• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି) : ପ୍ରକୁତିର ଉପାସକ ଆଦିବାସୀ । କେତେବେଳେ ପାହାଡ଼ ପର୍ବତକୁ ପୂଜା କରନ୍ତି ତ ଆଉ କେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଆକାଶକୁ । ପୁଣି କେତେବେଳେ ଗଛଳତା ପାଣି ପବନକୁ ପୂଜାର୍ଚ୍ଚନା କରିବାର ଅନେକ ପରମ୍ପରା ରହିଛି । ତେବେ ବର୍ଷା ନେହେଲ ମଧ୍ୟ ଇନ୍ଦ୍ରଦେବଙ୍କୁ ଖୁସି କରିବା ପାଇଁ ପୂଜା କରନ୍ତି ସରଳ ନୀରିହ ଆଦିବାସୀ । ବର୍ଷା ହେବା ଉଦ୍ଦେଶ୍ୟରେ ବଣ ପାହାଡ଼ ଘେରା ଶଗଡ଼ଘାଟ ଗାଁ ଲୋକେ ଡଙ୍ଗର ବୁଢା ବା ବର୍ଣ୍ଣିବୁଢାକୁ ପୂଜା କରୁଛନ୍ତି । ସେମାନଙ୍କ ରୀତିନୀତି ପୂଜାଵିଧି ସବୁ ସ୍ୱତନ୍ତ୍ର ।

ଟିଟିଲାଗଡ଼ ସହର ନିକଟସ୍ଥ ବଣ ଜଙ୍ଗଲ ଘେରା ଶଗଡ଼ଘାଟ ଗାଁ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ହେଲେ ଚଳିତ ବର୍ଷ ଭଲ ବର୍ଷା ନହେବାରୁ ଚିନ୍ତାରେ ପଡ଼ିଛନ୍ତି ସେଠାରେ ରହୁଥିବା ନୀରିହ ଆଦିବାସୀ । ମରୁଡି ପରିସ୍ଥିତି ସୃଷ୍ଟି ହେଲେ ସେମାନେ ବର୍ଷା ପାଇଁ କାହିଁ କେତେ ଯୁଗରୁ ଭରସା କରି ଆସିଛନ୍ତି ବର୍ଣ୍ଣିବୁଢା ଉପରେ। ବର୍ଣ୍ଣିବୁଢାକୁ ପୂଜା କଲେ ବର୍ଷା ହୋଇଥାଏ ବୋଲି ତାଙ୍କ ମନରେ ବିଶ୍ୱାସ ରହିଛି । ଆଉ ଏବେ ବର୍ଷା ନହେବାରୁ ଗାଁରେ ପୂଜା ଆରମ୍ଭ ହୋଇଯାଇଛି ।

ଆଦିବାସୀ ସଂପ୍ରଦାୟର ଲୋକେ ଏକ ବିଶାଳ ଶୋଭାଯାତ୍ରା କରି ୧୦ କିମ ଦୂର ବଣ ପାହାଡ ଘେରା ବର୍ଣ୍ଣିବୁଢା ପୂଜା ପାଉଥିବା ମନ୍ଦିରକୁ ଯାଇଥିଲେ । ବାଜୁଛି ଢୋଲ, ନିଶାନ, ତାଷା, ଆଉ ମୁହୁରିର ତାଳେ ତାଳେ ପଞ୍ଚବାଦ୍ୟ ଗାଁ ଦାଣ୍ଡରେ ଦୁଲୁକି ଉଠୁଥିଲା ।  ହାତରେ ଖଣ୍ଡା, ତରବାରୀ, ଧନୁତୀର ରହି ବେଶ ଧୁମଧାମରେ ବାଦ୍ୟର ତାଳେ ତାଳେ ନାଚ ନାଚି ଆଗକୁ ବଢିଚାଲିଥିଲେ ।

ବର୍ଷା ନ ହେଲେ ମରୁଡି ପଡିଲେ ଗାଁ ଲୋକେ ସମଗ୍ର ପଂଚାୟତ ଲୋକଙ୍କୁ ନେଇ ଗାଁରୁ ୧୦ କିଲୋମିଟର ଜଙ୍ଗଲ ଭିତର ଦେଇ ପୁଣି ଚାରି କିଲୋମିଟର ପାହାଡ଼ କଦଳୀ ଝରଣକୁ ଯାଆନ୍ତି । ସେଇଠି ବାବା ଡ଼ଙ୍ଗରବୁଢା ପୂଜା ପାଇ ଆସୁଛନ୍ତି । ବାବା ଡ଼ଙ୍ଗର ବୁଢାଙ୍କୁ ପୂଜାର୍ଚ୍ଚନା କରିବା ସହ ବୋଦା ବଳି କୁକୁଡ଼ା ବଳି ସହ ଦେଶୀ ରନ୍ଧାମଦ ଅର୍ପଣ କରାଯାଏ । ପରେ ସେଠାରେ ଦିଆରି ଏବଂ ପୂଜାରୀ ଶରୀରକୁ ଡ଼ଙ୍ଗରବୁଢା ପ୍ରବେଶ କରିଥାନ୍ତି । ଆଉ ବର୍ଷା ହେବ ନା ନାହିଁ ସେ ନେଇ ସୂଚନା ଦେଇଥାନ୍ତି ।

ତେବେ ପ୍ରତିଥର ପୂଜାର୍ଚ୍ଚନା ପରେ ଭୋଲେନାଥ ଶିବ ଏବଂ ପାର୍ବତୀଙ୍କୁ ମଧ୍ୟ ପୂଜା କରାଯାଏ । କଦଳୀଝରଣ ଉପରେ ସ୍ୱୟଂ ଭୋଲେନାଥ ଆବିର୍ଭାବ ହୋଇ ଥିବା ବିଶ୍ୱାସ ରହିଛି । ପାହାଡ଼ ଉପରେ ଏକ ଶିବ ଲିଙ୍ଗ ବି ରହିଛି । ସେଠାରେ ମଧ୍ୟ ପୂଜା ପାଠ କରିଥାନ୍ତି । ତେବେ ଏହି କଦଳୀଝରଣ ବା ଡ଼ଙ୍ଗର ବୁଢାଙ୍କ ପୂଜାକୁ ନେଇ କାହିଁ କେଉଁ କାଳରୁ ବିଶ୍ୱାସ ରହିଛି । ଏହି ପୀଠକୁ ଶହ ଶହ ମାତ୍ରାରେ ମହିଳା ପୁରୁଷଠୁ ନେଇ ପିଲାମାନେ ମଧ୍ୟ ଆସି ପୂଜାର୍ଚନା କରିଥାନ୍ତି । ଯାହା ବାସ୍ତବରେ ଏକ ନିଆରା ପରମ୍ପରା ।