• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବରଗଡ଼ରୁ ନବରଙ୍ଗପୁର, ଝାରସୁଗୁଡ଼ାରୁ କୋରାପୁଟ । ପଂଚାୟତ ନିର୍ବାଚନ ପାଇଁ ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାକୁ ନେଇ ଜୋରଦାର ପ୍ରତିବାଦ । ସବୁ ଜିଲ୍ଲାରେ ଦାଖଲ ହୋଇଛି ପୁଳାପୁଳା ଅଭିଯୋଗ । ଅଭିଯୋଗ ଦାଖଲର ଆଜି ଶେଷ ତାରିଖ ଥିବାରୁ ଜିଲ୍ଲା ପଂଚାୟତ କାର୍ଯ୍ୟାଳୟଗୁଡ଼ିକରେ ଲାଗି ରହିଥିଲା ଭିଡ଼ । କେଉଁଠି ତାଲିକା ପ୍ରସ୍ତୁତିରେ ଗଡ଼ବଡ଼ ତ ଆଉ କେଉଁଠି ସଂରକ୍ଷଣ ତାଲିକାରେ ତ୍ରୁଟି ଥିବା ଅଭିଯୋଗ ଆସିଛି ।

ବରଗଡ଼ ଜିଲ୍ଲା ପଂଚାୟତ ଅଫିସ୍‌ରେ ଦାଖଲ ହୋଇଛି ଏଭଳି ୨୦୦ରୁ ଅଧିକ ଅଭିଯୋଗ ପତ୍ର । ବିଶେଷ କରି ପଛୁଆ ବର୍ଗଙ୍କୁ ସଂରକ୍ଷଣରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି । ସମାନ ଅଭିଯୋଗ ନେଇ ଝାରସୁଗୁଡ଼ା ଜିଲ୍ଲା ଓବିସି ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ କରାଯାଇଛି ବିକ୍ଷୋଭ ପ୍ରଦର୍ଶନ । କୋରପୁଟରେ ବି ସମାନ ସ୍ଥିତି । ଜିଲ୍ଲାରେ ୨୯ଟି ଜିଲ୍ଲା ପରିଷଦ ସଦସ୍ୟ, ୧୪ ବ୍ଳକ୍ ଚେୟାରମ୍ୟାନ, ୨୪୦ ପଂଚାୟତ ଥିବା ବେଳେ ୯୯ଟି ଆପତ୍ତି ଅଭିଯୋଗ ଆସିଛି ।

ସେହିପରି ନବବରଙ୍ଗପୁରରେ ଜିଲ୍ଲା କଂଗ୍ରେସ୍ ପକ୍ଷରୁ ସଂରକ୍ଷଣ ଚିଠା ତାଲିକାରେ ତ୍ରୁଟି ଥିବା ଦର୍ଶାଇ ଜିଲ୍ଲା ପରିଷଦ ସଦସ୍ୟଙ୍କ ସଂରକ୍ଷଣ ତାଲିକାରେ ସଂଶୋଧନ କରିବାକୁ ଦାବି ହୋଇଛି । ଆସନ୍ତା ୨୧ ତାରିଖରେ ଜିଲ୍ଲାପାଳମାନେ ସମସ୍ତ ଆପତ୍ତି ଅଭିଯୋଗର ଶୁଣାଣି କରି ସମାଧାନ କରିବା ଲାଗି ଦିନ ଧାର୍ଯ୍ୟ ହୋଇଛି ।

ଏଣେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ଆଜି ପ୍ରକାଶ ପାଇଛି ଚିଠା ସଂରକ୍ଷଣ ତାଲିକା । ପଛୁଆ ବର୍ଗଙ୍କ ପାଇଁ ୪ଟି, ଅନୂସୂଚିତ ଜାତି ପାଇଁ ୪, ଅନୂସୂଚିତ ଜନଜାତି ଲାଗି ୧୦ ଏବଂ ଅଣସଂରକ୍ଷିତ ବର୍ଗ ଲାଗି ୧୨ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରଖାଯାଇଛି । ତେବେ ଗଜପତି ଜିଲ୍ଲାରେ ଗୋଟିଏ ବି ଜିଲ୍ଲା ପରିଷଦ ଆସନ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷିତ ନଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ କିନ୍ତୁ ପଛୁଆ ବର୍ଗ ଲାଗି ସଂରକ୍ଷିତ ରହିଛି । ଅନ୍ୟ କିଛି ସ୍ଥାନରେ ମଧ୍ୟ ତ୍ରୁଟି ହୋଇଥିବା କୁହାଯାଉଛି । ଆସନ୍ତା ୨୬ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ଚୂଡ଼ାନ୍ତ ତାଲିକା ପ୍ରକାଶ କରିବ ପଂଚାୟତିରାଜ ବିଭାଗ । ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ୨୫ ତାରିଖ ସୁଦ୍ଧା ତାହା ସରକାରଙ୍କୁ ଜଣାଇ ହେବ ।

ସରପଞ୍ଚରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପର୍ଯ୍ୟନ୍ତ ପ୍ରକାଶିତ ଚିଠା ସଂରକ୍ଷଣ ତାଲିକାକୁ ନେଇ ବଡ଼ ବିବାଦ ଦେଖାଦେଇଛି । ଏସବୁର ସମାଧାନ କିପରି କରାଯାଇ ପଂଚାୟତ ନିର୍ବାଚନ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।