• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଦେଶଦ୍ରୋହ ବା ସେଡିସନ୍ ଆଇନକୁ ନେଇ ଖପ୍ପା ସୁପ୍ରିମକୋର୍ଟ ।

  • କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି ।

  • ବ୍ରିଟିଶ ଅମଳର ଆଇନକୁ ଏବେ ବ୍ୟବହାର କରାଯିବାର ଆବଶ୍ୟକତାକୁ ନେଇ ପ୍ରଶ୍ନ ।

 

ନୂଆଦିଲ୍ଲୀ: ଦେଶଦ୍ରୋହ ବା ସେଡିସନ୍ ଆଇନକୁ ନେଇ ଖପ୍ପା ସୁପ୍ରିମକୋର୍ଟ । ସରକାରୀ ବିରୋଧୀ ସ୍ୱରକୁ ଚପାଇ ଦେବା ଲାଗି ଏହି ଆଇନକୁ ବ୍ୟବହାର କରାଯାଉଥିବା ଅଭିଯୋଗ ମାମଲାର ଶୁଣାଣି କରି କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି । ବ୍ରିଟିଶ ଅମଳର ଆଇନକୁ ଏବେ ବ୍ୟବହାର କରାଯିବାର ଆବଶ୍ୟକତାକୁ ନେଇ କୋର୍ଟ ପ୍ରଶ୍ନ କରିଛନ୍ତି । ଆଟର୍ଣ୍ଣି ଜେନେରାଲ ମଧ୍ୟ ତର୍କରେ ସହମତ ହେବା ସହ ଆଇନର ବ୍ୟବହାରକୁ ସଂକୁଚିତ କରିବା ଲାଗି ନୂଆ ଗାଇଡ୍‌ଲାଇନ୍ ଅଣାଯିବା ସପକ୍ଷରେ ମତ ରଖିଛନ୍ତି । ତେଣେ ୨୦୧୫ରେ ଅବୈଧ ଘୋଷିତ ଆଇଟି ଆଇନ ୨୦୦୦ର 66-A କୁ ଆଉ ବ୍ୟବହାର ନକରିବାକୁ ରାଜ୍ୟମାନଙ୍କୁ କହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।

ଦେଶଦ୍ରୋହ ବା ସେଡିସନ୍ ବିଟ୍ରିଶ ସାମ୍ରାଜ୍ୟବାଦ ଅମଳର ଆଇନ । ସ୍ୱାଧୀନତାର ୭୫ ବର୍ଷ ପରେ ଏହାର ଆବଶ୍ୟକତା ରହିଛି କି ? ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ସ୍ୱାଧୀନତାକୁ ଚପାଇ ଦେଉଥିବା ଦେଶଦ୍ରୋହ ଆଇନକୁ ବ୍ରିଟିଶ ସରକାର ମହାତ୍ମା ଗାନ୍ଧି ଓ ବାଲ୍ ଗଙ୍ଗାଧର ତିଲକଙ୍କ ପରି ସ୍ୱାଧୀନତା ସଂଗ୍ରାମୀଙ୍କ ବିରୁଦ୍ଧରେ ବ୍ୟବହାର କରୁଥିଲା । ତେଣୁ ଏହାକୁ ଆଇନ୍ ବହିରେ ରଖିବା କେତେ ଯଥାର୍ଥ ବୋଲି ପଚାରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଆଇପିସିର ଧାରା ୧୨୪-କ ବା ଦେଶଦ୍ରୋହ ଆଇନର ବହୁଳ ଅପବ୍ୟହାର ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟ ଯାଇଥିଲେ ପୂର୍ବତନ ସେନାଧିକାରୀ ମେଜର ଜେନେରାଲ ଏସ୍‌ଜି ଭୋବାଟ୍‌କେରେ । ଦେଶଦ୍ରୋହ ଆଇନ ସମ୍ବିଧାନ ବିରୋଧୀ ଓ ଏହାକୁ ସିଧାସଳଖ ଉଚ୍ଛେଦ କରାଯିବା ଦରକାର ବୋଲି ସେ ଦର୍ଶାଇଥିଲେ କୋର୍ଟ । ଆବେଦନକାରୀଙ୍କ ଯୁକ୍ତି ଗ୍ରହଣ କରିବା ସହ ସରକାରଙ୍କ ନୀତିକୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପୋଲିସ ଏହି ଆଇନ୍ ଲଗାଇ ଏହାର ଦୁରୁପଯୋଗ କରୁଥିବା କହିଥିଲେ ।

ଖଣ୍ଡେ ପଟା କାଟିବାକୁ ଅନୁମତି ପାଇ ଜଣେ ବଢେଇ ପୁରା ଜଙ୍ଗଲ କାଟିଦେବା ଯାହା ଦେଶଦ୍ରୋହ ଆଇନ ବ୍ୟବହାର ଠିକ୍ ସେଇଆ ବୋଲି ମତ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମନ୍ନା କହିଚନ୍ତି ଏହି ଆଇନ ଦ୍ୱାରା ଅନେକ ଲୋକ ଯାତନାର ଶିକାର ହୋଇଛନ୍ତି । ଏହାର ଦୁରୁପଯୋଗ କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି କୌଣସି ବ୍ୟବସ୍ଥା ନଥିବା ଏବଂ ବହୁ ବ୍ୟକ୍ତିଙ୍କ ବିରୁଦ୍ଧରେ ଏହି ଆଇନ ଲାଗୁ ହୋଇଥିଲେ ମଧ୍ୟ ମାତ୍ର ଅଳ୍ପ କେତେ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହୋଇପାରିଥିବା କହିଛନ୍ତି ପ୍ରଧାନ ବିଚାରପତି । ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ମଧ୍ୟ କୋର୍ଟଙ୍କ କଥାରେ ସହମତି ପ୍ରକାଶ କରିଥିଲେ । ତେବେ ଆଇନକୁ ଉଚ୍ଛେଦ ନକରି ଏହାର ବ୍ୟବହାରକୁ ସଂକୁଚିତ କରିବା ଲାଗି କୋର୍ଟ ନୂଆ ଗାଇଡ୍‌ଲାଇନ ଆଣିପାରିବେ ବୋଲି ସେ ମତ ଦେଇଥିଲେ ।

ମାମଲାର ଶୁଣାଣି ବେଳେ କୋର୍ଟ, ୨ ହଜାର ମସିହାର ଆଇଟି ଆଇନ୍‌ ଧାରା 66-A ର ଉଦାହରଣ ଦେଇଥିଲେ କୋର୍ଟ । ୨୦୧୫ରେ କୋର୍ଟ ଏହି ଆଇନକୁ ଅବୈଧ ଘୋଷଣା କରିଥିଲେ ମଧ୍ୟ ଅନେକ ରାଜ୍ୟରେ ଏବେବି ଆଇନ ବ୍ୟବହାର ହେଉଥିବା ଦର୍ଶାଇ କୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ । ଏହାପରେ ଏହି ଆଇନକୁ ଆଉ ବ୍ୟବହାର ନକରିବା ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ଡିଜିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ।