• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର, (ରିପୋର୍ଟ- ଅତୁଲ୍ୟ ବାଉତ, କପିଳେନ୍ଦ୍ର ପ୍ରଧାନ, ସୌମ୍ୟରଞ୍ଜନ ସାହୁ): ନିତି ଆୟୋଗ ଇଣ୍ଡେକ୍ସ ଧରାଇଲା ରାଜଧାନୀର ସତ । ଧରାପଡ଼ିଲା ସ୍ମାର୍ଟ ପଛରେ ଲୁଚିଥିବା ରାଜଧାନୀ ଭୁବନେଶ୍ୱର ଅସଲ ଚେହେରା । ନିତି ଆୟୋଗ ଅର୍ବାନ ଇଣ୍ଡେକ୍ସ ରିପୋର୍ଟ ୨୦୨୧-୨୨ ଅନୁଯାୟୀ ଭୁବନେଶ୍ୱରରେ ମହିଳା ଓ ନାବାଳିକା ବିରୋଧୀ ଅପରାଧ ହାର ବେଶ୍ ଚିନ୍ତାଜନକ । ସ୍ୱାସ୍ଥ୍ୟ, ଶିକ୍ଷା ଓ ପରିମଳରେ ବି ବହୁ ପଛରେ ଭୁବନେଶ୍ୱର । ସ୍ମାର୍ଟସିଟିର ସରକାରୀ ବ୍ୟବସ୍ଥା ଓ ସରକାରୀ ଯୋଜନା କେତେ ସ୍ମାର୍ଟ ତାର ଗୁମର ଖୋଲିଛି ଏହି ରିପୋର୍ଟ ।

ନିତି ଆୟୋଗର ଅର୍ବାନ ଇଣ୍ଡେକ୍ସ ରିପୋର୍ଟ ୨୦୨୧-୨୨ ଅନୁଯାୟୀ ଭୁବନେଶ୍ୱରରେ ଅସୁରକ୍ଷିତ ନାବାଳିକା ଓ ମହିଳା । ରାଜଧାନୀରେ ପ୍ରତି ଲକ୍ଷେରେ ୧୭୦ରୁ ଅଧିକ ମହିଳା ବିରୋଧୀ ଅପରାଧ ଘଟୁଥିବା ବେଳେ ୫୫ ନାବାଳିକା ଯୌନ ଅପରାଧର ଶିକାର ହେଉଛନ୍ତି । ପ୍ରତି ଲକ୍ଷେରେ ଘରୋଇ ହିଂସାର ଶିକାର ହେଉଛନ୍ତି ୨୩ ଜଣ । ସେହିପରି ୧୦ ହଜାର ଶିଶୁଙ୍କ ମଧ୍ୟରେ ୯ରୁ ଅଧିକ ଶିଶୁ ନିଖୋଜ ହେଉଥିବା ବେଳେ ପ୍ରତି ଲକ୍ଷେରେ ୧୪ ଜଣ ସାଇବର ଅପରାଧର ଶିକାର ହେଉଛନ୍ତିି । ଅର୍ଥନୈତିକ ଅପରାଧ ବି କିଛି କମ ନୁହେଁ । ଲକ୍ଷେ ଜନସଂଖ୍ୟାରେ ୭୩ରୁ ଅଧିକ ଅର୍ଥନୈତିକ ଅପରାଧର ଶିକାର ହେଉଥିବା ବେଳେ ଦୁର୍ନୀତି ବିରୋଧରେ ଲକ୍ଷେ ଜନସଂଖ୍ୟାରେ ୩ ରୁ ଅଧିକ ମାମଲା ରୁଜୁ ହେଉଛି ।

କେବଳ ଅପରାଧ କି ଦୁର୍ନୀତି ନୁହେଁ ଅନ୍ୟ କ୍ଷେତ୍ର ଉପରେ ବି ନଜର ପକାଇଲେ ଭୁବନେଶ୍ୱରର ସ୍ଥିତି ସଂଘାତିକ । ରାଜଧାନୀରେ ପ୍ରାୟ ୭୪ ପ୍ରତିଶତ ଲୋକଙ୍କ ପାଖରେ ନାହିଁ କୌଣସି ପ୍ରକାର ସ୍ୱାସ୍ଥ୍ୟ ବୀମା । ସେହିଭଳି ରାଜଧାନୀର ପ୍ରାୟ ୫୧ ପ୍ରତିଶତ ମହିଳା ଓ ୫୦ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି ।  ପ୍ରତି ଲକ୍ଷରେ ପ୍ରାୟ ୩୩ ଜଣ ଆତ୍ମହତ୍ୟା କରୁଥିବା ରିପୋର୍ଟରୁ ଜଣାପଡିଛି । ସାରା ରାଜ୍ୟରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସ୍କୁଲର ଉନ୍ନତୀକରଣ ଚାଲୁଥିବା ବେଳେ ଭୁବନେଶ୍ୱର ଚିତ୍ର କିନ୍ତୁ ନୈରାଶ୍ୟଜନକ । ରାଜଧାନୀରେ ୫୭ ପ୍ରତିଶତ ସ୍କୁଲରେ କଂମ୍ପ୍ୟୁଟର ଥିବା ବେଳେ ମାତ୍ର ୨୫ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍ ସୁବିଧା ରହିଛି ।

ସେହିଭଳି ରାଜଧାନୀରେ ଏବେ ବି ୩୩ ଭାଗ ଲୋକ କାଠ ଓ କୋଇଲା ଜାଳି ରୋଷେଇ କରୁଛନ୍ତି । ଏମିତି ସ୍ଥିତି ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ।

ନିତି ଆୟୋଗର ଅର୍ବାନ ଇଣ୍ଡେକ୍ସ ସର୍ଭେରେ ଦେଶର ମୋଟ ୫୬ଟି ସହରକୁ ସାମିଲ କରାଯାଇଥିଲା । ଏହି ତାଲିକାରେ ଓଡ଼ିଶାର କେବଳ ଭୁବନେଶ୍ୱର ସାମିଲ ଥିବା ବେଳେ ଏହାର ରାଙ୍କ ରହିଛି ୪୪ । ଭଲ ପ୍ରଦର୍ଶନ ସହ ସିମ୍ଲା ୧ ନମ୍ବରରେ ରହିଛି ।