• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଯୋଜନା ଗଡୁଛି ଗୋଦାମରେ

  • ଫେଲ୍ ମାରିଲାଣି ଛାତ୍ରୀଙ୍କ ପାଇଁ ମାଗଣା ସାନିଟାରୀ ନାପକିନ୍ ଯୋଜନା

  • ସାନିଟାରୀ ନାପକିନ୍ ଛାତ୍ରୀଙ୍କ ନିକଟରେ ପହଞ୍ଚିପାରୁନି

  • ବଣ୍ଟା ନହୋଇ ପଡ଼ିରହିଛି ନାପକିନ୍

ଭଦ୍ରକ(ପାର୍ଥ ସାରଥୀ ନାୟକ ) : ରାଜ୍ୟର ଷଷ୍ଠ ଶ୍ରେଣୀରୁ ମହାବିଦ୍ୟାଳୟ ସ୍ତରର ଛାତ୍ରୀଙ୍କୁ ଯୋଗାଇ ଦିଆଯିବ ମାଗଣା ସାନିଟାରୀ ନାପକିନ୍ । ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଖୁସି’ଯୋଜନା । ହେଲେ ଛାତ୍ରୀଙ୍କ ପାଖରେ ସାନିଟାରୀ ନାପକିନ୍ ପହଞ୍ଚିବା  ଦୂରର କଥା, ବର୍ଷ ବର୍ଷ ଧରି ନୋଡାଲ ସେଣ୍ଟରର ଗୋଦାମରେ ପଡି ଗଡୁଛି । ବାଟବଣା ହୋଇଛି ସରକାରଙ୍କ ଖୁସି ଯୋଜନା ।

ବିଦ୍ୟାଳୟକୁ ଆସୁଥିବା ଛାତ୍ରୀ ମାନଙ୍କ ମଧ୍ୟରେ ସ୍ୱଚ୍ଛତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର "ଖୁସି' ଯୋଜନା ମାଧ୍ୟମରେ ଛାତ୍ରୀ ମାନଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ବଣ୍ଟନ କରାଗଲା । ହେଲେ ସାନିଟାରୀ ନାପକିନ୍, ଛାତ୍ରୀ ମାନଙ୍କ ନିକଟରେ ନପହଞ୍ଚି ବର୍ଷ ବର୍ଷ ଧରି ନୋଡାଲ ସେଂଟରର ଗୋଦାମରେ ଗଡୁଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୧୮ ଫେବୃୟାରୀରେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ଜରିଆରେ ଆରମ୍ଭ କରାଯାଇଥିଲା ‘ଖୁସି’ଯୋଜନା । ଏହି ଯୋଜନା ମାଧ୍ୟମରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିଲା ମାଗଣା ସାନିଟାରୀ ନାପକିନ୍ ।

ବାସୁଦେବପୁର ବ୍ଲକ ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ନେଡାଲ ସେଂଟର ଭାବେ ଚିହ୍ନଟ କରାଯାଇଥିଲା । ଏହି ନୋଡାଲ ସେଂଟରରୁ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଏହି ନାପକିନ୍ ଯୋଗାଇ ଦିଆଯିବାର ଯୋଜନା ରହିଥିଲା । ଯେଉଁଥିପାଇଁ ବାସୁଦେବପୁର ବ୍ଲକର ୧୬୫ଟି ବିଦ୍ୟାଳୟ ସମେତ ୭ଟି ମହାବିଦ୍ୟାଳୟର ଛାତ୍ରୀ ଏହାର ସୁଫଳ ପାଇବେ ବୋଲି ଲକ୍ଷ୍ୟ ରହିଥିଲା । ହେଲେ ଏହି ନାପକିନ୍ ନୋଡାଲ ସେଂଟରରେ ବର୍ଷେରୁ ଉର୍ଦ୍ଧ ସମୟ ଧରି ପଡି ରହିଥିଲେବି ଆଜିଯାଏ ବଂଟାଯାଇ ପାରୁନାହିଁ । ଏହି ନୋଡାଲ ସେଂଟରରୁ ଶେଷଥର ପାଇଁ ୨୦୨୦ମସିହାର ଜୁଲାଇ ମାସରେ ବଂଟା ଯାଇଥିଲା । ଆଉ ୧ଲକ୍ଷ ୪୦ହଜାର ୫୬୨ ଖଣ୍ଡ ବଂଟା ନଯାଇ ପାରି ରହି ଯାଇଥିଲା ।

ଚଳିତ ବର୍ଷ ଜାନୁଆରୀ ଓ ଫେବୃୟାରୀ ମାସରେ ଦୁଇଟି ପର୍ଯ୍ୟାୟରେ ୭ଲକ୍ଷ ୮୧ହଜାର ୧୧୦ଖଣ୍ଡ ନାପ୍କିନ୍ ଆସିଥିଲା । ଯାହା ବଣ୍ଟା ନଯାଇ ରହିଥିବା ବେଳେ, ଚଳିତ ନଭେମ୍ବର ମାସରେ ପୁଣି ୬ଲକ୍ଷ ୪ହଜାର ୮ଶହ ଖଣ୍ଡ ନୂଆ ନାପକିନ୍ ଆସିଛି । ବାସୁଦେବପୁର ନୋଡାଲ ସେଣ୍ଟରରେ ଏବେ ମୋଟ ୧୫ଲକ୍ଷ ୨୬ହଜାର ୪୭୨ଖଣ୍ଡ ନାପକିନ୍ ପଡି ରହିଛି ।

ତେବେ ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ଆମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ଏକ କମିଟି କରିଛୁ । ବାଣ୍ଟିବା ପାଇଁ ଯେଉଁ ଆର୍ଥିକ ସହାୟତାର ଦ୍ଵନ୍ଦ ଥିଲା ତାହା ସମାଧାନ ହୋଇଯାଇଛି । ଖୁବଶୀଘ୍ର ଆମେ ବାଣ୍ଟିବାକୁ ଚେଷ୍ଟା କରାଯିବ । ତେବେ ସରକାରଙ୍କ ଏହି ଯୋଜନା କେବେ କାର୍ଯ୍ୟକାରୀ ହେଉଛି, ତାହାକୁ ଅପେକ୍ଷା ।