• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଶାନ୍ତିଶୃଙ୍ଖଳାର ସହ ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ସରିଛି ।

  • ଅପରାହ୍ନ ୫ଟା ସୁଦ୍ଧା ୬୮.୪ ପ୍ରତିଶତ ମତଦାନ ହୋଇଛି ।

  • ୪ଟି ବୁଥ୍‌ରେ ଇଭିଏମ୍ ଅଚଳ ଯୋଗୁଁ ଭୋଟଦାନ କିଛି ସମୟ ଲାଗି ପ୍ରଭାବିତ ହୋଇଥିଲା ।

ପିପିଲି: ଦୁଇ ଦୁଇ ଥର ସ୍ଥଗିତ ପରେ ଶେଷରେ ଆଜି ଶାନ୍ତିଶୃଙ୍ଖଳାର ସହ ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଶେଷ ହୋଇଛି । ନିର୍ବାଚନ କମିଶନ୍‌ଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ୫ଟା ସୁଦ୍ଧା ୬୮.୪ ପ୍ରତିଶତ ମତଦାନ ହୋଇଛି । ୪ଟି ବୁଥ୍‌ରେ ଇଭିଏମ୍ ଅଚଳ ହେବା ଯୋଗୁଁ ଭୋଟଦାନ ପ୍ରକ୍ରିୟା କିଛି ସମୟ ଲାଗି ପ୍ରଭାବିତ ହୋଇଥିଲା । ମତଦାନ ସରିବା ପରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜର ବିଜୟ ନେଇ ବେଶ୍ ଆଶାବାଦୀ ଅଛନ୍ତି। 

ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବାଲାଇନ୍ ହାତରେ ପରିଚୟ ପତ୍ର, ମୁହଁରେ ମାସ୍କ ପିନ୍ଧି ନିଜ ପାଳିକୁ କରିଥିଲେ ଅପେକ୍ଷା । ଗଣତନ୍ତ୍ରର ଏହି ମହାନ ପର୍ବରେ ବେଶ୍ ଉତ୍ସାହର ସହ ସାମିଲ ହୋଇଥିଲେ ଯୁବ, ବୟସ୍କ ଓ ମହିଳା । ଦିବ୍ୟାଙ୍ଗ ଭୋଟର୍ ବି ହୁଇଲ୍ ଚେୟାରରେ ଆସି ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ଦୁଇ ଦୁଇ ଥର ଉପନିର୍ବାଚନ ସ୍ଥଗିତ ପରେ ବି ଭୋଟରଙ୍କ ମଧ୍ୟରେ ଆଗ୍ରହ କମିନଥିଲା । କୋଭିଡ୍ ଗାଇଡଲାଇନ୍ ଅନୁସାରେ ପ୍ରଥମେ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ, ପରେ ଗ୍ଲୋବସ୍ ଦିଆଯାଇଥିଲା । ପରେ ଭୋଟରମାନେ ସାମାଜିକ ଦୂରତ୍ୱ ରଖି ଇଭିଏମ୍‌ରେ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ । ଏଥିଲାଗି ମୋଟ୍ ୩୪୮ଟି ବୁଥ୍ କରାଯାଇଥିବା ବେଳେ ସେଥିମଧ୍ୟରୁ ୨୦ଟି ଥିଲା ଆଦର୍ଶ ବୁଥ୍ ।

ମତଦାନ ପ୍ରକ୍ରିୟା ସକାଳ ୭ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିଥିଲା । ତେବେ ୪ଟି ବୁଥ୍‌ରେ ଇଭିଏମ୍ ଅଚଳ ହେବା ଯୋଗୁଁ ଭୋଟଦାନ ପ୍ରକ୍ରିୟା କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା । ଇଭିଏମ୍ ସଚଳ ହେବାପରେ ସ୍ୱାଭାବିକ ଭାବେ ମତଦାନ ହୋଇଥିଲା । ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି ।

ମୈଦାନରେ ଥିବା ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜ ବୁଥ୍‌ରେ ପହଞ୍ଚି ଭୋଟ୍ ଦେଇଥିଲେ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଚନ୍ଦ୍ରାଦେଇପୁର ପଂଚାୟତର କମାକନ୍ତିଆ ବୁଥ୍‌ରେ ଭୋଟ ଦେଇଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ପାଣିଦୋଳପୁର ବୁଥ୍‌ରେ ମତଦାନ କରିଥିଲେ । ସେ ମାଆ, ଭଉଣୀ, ପତ୍ନୀ ଓ ସଂପର୍କୀୟଙ୍କ ସହ ମତଦାନ କେନ୍ଦ୍ରକୁ ଯାଇଥିଲେ ।

ସେପଟେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ନିଜ ଗାଁ ରେଙ୍ଗଳ ପଂଚାୟତର ଝାରପଡ଼ା ଗାଁର ୫ ନମ୍ବର ବୁଥ୍‌ରେ ଭୋଟ ଦେଇଛନ୍ତି । ସମସ୍ତେ ନିଜ ନିଜର ବିଜୟ ନେଇ ବେଶ୍ ଆଶାବାଦୀ ଅଛନ୍ତି । ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା । ତେବେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଦେହାନ୍ତ ପରେ ପ୍ରଥମେ ଏବଂ କରୋନାର ଦ୍ୱିତୀୟ ଲହର ଯୋଗୁଁ ଦ୍ୱିତୀୟ ଥର ଲାଗି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଆସନ୍ତା ୩ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ତାସହିତ ପିପିଲିବାସୀ ପାଇବେ ନିଜର ନୂଆ ବିଧାୟକ ।