• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଲିଗୁଡ଼ା( ଅଜିତ ନାୟକ) : ପାହାଡ ଚିରି ଜଳପ୍ରପାତକୁ ରାସ୍ତା ନିର୍ମାଣ କରିଛନ୍ତି ଗ୍ରାମବାସୀ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ନିଜସ୍ୱ ଖର୍ଚ୍ଚରେ ତିନି ଖଣ୍ଡ ଗାଁ ଲୋକ ଏପରି କରିଛନ୍ତି । ପ୍ରଶାସନକୁ ଅପେକ୍ଷା ନ କରି ଲୋକେ ନିଜ ଗାଁ ନିକଟରେ ଥିବା ଜଳପ୍ରପାତର ଉନ୍ନତି ପାଇଁ ଏବେ ଆଗେଇ ଆସିଛନ୍ତି । ଏଭଳି ଦୃଶ୍ୟ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ପାଙ୍ଗାଲି ଗ୍ରାମରେ ଦେଖିବାକୁ ମିଳିଛି ।

ଶତାଧିକ ପୁରୁଷ ଓ ମହିଳା ହାତରେ କୋଡି କୋଦାଳ ଧରି ରାସ୍ତା ନିର୍ମାଣ କାମରେ ଲାଗି ପଡିଛନ୍ତି । ସେମାନଙ୍କର ଗୋଟିଏ ଜିଦ୍ ଜଳପ୍ରପାତ ଦେଖିବାକୁ ଆସୁଥିବା ପର୍ଯ୍ୟଟକ ସୁବିଧାରେ ଯିବା ଆସିବା କରନ୍ତୁ ଏବଂ ଅଂଚଳର ବିକାଶ ହେଉ । ଏଭଳି ମହତ ଉେଦ୍ଦେଶ୍ୟ ନେଇ ପାଙ୍ଗାଲି ଗ୍ରାମର ଲୋକେ ଗୋଟିଏ ମାସ ଧରି ରାସ୍ତା ନିର୍ମାଣରେ ଲାଗି ପଡିଛନ୍ତି । ଦୀର୍ଘଦିନ ଧରି ମାଡାଏଜୁ ଜଳପ୍ରପାତ ବଣ ଜଙ୍ଗଲ ମଧ୍ୟରେ ଲୁକ୍କାୟିତ ଭାବେ ରହିଥିଲା । ସେଠାକୁ ଯିବା ଆସିବା ଲାଗି କୌଣସି ଭଲ ରାସ୍ତା ନଥିଲା ।

ବଣ ଜଙ୍ଗଲ ଦେଇ କାଁ ଭାଁ ପର୍ଯ୍ୟଟକ ଅସୁରକ୍ଷିତ ଭାବେ ଜଳପ୍ରପାତ ଦେଖିବାକୁ ଯାଉଥିଲେ । ଧିରେ ଧିରେ ଲୁକ୍କାୟିତଭାବେ ରହିଥିବା ଜଳପ୍ରପାତକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ପରେ ଗାଁ ଲୋକେ ରାସ୍ତା ନିର୍ମାଣ ଲାଗି ନିଷ୍ପତ୍ତି ନେଲେ । ଆଉ ଏବେ ସ୍ଥାନୀୟ ଲୋକେ ପାଖାପାଖି ୫୦ ହଜାର ଟଙ୍କା ଚାନ୍ଦା ଆଦାୟ କରି ନିଜସ୍ୱ ଉଦ୍ୟମରେ ରାସ୍ତା ନିର୍ମାଣ କରୁଛନ୍ତି ।

ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଜଳପ୍ରପାତର ଉନ୍ନତି ସାଙ୍ଗକୁ ଅଂଚଳର ବିକାଶ ହେଉ ବୋଲି ସଭିଁଏ ମନ ବଳାଇଛନ୍ତି । ଅନ୍ୟପଟେ ପ୍ରଶାସନର ବିନା ସହଯୋଗରେ ପାଙ୍ଗାଲି ଗ୍ରାମବାସୀ ଯେଉଁ ଉଦ୍ୟମ ଚଳାଇଛନ୍ତି, ତାହାକୁ ନେଇ ସବୁ ମହଲରେ ପ୍ରଂଶସା କରାଯାଇଛି ।

ରାସ୍ତା ନିର୍ମାଣ ସମ୍ପର୍କରେ ଜଣେ ଗ୍ରାମବାସୀ କହିଛନ୍ତି, ପର୍ଯ୍ୟଟକମାନେ ଆସୁଛନ୍ତି । ଲୋକେ ଯିବାଆସିବା ପାଇଁ କଷ୍ଟ ପାଉଥିଲେ । ଏଣୁ ତିନି ଖଣ୍ଡ ଗାଁ ଲୋକ ରାସ୍ତାଟିଏ ତିଆରି ପାଇଁ ନିଷ୍ପତ୍ତି ନେଇଥିଲୁ । ମିଳିମିଶି ଚାନ୍ଦାଭେଦା କରି ରାସ୍ତା ତିଆରି କରିଛୁ । ରାସ୍ତା ତିଆରି ପାଇଁ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏବେ ରାସ୍ତା କାମ ସରିଲାଣି । ପର୍ଯ୍ୟଟକମାନେ ମଧ୍ୟ ଆସୁଛନ୍ତି ।