• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକ : ହୃଦଘାତରେ ଜୀବନ ହାରିଲା ନୀରିହ ପଶୁ । ମହାନଦୀ ମୁଣ୍ଡଳି ବ୍ୟାରେଜରେ ବୋଟ୍ ଟ୍ରାଜେଡି ଓ ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ପ୍ରାଥମିକ ରିପୋର୍ଟ ମିଳିଛି । ଆଜି ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ । ମୃତ ହାତୀର ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ କାର୍ଡିଆକ୍ ସକ୍‌ରୁ ବା ହୃଦଘାତ କାରଣରୁ ହାତୀର ମୃତ୍ୟୁ ହୋଇଛି । ହାତୀଟି ଦୀର୍ଘ ସମୟ ଧରି ପାଣିରେ ଅଖିଆ ଅପିଆ ଛିଡ଼ା ହୋଇ ରହିଥିଲା । 

OUAT ପାଥୋଲୋଜି ବିଭାଗ ମୁଖ୍ୟ ଡଃ ସୁଶେନ ପଣ୍ଡାଙ୍କ ସୂଚନା ଅନୁସାରେକାର୍ଡିଆକ୍ ସକ୍ ଯୋଗୁଁ ହାତୀର ମୃତ୍ୟୁ ଘଟିଛି । ଦୀର୍ଘ ସମୟ ପାଣିରେ ରହିବା ଯୋଗୁଁ ହାତୀକୁ ହୃଦଘାତ ହୋଇଛି । ପାଣିରେ ବୁଡ଼ି ହାତୀର ମୃତ୍ୟୁ ହୋଇନି ବରଂ ମୃତ୍ୟୁ ପରେ ହାତୀଟି ପାଣିରେ ବୁଡ଼ି ଯାଇଥିଲା ବୋଲି କହିଛନ୍ତି ଡାକ୍ତର ।ବ୍ୟବଚ୍ଛେଦର ୭୨ ଘଣ୍ଟା ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ଏନେଇ ବ୍ୟବଚ୍ଛେଦ ରିପୋର୍ଟ ସାଲେପୁର ବ୍ଲକ ପଶୁ ସଂପଦ ଅଧିକାରୀ ବନ ବିଭାଗକୁ ଦେଇଛନ୍ତି । ଆଉ ତା’ପରେ ପୋଷ୍ଟମର୍ଟମ ରିପୋର୍ଟ ନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

ମୁଣ୍ଡଳି ଟ୍ରାଜେଡିକୁ ଆଜି ୧୪ ଦିନ ପୂରିଛି । ସେପ୍ଟେମ୍ବର ୨୪ରେ ହାତୀ ପଲ ଆଠଗଡ଼ ଜଙ୍ଗଲରୁ ମହାନଦୀ ଭିତରେ ପଶି ବାଙ୍କୀ ଡମପଡ଼ା ଜଙ୍ଗଲକୁ ୟାଉଥିଲେ । ତେବେ ନଦୀ ପାର୍ ହେବାବେଳେ ଦନ୍ତାହାତୀ ଭାସିଯାଇ ମୁଣ୍ଡଳୀ ବ୍ୟାରେଜ ପାଖରେ ଫସି ରହିଥିଲା । ନଦୀ ଭିତରୁ ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ନଦୀରେ ଓଲଟି ପଡ଼ିଥିଲା ଓଡ୍ରାଫ୍ ବୋଟ୍। ଓଡ୍ରାଫ୍ ଟିମ୍ ସହ ବୋଟରେ ଯାଇଥିବା ଯୁବ ସାମ୍ବାଦିକ ଅରିନ୍ଦମ ଦାସ, ଯବାନ ସୀତାରାମ ମୁର୍ମୁ ଜୀବନ ହାରିଥିଲେ ।