• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: କେନ୍ଦ୍ର ପରେ ଓଡ଼ିଶା କମାଇଲା ପେଟ୍ରୋଲ ଡିଜେଲ୍ ରେଟ୍‌ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବାସୀଙ୍କୁ ଦୀପାବଳି ଉପହାର ପରେ ଓଡ଼ିଶା ସରକାରଙ୍କ ଉପହାର । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କଲେ ରାଜ୍ୟ ସରକାର । ଭାଟ୍‌ ହ୍ରାସ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଟ୍ ହ୍ରାସ ପରେ ନୂଆ ଦର ୫ ତାରିଖ ମଧ୍ୟରାତ୍ରରୁ ଲାଗୁ ହେବ ।

ଗତକାଲି ପେଟ୍ରୋଲ, ଡିଜେଲରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲା କେନ୍ଦ୍ର । ପେଟ୍ରୋଲ ଓ ଡିଜେଲ ଉପରୁୁ କମିଥିଲା ଏକ୍ସସାଇଜ୍ ଡ୍ୟୁଟି । ପେଟ୍ରୋଲ ଦର ୫ ଟଙ୍କା, ଡିଜେଲ ୧୦ ଟଙ୍କା କମ କରାଯାଇଥିଲା । ଡିଜେଲ ଉପରୁ ଏକ୍ସସାଇଜ୍ ଡ୍ୟୁଟି ୧୦ ଟଙ୍କା ହ୍ରାସ ପାଇଥିବା ବେଳେ ପେଟ୍ରୋଲ ଉପରୁ ଏକ୍ସସାଇଜ୍ ଡ୍ୟୁଟି ୫ ଟଙ୍କା ହ୍ରାସ ପାଇଥିଲା । ତେବେ ଗତ ୨୪ ଘଣ୍ଟାରେ ମୋଟ କେନ୍ଦ୍ର ସରକାର ୫ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ଆଉ ରାଜ୍ୟ ସରକାର ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ତଥାପି ଭୁବନେଶ୍ୱରରେ ଏବେ ପେଟ୍ରୋଲ ଦର ୧୦୨ ଟଙ୍କା ଉପରେ ରହିଛି ।

ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ ଦର ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି କମ୍‌ କରିବା ପରେ ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଗତ କିଛିଦିନ ଧରି ଯେଉଁଭଳି ଭାବରେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଥିଲା, ଏନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଗତକାଲି ମଧ୍ୟରାତ୍ରରୁ ପେଟ୍ରୋଲ ୫ ଓ ଡିଜେଲ ୧୦ ଟଙ୍କା କମ୍‌ରେ ଉପଲବ୍ଧ ହୋଇଛି । 

କେନ୍ଦ୍ର ସରକାରଙ୍କ ଏକ୍ସାଇଜ୍ ଡ୍ୟୁଟି କମ୍‌ ନେଇ ଘୋଷଣା ହେବାର କିଛି ଘଣ୍ଟା ପରେ ୯ଟି ବିଜେପି ଶାସିତ ରାଜ୍ୟ ତୈଳ ଦର ଉପରେ ଭ୍ୟାଟ୍‌ କମାଇବା ନେଇ ଘୋଷଣା କରିଛନ୍ତି । ଏହି ୯ଟି ରାଜ୍ୟ ହେଲା- ଆସାମ, ତ୍ରିପୁରା, ମଣିପୁର, କର୍ଣ୍ଣାଟକ, ଗୋଆ, ଉତ୍ତରପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ।

 

ଆସାମ, ତ୍ରିପୁରା, ମଣିପୁର ଓ ଗୋଆରେ କେନ୍ଦ୍ରର ଏକ୍ସାଇଜ୍ ଡ୍ୟୁଟି କମ୍‌ ବ୍ୟତୀତ ପ୍ରତି ଲିଟରକୁ ପେଟ୍ରୋଲ ଓ ଡିଜେଲ ଦର ୭ ଟଙ୍କା ଭାଟ୍‌ କମିଛି । ପ୍ରତି ଲିଟର ପେଟ୍ରୋଲ ଦରରେ ୨ ଟଙ୍କା ଭ୍ୟାଟ୍‌ କମାଇବା ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଖୁବ୍‌ ଶୀଘ୍ର ହିମାଚଳ ପ୍ରଦେଶରେ ପେଟ୍ରୋଲ ଓ ଡିଜେଲ ଦର ଉପରେ ଭାଟ୍‌ କମ୍‌ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି । ସେହିପରି ତ୍ରିପୁରା ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୭ ଟଙ୍କା ଭାଟ୍‌ କମାଇବା ନେଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।