• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ) : : ନାହିଁ ନାହିଁରେ ଚାଲିଛି ଥାନା । ଘରର ମୁରବି ନଥିଲେ ଯେଉଁ ଅବସ୍ଥା, ଠିକ୍ ସମାନ ଅବସ୍ଥା । ବାଲେଶ୍ୱରର ତିନୋଟି ପ୍ରମୁଖ ତଥା ସମ୍ବେଦନଶୀଳ ପୋଲିସ ଷ୍ଟେସନରେ ଜିଲ୍ଲାର ଏକମାତ୍ର ଆଦର୍ଶ ଥାନା ସହଦେବଖୁଣ୍ଟା ସହ ଟାଉନ ଥାନାରେ ମାସେରୁ ଅଧିକ ସମୟ ହେଲାଣି ନାହାନ୍ତି ଆଇଆଇସି । ସେହିପରି ମେରାଇନ ଥାନାରେ ବର୍ଷେରୁ ଅଧିକ ହେଲାଣି ଆଇଆଇସି ପଦବୀ ଖାଲି ପଡ଼ିଛି । ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ହୋଇଥିଲା ମେରାଇନ୍ ଥାନା । ହେଲେ ଏଭଳି ଥାନାରେ ମୁରବୀ ନଥିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।

ଡ୍ରଗ୍ସ ବେପାରର ଆଡ୍ଡାସ୍ଥଳୀ ପାଲଟିଛି ବାଲେଶ୍ୱର । ବିଭିନ୍ନ ସମୟରେ ବ୍ରାଉନସୁଗାର, ଗଞ୍ଜେଇ, ମଦ ଆଦି ଏଠାରୁ ଜବତ ସହ ଅପରାଧୀଙ୍କ ଲିଙ୍କ୍ ବାହାରିଛି । ଏପରି ସ୍ଥଳେ ସହରର ତଥା ଜିଲ୍ଲାର ଏକମାତ୍ରା ଆଦର୍ଶ ଥାନାରେ ମାସେ ହେଲାଣି ନାହାନ୍ତି ଆଇଆଇସି । ପୂର୍ବରୁ ଥିବା ଆଇଆଇସିଙ୍କ ପଦୋନ୍ନତି ପରେ ଫାଙ୍କା ପଡିଛି ପଦବୀ । ଆଦର୍ଶ ଥାନାର ଇନସ୍ପେକଟର,ସବ୍-ଇନସ୍ପେକଟର, ଏଏସଆଇ, କନଷ୍ଟେବଲ ଏଭଳି ମୋଟ ୫୨ଜଣ ଷ୍ଟାଫଙ୍କ ବଦଳରେ ୨୧ ଜଣ ଷ୍ଟାଫଙ୍କୁ ନେଇ ଚାଲିଛି ଥାନା । ସେହିପରି ଟାଉନ ଥାନାରେ ବି ସମାନ ଅବସ୍ଥା । ଏଠି ବି ପାଖାପାଖି ମାସେ ବିତିଲାଣି ଇନସପେକ୍ଟରଙ୍କ ବଦଳି ପରେ କେହି ନୂଆ ନିଯୁକ୍ତି ପାଇନାହାନ୍ତି । ଏନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଅସୁରକ୍ଷିତ ମଣୁଥିବା କହିଛନ୍ତି ।

କେବଳ ଦୁଇ ଥାନାର କଥା ନୁହଁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚାନ୍ଦିପୁର ତଟ ସୁରକ୍ଷା ପାଇଁ ବଳରାମଗଡିରେ ହୋଇଥିବା ମେରାଇନ ଥାନା, ଏଠି ଜଣେ ଆଇଆଇସିଙ୍କୁ ମିଶାଇ ୬୩ ଜଣ ଷ୍ଟାଫ ରହିବା ବଦଳରେ ଅଛନ୍ତି ମାତ୍ର ୬ ଜଣ ଷ୍ଟାଫ । ବର୍ଷେରୁ ଅଧିକ ସମୟ ଧରି ନା ଇନ୍ସିପେକ୍ଟର ନା ସବ୍-ଇନିସପେର କେହି ହେଲେ ନାହାଁନ୍ତି । ତେବେ ଏସପି କହିଛନ୍ତି, କିଛି ଜାଗାରେ ପଦବୀ ଖାଲିଥିଲେ ବି ଯିଏ ବି ଅଫିସର-ଇନ-ଚାର୍ଜ ଅଛନ୍ତି, ସେମାନେ ଷ୍ଟ୍ରଙ୍ଗ ମନିଟରିଂ କରୁଛନ୍ତି । ଆଶା କରୁଛି ଶୀଘ୍ର ନିଯୁକ୍ତି ଦିଆଯିବ । କର୍ମଚାରୀ ଅଭାବରୁ ମେରାଇନ୍ ଥାନା ହେଉ କିମ୍ବା ଅନ୍ୟ ଥାନା, ଅପରାଧ ଯେଉଁଭଳି ଭାବେ ବୃଦ୍ଧି ପାଉଛି ସେହି ଅନୁଯାୟୀ ଅତଳିଆ କର୍ମଚାରୀଙ୍କର ଟେନସନ୍ ବଢ଼ିଯାଉଛି ।