• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଳି(ବନମାଳୀ ସାହୁ) : ସକ୍ଷମ ଭିନ୍ନକ୍ଷମ । ଜନ୍ମରୁ ଦୁଇ ହାତ ଓ ଗୋଡ଼ ଠିକରେ କାମ କରୁ ନାହିଁ । ହେଲେ ଦୃଢ଼ ମନୋବଳ ଓ ନିଜର ଇଚ୍ଛା ଶକ୍ତି ବଳରେ ସେ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ବରାହଦାମୋଦରପୁର ଗାଁର ଦିବ୍ୟାଙ୍ଗ ହେମନ୍ତ ଦାସ । ଅନ୍ୟ ଉପରେ ବୋଝ ନୋଇ ଆଶାବାଡ଼ି ପାଲଟିଛନ୍ତି । ନିଜେ ପରିଶ୍ରମ କରି ପାଞ୍ଚପ୍ରାଣୀ କୁଟୁମ୍ବ ପୋଷିବା ସହ ପୂରା ପରିବାର ସମ୍ଭାଳୁଛନ୍ତି । ଅଦମ୍ୟ ସାହସ ପାଇଁ ହେମନ୍ତ ଅନ୍ୟ ମାନଙ୍କ ଲାଗି ଉଦାହରଣ ପାଲଟିଛନ୍ତି ।

ରାଜକନିକା ବ୍ଲକ ବରାହା ଦାମୋଦର ପୁର ଗାଁର ହେଛନ୍ତି ହେମନ୍ତ ଦାସ । ଜନ୍ମରୁ ଦିବ୍ୟାଙ୍ଗ । ହାତଗୋଡ଼ ଭଲରେ କାମ କରୁନାହିଁ । ତାଙ୍କ ପକ୍ଷେ ଠିକ ସେ ଚାଲିବା ବି କଷ୍ଟକର । ହେଲେ ବି ସେ ହାରିଯାଇ ନାହାନ୍ତି । କାହା ଆଗରେ ହାତ ନପାତି ନିଜ କାମ ନିଜେ କରୁଛନ୍ତି । ପରିବାର ଚଳାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ବାପା ହେବାର ସ୍ୱାମୀ ହେବାର ପୁଅ ହେବାର କର୍ତ୍ତବ୍ୟ କରୁଛନ୍ତି । ଦୁଇ ପଇସା ରୋଜଗାର କରିବାକୁ ନିଜର ସ୍କୁଟି ସହ ହେମନ୍ତ ଯୋଡ଼ିଛନ୍ତି ଏକ ଟ୍ରଲି । ଯେଉଁ ଥିରେ ପ୍ରତ୍ୟକ ଦିନ ବୁଲି ବୁଲି ଛଣ କୁଟା ଲଦି ବେପାର କରିଥାନ୍ତି । କେବଳ ଛଣ ନୁହେଁ ଇଟା, ଗୋଡି, ରଡ଼, ସିମେଣ୍ଟ ଆଦି ଯାବତୀୟ ଜିନିଷ ବୋହି ମଧ୍ୟ ଦିନକ ୩୦୦ଟଙ୍କା ରୋଜଗାର କରିଥାନ୍ତି । ଦିବ୍ୟାଙ୍ଗ ହେମନ୍ତଙ୍କ ହୃଦୟ ମଧ୍ୟ ବଡ଼ । ରାସ୍ତାଘାଟରେ ମରି ପଡିଥିବା ବୁଲା ଗାଈଗୋରୁ, କୁକୁର ଆଦିକୁ ଗାଡ଼ିରେ ବୋହି ଅନ୍ୟତ୍ର ପକାଇଥାନ୍ତି । କେବଳ ଏତିକି ନୁହେଁ ବାହାରେ କାମ କରିବା ସହ ଘରର ସବୁ କାମ ମଧ୍ୟ କରିଥାନ୍ତି ।

ଦୁଇ ଝିଅ, ପତ୍ନୀ ଓ ମାଙ୍କୁ ନେଇ ହେମନ୍ତଙ୍କ ତେଲ ଲୁଣର ସଂସାର । ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳିଥାଏ । ହେମନ୍ତ ବିଜ୍ଞାନରେ ସ୍ନାତକ କରିଛନ୍ତି । ସେ ଜଣେ ଶିକ୍ଷିତ ଯୁବକ ହୋଇଥିବାରୁ ଦିବ୍ୟାଙ୍ଗଙ୍କ ପ୍ରଶିକ୍ଷଣ ପାଇଁ ଏକ ସ୍ୱେଚ୍ଛାସେବୀ ଭାବେ ଏକ ସ୍କୁଲରେ ଶିକ୍ଷାଦାନ କରିଥାନ୍ତି । ତାଙ୍କର ଏଭଳି କାର୍ଯ୍ୟ ପାଇଁ ଗ୍ରାମବାସୀ ମଧ୍ୟ ପ୍ରଶଂସା କରନ୍ତି । ତାଙ୍କର ଏହି କାହାଣୀ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ ନିଶ୍ଚୟ ।