• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଶ୍ରୀମନ୍ଦିର ନଖୋଲଲେ ଅନଶନ ।

  • ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତିଙ୍କ ଚେତାନୀ ।

  • ସେବାୟତମାନଙ୍କ ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି ।

ପୁରୀ: ଅଗଷ୍ଟ ୫ ତାରିଖ ସୁଦ୍ଧା ଶ୍ରୀମନ୍ଦିର ନ ଖୋଲିଲେ ଅନଶନ କରିବେ ବୋଲି ଚେତାନୀ ଦେଇଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି । ତେଣୁ ସେବାୟତମାନଙ୍କ ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳୁଥିବା ଆର୍ଥିକ ସହାୟତାରେ ପରିବାର ପ୍ରତିପୋଷଣ ସମ୍ଭବ ନୁହେଁ ବୋଲି କହିଛନ୍ତି ଦାମୋଦର । ତେଣୁ ତୁରନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ଦାମୋଦର ଦାବି କରିଛନ୍ତି ।

କରୋନା ମହାମାରୀ ପାଇଁ ଚଳିତମାସ ୩୦ ତାରିଖ ଯାଏଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିଛନକ୍ତି ରାଜ୍ୟ ସରକାର । ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଅଗଷ୍ଟ ପ୍ରଥମ ସପ୍ତାହରେ ଛତିଶା ନିଯୋଗ ବୈଠକ ଡାକି ଆଲୋଚନା କରାଯିବ । କୋଭିଡ୍ ନିୟମ ଆଧାରରେ ଶ୍ରୀମନ୍ଦିର ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଆଜି ବିନା ଭକ୍ତରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି । ସେବାୟତମାନେ ରଥ ଟାଣୁଛନ୍ତି । ପ୍ରଥମେ ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ । ପଛରେ ଆସୁଛି କାଳିଆ ଠାକୁରଙ୍କ ନନ୍ଦିଘୋଷ । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ତିନି ଠାକୁର । ଆଜି ପ୍ରତ୍ୟୁଷରେ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ହୋଇଥିଲା । ଏହାପରେ ଗୋପାଳବଲ୍ଲଭ ଓ ଖେଚୁଡି ଭୋଗ ହୋଇଥିଲା । ସେନାପଟା ଲାଗି ପରେ ବାହୁଡା ପହଣ୍ଡି ଆରମ୍ଭ ହୋଇଥିଲା ।

ବାହୁଡା ପହଣ୍ଡି ପାଇଁ ଦିନ ୧୨ଟାରୁ ୨ଟା ୩୦ ମଧ୍ୟରେ ଧାର୍ଯ୍ୟ ହୋଇଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ପହଣ୍ଡି ହୋଇଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନ, ଏହାପରେ ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା ଶେଷରେ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ସେବାୟତଙ୍କ ଗହଣରେ ଟାହିଆ ହଲାଇ ତିନି ଠାକୁରଙ୍କ ପହଣ୍ଡି ଅତ୍ୟନ୍ତ ମନୋରମ ଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନିରଥର ଛେରାପହଁରା କରିବା ପରେ ବଡଦାଣ୍ଡରେ ଗଡିଥିଲା ତିନି ରଥ ।