• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସମସ୍ୟାରେ ନବରଙ୍ଗପୁର ଜିଲ୍ଲାର ୪୦ ଖଣ୍ଡ ଗାଁର ଲୋକ

  • ମୟୂରଭଂଜ ଉପାନ୍ତ ତେନ୍ତଳା ଗ୍ରାମବାସୀଙ୍କ ବି ସମାନ ଦୁଃଖ

ନବରଙ୍ଗପୁର, ଉଦଳା (ନବଘନ ବିଷୋୟୀ, ମାନସ ପାଣି) : ଜୀବନକୁ ବାଜି ଲଗାଇ ନଦୀ ଉପରେ ଯିବାଆସିବା କରୁଛନ୍ତି ନବରଙ୍ଗପୁର ଜିଲ୍ଲାର ୪୦ ଖଣ୍ଡ ଗାଁର ଲୋକ । ଏକୂଳରୁ ଆର ପଟକୁ ଯିବାପାଇଁ ଗୋଟିଏ ବାଉଁଶ ପୋଲ ଉପରେ ନିର୍ଭର କରୁଛନ୍ତି । ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବା ଚିର୍ମା ବ୍ରିଜ୍ କାମ ମଧ୍ୟ ଅଧାରେ ଲଟକିଛି । ସେପଟେ ମୟୂରଭଂଜ ଉପାନ୍ତ ତେନ୍ତଳା ଗ୍ରାମବାସୀଙ୍କ ପାଇଁ ବି ଦୁଃଖ ବଢ଼ାଇଦେଇଛି ନୂଆଣି ନାଳ ।

ପୋଲ ଉପରେ ଗାଡି ନେଇ ଖୁବ୍ ବିପଜ୍ଜନକ ଭାବେ ଯିବାଆସିବା କରିବାକୁ ପଡ଼ୁଛି । ଯାତ୍ରା ନୁହେଁ ତ, ସତେକି ବାଜିରେ ଲାଗିଛି ଜୀବନ । ସାମାନ୍ୟ ଅନ୍ୟମନସ୍କ ହେଲେ, କିଛି ବି ଘଟିପାରେ । ହେଲେ ଏଠାକାର ୪୦ ଖଣ୍ଡ ଗାଁ ପାଇଁ ଏଭଳି ଯାଆସ ଅଭ୍ୟାସରେ ପଡ଼ିଗଲାଣି । ଆଉ ଉପାୟ ବା କଣ... ନଈ ସେପଟେ ହାଟବଜାର ସବୁକିଛି । ବାଉଁଶ ପୋଲରେ ନଗଲେ ନଚଳେ । ତେଣୁ କେଇ ହାତ ଦୂରରେ ପାଣି ଭିତରୁ ମୁଣ୍ଡ ଟେକିଥିବା ଅଧାଗଢ଼ା ସ୍ୱପ୍ନକୁ ଦେଖି ଦେଖି, ବିପଦକୁ ଆଖିବୁଜି ଦେବା ଭଳି କଥା ।

ବର୍ଷାଦିନେ ନଈରେ ପାଣି ବଢିଲେ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ ଓ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକର ୪୦ଟି ଗାଁର ଲୋକଙ୍କ ଅବସ୍ଥା ତ ନକହିବା ଭଲ । ସେତେବେଳେ କେବଳ ଡଙ୍ଗା ଭରସା, ନଚେତ୍ ଜଳବନ୍ଦୀ ଜୀବନ ଚିର୍ମା ପଂଚାୟତରେ ୨୦୧୬ରୁ ବ୍ରିଜ୍ ନିର୍ମାଣ ଆରମ୍ଭ ହୋଇଥିଲେ ବି, ଏଯାଏ ଗୋଟିଏ ବି ପିଲାର୍ ସମ୍ପୂର୍ଣ୍ଣ ହୋଇନି । ସେପଟେ ପ୍ରକଳ୍ପର ଆଉଥରେ ଟେଣ୍ଡର ଡକାଯିବ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ ।

ଏପଟେ ମୟୂରଭଂଜ ଜିଲ୍ଲା ଉଦଳା ବ୍ଲକ ତେନ୍ତଳା ଗ୍ରାମବାସୀଙ୍କ ଦୁଃଖ ନୂଆଣି ନାଳ । ସାମାନ୍ୟ ବର୍ଷାରେ ପାଣି ବଢିଲେ, ନାଳ ସେପଟକୁ ଯିବା ମୁସ୍କିଲ । ଯେତେ ବିପଦ ପଡ଼ିଲେ ବି, ଗାଡ଼ି ନାଳ ଆରପଟେ ଅଟକେ । ବର୍ଷାଦିନେ ପୁରା ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଉଥିବା ଗାଁଲୋକେ କହିଛନ୍ତି । ଯେତେଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ବି, ସବୁ ପ୍ରତିଶୃତି ପାଣିର ଗାର ବୋଲି ଅଭିଯୋଗ ହେଉଛି । ଲୋକଙ୍କ ସମସ୍ୟାର ଅନ୍ତ କେବେ ହେବ, ତାକୁ ହିଁ ଅପେକ୍ଷା ।