• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: କ୍ଷେତରେ ଉଜୁଡ଼ା ଧାନ । ଘରେ ବୁକୁଫଟା କାନ୍ଦ । ସ୍ପଷ୍ଟ ବୟାନ କରୁଛି ମୃତ ଚାଷୀ କୈଳାସ ଶବରଙ୍କ ଚରମ ନିଷ୍ପତ୍ତି ପଛର କାରଣ । ଏଣେ ଆଜି ଘର ମୂରବୀଙ୍କ ମୃତଦେହ ଦେଖି ଆହୁରି ଅଧିର ହୋଇ ପଡ଼ିଥିଲେ ଗଂଜାମ ପାତ୍ରପୁର ବ୍ଲକ ଉଲୁମ ଗାଁର ମୃତଚାଷୀ କୈଳାସ ଶବରଙ୍କ ଆତ୍ମୀୟ ସ୍ୱଜନ । ଗୁମୁରି ଗୁମୁରି କାନ୍ଦୁଥିବା ପତ୍ନୀ ଭାଳି ହେଉଛନ୍ତି, କେମିତି ଅଦିନିଆ ବର୍ଷା ତାଙ୍କ ଅଭାବୀ ପରିବାରରେ ଅଦିନରେ ଘଟାଇଲା ବିରାଟ କ୍ଷତି ।

ଅବିଶ୍ରାନ୍ତ ବର୍ଷାରେ ଉଜୁଡ଼ା ଧାନ କ୍ଷେତ ଦେଖି ଗତକାଲି କୀଟନାଶକ ପିଇ ଦେଇଥିଲେ କୈଳାସ । ଯେଉଁ ଦୁଇ ଏକର ଜମିରେ ଭାଗ ଚାଷ କରି ପରିବାର ମୁହଁରେ ବର୍ଷକ ପାଇଁ ଦାନା ଯୋଗାଡ଼ କରିବାକୁ ଲହୁ ଲୁହ ଏକାଠି କରିଥିଲେ, ସେହି ଧାନ ଜମିରେ ଡଙ୍କ ମୋଡ଼ି ପଡିଛି ତାଙ୍କ ସୁନାର ଫସଲ । ତେଣେ ବ୍ରହ୍ମପୁର ଉପଜିଲ୍ଲାପାଳ କହିଛନ୍ତି, କୈଳାସଙ୍କ ମୃତ୍ୟୁର କାରଣ ଜାଣିବାକୁ କୃଷି ବିଭାଗ ପକ୍ଷରୁ ଟିମ୍ ଗଠନ କରାଯାଇଛି ।

ଦକ୍ଷିଣରୁ ଉତ୍ତର ଅବା ଉପକୂଳ ଓଡ଼ିଶା । ଦୁର୍ବଳ ବାତ୍ୟା ଜଓ୍ୱାଦ୍ ଜନିତ ପ୍ରବଳ ବର୍ଷାରେ କିନ୍ତୁ ସବୁଠି ଘାଇଲା ଖାଇଛି ଧାନ ଫସଲ । କେମିତି ପାଚିଲା ଧାନ କ୍ଷେତରେ ଲହଡ଼ି ମାରୁଛି ବର୍ଷା ଜଳ, ଜଗତସିଂହପୁରର ଜିଲ୍ଲା କୃଷି ବିଭାଗର ସୂଚନା ଅନୁସାରେ ଲଗାଣ ବର୍ଷାରେ ଜିଲ୍ଲାର ପ୍ରାୟ ୮୪ ହଜାର ହେକ୍ଟର ଜମିରେ ଧାନ ଫସଲକୁ କ୍ଷତି ପହଞ୍ଚିଛି । କ୍ଷୟକ୍ଷତି ଆକଳନ ପାଇଁ କ୍ଷେତ୍ର କର୍ମଚାରୀଙ୍କୁ ଗ୍ରାଉଣ୍ଡ ଜିରୋକୁ ପଠାଯାଇଛି ।

 

ସେହିଭଳି ଉତ୍ତର ଓଡ଼ିଶା ବାଲେଶ୍ୱର, ଭଦ୍ରକ, ଚାନ୍ଦବାଲି, ନୀଳଗିରି, ବାସୁଦେବପୁର, ସୋର, ବାହାନଗା, ଖଇରା ଓ ଉଦଳା, ସବୁଆଡ଼େ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି ଲଗାଣ ବର୍ଷା । ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସରକାରୀ ସହାୟତା ନମିଳିଲେ ପରିବାର ଉପାସରେ ରହିବେ ବୋଲି କହିଛନ୍ତି । ଠିକ୍ ସେମିତି ଉପକୂଳବର୍ତ୍ତୀ ଜିଲ୍ଲା ଭାବେ ପୁରୀ ହେଉକି କେନ୍ଦ୍ରାପଡ଼ା ସବୁଠୁ ପାଚିଲା ଧାନକୁ ବଇରି ସାଜିଛି ପ୍ରବଳ ବର୍ଷା । କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକର ଅଧିଂକାଶ ପଞ୍ଚାୟତରେ ଧାନ ଫସଲର ଦୁଃସ୍ଥିତି ଅବର୍ଣ୍ଣନୀୟ । ପୁରୀ ଜିଲ୍ଲାର ୧୧ଟି ବ୍ଲକରେ ପାଖାପାଖି ଦେଢ଼ ଲକ୍ଷ ହେକ୍ଟର ଜମିରୁ ଏକ ଲକ୍ଷ ୩୦ ହଜାର ହେକ୍ଟର ଜମିରେ ଧାନ ଫସଲ ବର୍ଷା ପାଣିରେ ଭାସୁଛି । କୋଣାର୍କ, ଗୋପ ଓ ନିମାପଡ଼ା ଅଞ୍ଚଳରେ ସର୍ବାଧିକ ଫସଲ କ୍ଷତି ଘଟିଛି ।

ଖାଲି ଧାନ ନୁହେଁ ପରିବା ଫସଲକୁ ବି ବ୍ୟାପକ କ୍ଷତି ପହଞ୍ଚାଇଛି ଲଗାଣ ବର୍ଷା । ପୁରୀ ଜିଲ୍ଲାର ବଳଙ୍ଗା ହେଉ କି ଯାଜପୁରର ରସୁଲପୁର । ଅମଳ ଅବସ୍ଥାରେ ଆଉ ନାହିଁ ବନ୍ଧା ଓ ଫୁଲ କୋବି ଭଳି ଶୀତ ଦିନିଆ ପରିବା । କେଉଁଠି ଚାଷୀ ଜମିରୁ ପାଣି ନିଷ୍କାସନ କରିଚାଲିଛି ତ କେଉଁଠି ପୋକ ଲାଗିବା ଆଶଙ୍କାରେ ଫୁଲ କୋବି ଆଗୁଆ ତୋଳି ଆଣୁଛି । ସେପଟେ ରାଜସ୍ୱମନ୍ତ୍ରୀ କହିଛନ୍ତି ରିଲିଫ୍ କୋଡ୍ ଅନୁଯାୟୀ ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳିବ ।