• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  •  ମୋବାଇଲ ଗେମ୍‌ର ମାୟାରେ ବାୟା କିଶୋର କିଶୋରୀ ଓ ଯୁବପିଢ଼ି ।

  • ପବ୍‌ଜି ହେଉ କି ଫ୍ରି ଫାୟାର୍ ଅବା ବ୍ୟାଟଲ୍ ଗ୍ରାଉଣ୍ଡ ।

ଭୁବନେଶ୍ୱର: ମୋବାଇଲ ଗେମ୍‌ର ମାୟାରେ ବାୟା କିଶୋର କିଶୋରୀ ଓ ଯୁବପିଢ଼ି । ପବ୍‌ଜି ହେଉ କି ଫ୍ରି ଫାୟାର୍ ଅବା ବ୍ୟାଟଲ୍ ଗ୍ରାଉଣ୍ଡ । ଏହି ସବୁ ମୋବାଇଲ ଗେମ୍, ପିଲାଙ୍କ ପାଇଁ ଆଡିକ୍ସନ ବା ଏକପ୍ରକାର ନିଶା ପାଲଟି ଯାଉଛି । ନିଶା ଏମିତି ଘାରୁଛି ଯେ, ବେଳେବେଳେ ଏହା ଜୀବନ ବି ନେଇ ଯାଉଛି । ମୋବାଇଲ୍ ଗେମ୍ ପାଇଁ ପିଲାଙ୍କ ମାନସିକ ଅବସ୍ଥା ଓ ଆଚରଣ ବଦଳୁଛି, ସେମାନେ ବିଷାଦଗ୍ରସ୍ତ ଓ ଆଗ୍ରେସିଭ୍ ବି ହେଉଛନ୍ତି । ବାସ୍ତବ ଦୁନିଆରୁ ଦୂରେଇ ଯାଇ ଡିଜିଟାଲ ଦୁନିଆରେ ବୁଡ଼ି ରହିବା ଏହାର ମୁଖ୍ୟ କାରଣ । ଏଥିରୁ ରକ୍ଷା ପାଇବାକୁ ବାପାମାଆଙ୍କ ସହିତ ଗେମ୍ ଡେଭଲପର୍ଙ୍କ ମଧ୍ୟ ବିଶେଷ ଦାୟିତ୍ୱ ରହିଛି ।

ସେମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ପୁଅର ଜୀବନ ନେଇଗଲା ମୋବାଇଲ ଗେମ୍ ନିଶା । ପରୀକ୍ଷା ଥିବାରୁ ଫ୍ରି ଫାୟାର୍ ଗେମ୍ ନ ଖେଳିବାକୁ ମାଆ ଟିକେ ଆକଟ କରିଥିଲେ । ଏହି ଘଟଣା ପିଲାଟିକୁ ଏତେ ବାଧିଲା ଯେ, ସେ ନିଜ ଜୀବନ ନେବାକୁ ବି ପଛାଇଲାନି । ପିଲାମାନେ ମୋବାଇଲ ଗେମ୍‌ର ମାୟାଜାଲରେ ଏମିତି ଛନ୍ଦି ହୋଇ ପଡୁଛନ୍ତି ଯେ, ବେଳେ ବେଳେ ତାହା ପ୍ରାଣଘାତକ ହେଉଛି । 

ସେମିତି ଏହି ଘଟଣାରେ କେନ୍ଦୁଝର ଜିଲ୍ଲା ଶାଳପଡ଼ା ଆଦର୍ଶ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି । କେବଳ ଏଇ ଗୋଟିଏ ନୁହେଁ, କେତେବେଳେ ଭିଡିଓ ଗେମ୍ ନିଶା ପିଲାଙ୍କୁ ଆତ୍ମହତ୍ୟା ପ୍ରବଣ କରୁଛି, ଆଉ କେତେବେଳେ ଉସୁକାଉଛି ଅପରାଧ ଘଟାଇବା ପାଇଁ । ଏବେ କରୋନା କାଳରେ ଅନ୍‌ଲାଇନ କ୍ଲାସ ଚାଲିଥିବାରୁ ପିଲାଙ୍କ ହାତକୁ ସହଜରେ ମୋବାଇଲ୍ ଆସିବା ଏବଂ ସେମାନେ ସ୍କୁଲ କଲେଜ ନଯାଇ ସାରା ଦିନ ଘରେ ରହିବା, ଏଭଳି ସ୍ଥିତିକୁ ଆହୁରି ସଂଗୀନ କରିଛି ।

ବିଶେଷଜ୍ଞଙ୍କ ମତରେ, ପିଲାମାନେ ଅନ୍‌ଲାଇନ୍ ଗେମ୍‌ ମାୟାଜାଲରେ ଛନ୍ଦିହେବାର ଅନେକ କାରଣ ରହିଛି । ଲକ୍‌ଡାଉନ୍ ପାଇଁ ଘରେ ରହୁଥିବାରୁ ବାହାରେ ଖେଳକୁଦ ନାହିଁ କି ସାଙ୍ଗସାଥୀଙ୍କୁ ଭେଟି ପାରୁ ନାହାନ୍ତି । ସତସତିକା ଦୁନିଆ ସହିତ ସଂପର୍କ କମିଯାଇ କେବଳ ଡିଜିଟାଲ ଦୁନିଆରେ ବାନ୍ଧି ହୋଇ ରହୁଛନ୍ତି । ଏଥିରୁ ସେମାନଙ୍କୁ ଦୂରେଇ ଡ୍ରଇଂ, ପେଣ୍ଟିଂ ପରି ସୃଜନଶୀଳ କାମରେ ଲଗାଇବା ସହିତ କାଉନସେଲିଂ ଦରକାର ବୋଲି କହିଛନ୍ତି ଶିକ୍ଷାବିତ୍ । ସାଇବର୍ ଏକ୍ସପର୍ଟଙ୍କ ମତରେ କେଉଁ ବୟସର ପିଲା କେଉଁ ଗେମ୍ ଖେଳିବ, ତାର କଟକଣା ରହିବା ଉଚିତ ।

କିଛି ବର୍ଷ ତଳେ ଏମିତି ସାରା ବିଶ୍ୱରେ ଚହଳ ପକାଇଥିଲା ଅନ୍‌ଲାଇନ୍ ଗେମ୍ ବ୍ଲୁ ହ୍ୱେଲ୍ । ଏହି ଗେମ୍ ଖେଳି ଅନେକେ ଆତ୍ମହତ୍ୟା କରିବା ଭଳି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା ।