• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ସରକାରୀ ବାବୁଙ୍କୁ ଭେଟିବା ପରେ ବି ଫଳ ଶୂନ

  • କାହାକୁ କହିବି ମୋ ଦୁଃଖ?

ତେଲକୋଇ: ଯେଉଁଠି ମଣିଷ ରହୁଛନ୍ତି, ସେଇଠି ଗାଇ ବି ରହୁଛନ୍ତି । ନୁଆଁଣିଆ ଚାଳଛପର ଘର ସାଙ୍ଗକୁ ଉପରେ ପଡ଼ିଛି ପଲିଥିନ । ଆଉ ଏହାରି ଭିତରେ ଏକାଠି ରହୁଛନ୍ତି ଗୋଟିଏ ପରିବାର ଓ ତାଙ୍କର ଗୃହପାଳିତ ପଶୁ । ଏଇଠି ରୋଷେଇ ହେଉଛି, ପୁଣି ବାଛୁରୀ ମଧ୍ୟ ରହୁଛି। ହୁଏତ ଏହି ଦୃଶ୍ୟ ଆପଣଙ୍କୁ ବ୍ୟଥିତ କରୁଥିବ । ଆଉ ଆପଣଙ୍କ ମନରେ ପ୍ରଶ୍ନ ବି ଆସିପାରେ କି ସରକାରଙ୍କ ମାଳ ମାଳ ଯୋଜନା ଥାଇ ମଧ୍ୟ ତାହା ଯାଉଛି କୁଆଡ଼େ?

ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ନୁଆଗଡ ଗ୍ରାମର ନିଳାଦ୍ରୀ ପଟ୍ଟନାୟକଙ୍କ ଘରର । ୪ ପ୍ରାଣୀ କୁଟୁମ୍ବକୁ ନେଇ ଏଇ ଘରେ ରହୁଛନ୍ତି ନିଳାଦ୍ରୀ । ବର୍ଷକ ବାରମାସ ଏହି ଘର ଭିତରେ କଟୁଛି ଦିନ। ଗୋଟିଏ ବଖରାରେ ନିଳାଦ୍ରୀଙ୍କ ପରିବାର ଆଉ ଗୋଟିଏ ବଖରାରେ ତାଙ୍କର ଗୃହପାଳିତ ଗାଈ ଗୋରୁ ରୁହନ୍ତି । ଘର ନଥିବା କାରଣରୁ ବେଳେ ବେଳେ ବାଛୁରିକୁ ଘର ଭିତରେ ରଖିବାକୁ ବାଧ୍ୟ ହୋଇଥାନ୍ତି ନିଳାଦ୍ରୀଙ୍କର ପରିବାର । ଆଉ ବର୍ଷା କି କାକର ପଡ଼ିଲେ ଏହି ଘରେ ସୁଆ ବସା ସହ ରୋଷେଇ ମଧ୍ୟ ହୋଇଥାଏ ।

ସରକାରୀ ନିୟମ ଅନୁଯାୟୀ ଯେଉଁ ଗରିବ ଲୋକର ୨୦୧୧ ଏ ସି ସି ସି ତାଲିକାରେ ନାଁ ରହିଥିବ, ତାଙ୍କୁ ସରକାରଙ୍କ ଗ୍ରାମୀଣ ଆବାସ ଯୋଜନାରେ ଘର ମିଳିବ । କିନ୍ତୁ ନିଳାଦ୍ରୀଙ୍କ ନାଁ ତାଲିକାରେ ରହିଥିଲେ ମଧ୍ୟ ଏହି ଯୋଜନାରୁ ସେ ବାଦ ପଡିଛନ୍ତି । ଘରେ ଖଣ୍ଡିଏ ପାଇଁ ସରପଂଚ, ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ, ବି.ଡି.ଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ତାଙ୍କର ଦୁଃଖ ଜଣାଇଛନ୍ତି । କିନ୍ତୁ ସବୁଠି ସେ ନିରାଶ ହୋଇଛନ୍ତି । ଅଭିମାନରେ ନୀଳାଦ୍ରୀ କହିଛନ୍ତି ଯେ, ଯେଉଁ ଆଡ଼େ ଗଲି ସେଇ ଆଡ଼େ ସେଇ ଅବସ୍ଥା । କାହାକୁ କହିବି ମୋ ଦୁଃଖ?

 

ସ୍ଥିତି ଏମିତି ହେଲାଣି ଯେ, ଘରର କାନ୍ଥ ଗୁଡ଼ିକ କେତେବେଳେ ଯେ ଉପରେ ପଡ଼ିଯିବ ତାହା କହିବା ସମ୍ଭବ ନୁହେଁ। ବାରମ୍ବାର ସରକାରୀ ବାବୁଙ୍କୁ ଭେଟିବା ପରେ ବି ଫଳ ଶୂନ । କେତେବେଳେ ଶୋଇବା ଘରେ ସାପ ପଶିଯାଉଛି ତ ଆଉ କେତେବେଳେ ବୁଲା କୁକୁର। ମାର୍ଗଶିର ମାସର ଶୀତ କାକରରେ କେମିତି ପିଲା ଛୁଆଙ୍କୁ ଧରି ଏହି ଘରେ ରହିବୁ ବୋଲି ସେ ପ୍ରଶ୍ନ କରିଛନ୍ତି । ଆଉ କାହାକୁ ଗୁହାରି କରିବୁ ବୋଲି ପ୍ରଶ୍ନ କରିଛନ୍ତି ନୀଳାଦ୍ରୀଙ୍କ ସ୍ତ୍ରୀ । ତେବେ କେବେ ସରକାରୀ ଯୋଜନା ନୀଳାଦ୍ରୀଙ୍କ ପାଖରେ ପହଂଚୁଛି ତାହା ଦେଖିବାକୁ ବାକି ରହିଲା।

ରିପୋର୍ଟର- ତେଲକୋଇରୁ ଚିନ୍ମୟ ସାହୁ