୁଗାମାହା ଓ ବଣ୍ଡିସପଦର ଗାଁର ହଜାରେରୁ ଅଧିକ ଲୋକ ଏମିତି ଜଳବନ୍ଦୀ ଜୀବନ କାଟୁଛନ୍ତି ଏବଂ ବିପଦସଙ୍କୁଳ ଭାବେ ପାର୍ ହେଉଛନ୍ତି ।

ଚିରସ୍ରୋତା ବଗାଡି ନଦୀ ବର୍ଷ ତମାମ ପାଣି ଚାଲେ । ହେଲେ ବର୍ଷା ଦିନେ ସ୍ଥିତି ଟିକେ ଜଟିଳ । ନଦୀ ଅଧିକ ଫୁଲିଲେ ରଶି ବାନ୍ଧି ଏମିତି ବିପଦସଙ୍କୁଳ ଯାତ୍ରା କରନ୍ତି ଅଞ୍ଚଳବାସୀ । ବେକେ ପାଣିରେ କେବେ କେମିତି ଗଛରେ ରଶି ବାନ୍ଧି ଯାଆସ ମଧ୍ୟ କରିବାକୁ ପଡ଼େ । ଗ୍ରାମବାସୀ ସମସ୍ୟା ନେଇ ସରପଞ୍ଚଙ୍କଠାରୁ ବିଧାୟକ ଓ ସାଂସଦଙ୍କ ପାଖରେ ଫେରାଦ ହୋଇଛନ୍ତି । ହେଲେ ଏଯାଏଁ କୌଣସି ସୁଫଳ ମିଳିନି । ସେପଟେ ସରକାର ଅବଗତ ଅଛନ୍ତି ଏବଂ ଖୁବଶୀଘ୍ର ପୋଲ ନିର୍ମାଣ ହେବ ବୋଲି କହିଛନ୍ତି କ. ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ।