• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କରୋନା ପାଇଁ ବର୍ଷେ ହେଲା ସ୍କୁଲ ବନ୍ଦ ।

  • ସେପଟେ ପିଲାଙ୍କ ଶିକ୍ଷାଦାନରେ ସମସ୍ୟା ସାଜିଛି ନେଟୱାର୍କ ।

  • ମୋବାଇଲ ନାହିଁ କି ନେଟୱାର୍କ ନାହିଁ । 

ଭୁବନେଶ୍ୱର: କରୋନା ପାଇଁ ବର୍ଷେ ହେଲା ସ୍କୁଲ ବନ୍ଦ । ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନରେ ପାଠପଢା ବ୍ୟବସ୍ଥା କରିଛନ୍ତି । ହେଲେ ପିଲାଙ୍କ ଶିକ୍ଷାଦାନରେ ସମସ୍ୟା ସାଜିଛି ନେଟୱାର୍କ । ଅଧିକାଂଶ ସ୍ଥାନରେ ମୋବାଇଲ ନେଟୱାର୍କ ଲୁଚକାଳି ଖେଳ ଖେଳୁଛି । ଏଭଳି ସ୍ଥିତିରେ ପାହାଡ଼ ଉପରେ ଆରମ୍ଭ ହୋଇଛି ଅନଲାଇନ୍ ପାଠପଢା ।

ପାହାଡ ସାଜିଛି ସ୍କୁଲ । ଆଉ, ପାହାଡ ଶଯ୍ୟା କ୍ଲାସ ରୁମ୍ । ବଣ ଜଙ୍ଗଲ ଘେରା ପାହାଡ ଉପରେ ଚାଲିଛି ପାଠପଢା । ଉପାନ୍ତ ଅଞ୍ଚଳରେ ଏଭଳି ହେଉଛି ଅନ୍ ଲାଇନ୍ ଶିକ୍ଷାର ଚିତ୍ର । କୋରାପୁଟ କାକିରିଗୁମ୍ମାର ପଞ୍ଚପଟ୍ଟମାଳି ପାହାଡ଼କୁ ୟୁନିଫର୍ମ ପିନ୍ଧି ପିଲା ଯାଉଛନ୍ତି ମୁକ୍ତାକାଶ ବିଦ୍ୟାଳୟରେ ପାଠ ପଢ଼ିବାକୁ । କାରଣ ସେପଟେ କରୋନା ପାଇଁ ବିଦ୍ୟାଳୟରେ ତାଲା ଝୁଲୁଛି । ଗାଁରେ ମୋବାଇଲ୍ ନେଟୱାର୍କ ଅବସ୍ଥା ଦୁର୍ବଳ । ପାଖରେ ସ୍ମାର୍ଟଫୋନ୍ ନାହିଁ । ଏଭଳି ସ୍ଥିତିରେ ସ୍ୱେଚ୍ଛାସେବୀ ସଂସ୍ଥା ଓ୍ୱାର୍ଡ ପକ୍ଷରୁ ପାହାଡ଼ ଉପରେ ଆରମ୍ଭ ହୋଇଛି ଶିକ୍ଷାଦାନ ।

ସେହିଭଳି କୁଚିଣ୍ଡା ଉପକଣ୍ଠ ଜମନକିରା ବ୍ଳକ୍‌ର ଶିରିଡ଼ି ଗାଁ, ଉପାନ୍ତ ଅଂଚଳ । ଏଠି ମୋବାଇଲ ଅନ୍ କଲେ ଘୁରୁଛି ନେଟୱାର୍କ । ଫଳରେ ପିଲାମାନେ ଅନ୍ ଲାଇନ୍ ପାଠ ପଢିବାକୁ ଯାଉଛନ୍ତି ପାହାଡ ଉପରକୁ । ପଢିବା ପାଇଁ ନିଇତି ପାହାଡ ଚଢନ୍ତି ଆଉ ପଢା ସରିବା ପରେ ସଞ୍ଜ ନଇଁବା ପୂର୍ବରୁ ଘରକୁ ଫେରନ୍ତି । ପିଲାଙ୍କ ପାଇଁ ଭରଷା ସାଜିଛନ୍ତି ସ୍କୁଲ୍ ପ୍ରଧାନ ଶିକ୍ଷକ ।

ଠିକ୍ ସେହିଭଳି ରାୟଗଡା ଝୁଞ୍ଜାମଣି ଗାଁର ପାହାଡ ଚଟାଣ ଉପରେ ଚାଲିଛି ପାଠପଢା । ଏଠି ପିଲାଙ୍କ ଶିକ୍ଷାଦାନର ମାଧ୍ୟମ ସାଜିଛନ୍ତି ଜଣେ ଏମବିଏ ଛାତ୍ର । ଯିଏ, ପିଲାଙ୍କୁ ନିଇତି ସାଙ୍ଗରେ ନେଇ ପାହାଡ଼ ଉପରକୁ ଆସନ୍ତି । ଆଉ ନିଜ ଲାପଟପରେ ପାଠ ପଢାଇଥାନ୍ତି । ଗାଁରେ ଅଧିକାଂଶ ଘରେ ସ୍ମାର୍ଟ ଫୋନ୍ ନାହିଁ । ଆଉ ମୋବାଇଲ୍ ଥିଲେ ନେଟୱାର୍କ ନାହିଁ । ଏଭଳି ସ୍ଥିତିରେ ଅନ୍ଲାଇନ୍ ଶିକ୍ଷାରୁ ବଞ୍ଚିତ ପିଲାଙ୍କୁ ପାହାଡ ଉପରକୁ ନେଇ ପାଠ ପଢାଉଛନ୍ତି ।

ସରକାରଙ୍କ ତଥ୍ୟ ଅନୁଯାୟୀ ଏଯାଏଁ ମାତ୍ର ୪୦ ପ୍ରତିଶତ ପିଲାଙ୍କ ପାଖରେ ଅନ୍ ଲାଇନ୍ ଶିକ୍ଷା ପହଞ୍ଚିଛି । ବାକି ୬୦ ଭାଗ ପିଲାଙ୍କ ଭବିଷ୍ୟତ ସହ ଲୁଚକାଳି ଖେଳୁଛି ନେଟ୍ଓ୍ୱାର୍କ । ଏଭଳି ସ୍ଥିତିରେ ପିଲାଙ୍କ ଭବିଷ୍ୟତ ନେଇ ବଡ଼ ପ୍ରଶ୍ନ ଉଠିଛି ।