• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଅନ୍ଧବିଶ୍ୱାସ ନେଲା ନାବାଳକର ଜୀବନ ।

  • ସାପ କାମୁଡ଼ିବାରୁ ଗୁଣିଆକୁ କରିଥିଲେ ଭରସା ।

  • ଡାକ୍ତରଖାନା ନେବା ବେଳେ ନାବାଳକର ହୋଇଛି ମୃତ୍ୟୁ । 

ବାଲେଶ୍ୱର: ଅନ୍ଧବିଶ୍ୱାସ ନେଲା ନାବାଳକର ଜୀବନ । ସାପ କାମୁଡ଼ିବାରୁ ପ୍ରଥମେ ଗୁଣିଆ ଓ ପରେ ଡାକ୍ତରଖାନା ନେବା ବେଳେ ନାବାଳକର ହୋଇଛି ମୃତ୍ୟୁ । ମୃତକ ହେଲେ ମାନସ ଜେନା । ବାଲେଶ୍ୱର ଜିଲ୍ଲା ସୋର ଥାନା ଆଟପୁର ପଞ୍ଚାୟତର ବେଲଦା ଗାଁରେ ଘଟିଛି ଏଭଳି ଘଟଣା । ବୁଧବାର ରାତିରେ ମାନସ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡ଼ିଥିଲା । ତେବେ ପରିବାର ଲୋକେ ମାନସଙ୍କୁ ଗାଁରେ ଥିବା ଗୁଣିଆ ପାଖକୁ ନେଇଥିଲେ । ଗୁଣିଆ ଜଣକ ଭଲ କରିପାରିବନି ବୋଲି କହିବା ପରେ ଆମ୍ବୁଲାନ୍ସରେ ସୋର ମେଡିକାଲକୁ ଆଣିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଡାକ୍ତରଖାନା ନେବାରେ ବିଳମ୍ବ ଯୋଗୁଁ ନାବାଳକର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।

ଏଭଳି ଏକ ସାପ କାମୁଡ଼ା ଖବର ଗତ ଦୁଇ ଦିନ ହେବ ବେଶ ଚର୍ଚ୍ଚାରେ ରହିଥିଲା । ଜଣେ ୯ ବର୍ଷର ନାବାଳିକାକୁ ମାସ ପୂର୍ବରୁ ସାପ କାମୁଡ଼ିଥିଲେ ମଧ୍ୟ ତାଙ୍କ ପରିବାର ଲୋକ ଚିକିତ୍ସା କରାଇନଥିଲେ । ଏନେଇ ଓଟିଭିରେ ଖବର ପ୍ରସାରଣ ପରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ମଂଜୁଳାକୁ ଗତକାଲି ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛି । ମଂଜୁଳାର ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ତୁରନ୍ତ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ଜିଲ୍ଲାପାଳ ।

ସେପଟେ କଟକରେ ତାର ସମସ୍ତ ଚିକିତ୍ସା ବିନା ମୂଲ୍ୟରେ କରାଯିବାକୁ ବନ୍ଦୋବସ୍ତ କରାଯାଇଛି । ଆବଶ୍ୟକସ୍ଥଳେ ତାକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ନବରଙ୍ଗପୁର ବାଲିଝର ଗାଁର ୯ ବର୍ଷର ଝିଅ ମଞ୍ଜୁଳା ମାସେ ତଳେ ଘର ପାଖ ଗଛ କୋରଡ଼ରୁ ପକ୍ଷୀ ଧରୁଥିବା ବେଳେ ସାପଟି ତାକୁ ଚୋଟ ମାରିଥିଲା । ସେହି ଦିନ ଠାରୁ ମଞ୍ଜୁଳା ବିଷଜ୍ୱାଳାରେ ଛଟପଟ ହେଉଥିଲା । ନାଗ ଚୋଟ ମାରିଥିବା ଡାହାଣ ହାତଟି ଫୁଲି ଯାଇ କଳା ପଡ଼ିଯାଇଛି । ତେବେ ଚିକିତ୍ସା ଅଭାବରୁ ତା ହାତ ଏବେ ପଚିବା ଆରମ୍ଭ କଲାଣି ।

ସାପ କାମୁଡ଼ିବା ପରେ ପରିବାର ଲୋକେ ତାକୁ ପ୍ରଥମେ ଉମରକୋଟ, ପରେ ନବରଙ୍ଗପୁର ଓ ତାପରେ କୋରାପୁଟ ମେଡିକାଲକୁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ କୋରାପୁଟର ଡାକ୍ତର । କିନ୍ତୁ ଅର୍ଥ ଅଭାବରୁ ମଂଜୁଳାକୁ ପରିବାର ଲୋକେ ବ୍ରହ୍ମପୁର ନେଇପାରିନଥିଲେ । ସେବେଠାରୁ ସେ ଯନ୍ତ୍ରଣାରେ ଛଟପଟ ହେଉଛି ।