• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଏଥର ବି ପାର୍ବଣକୁ ପାଣିଚିଆ କରିଦେବ ମହାମାରୀ କରୋନା । ନା ଚମକିବ ମେଢ଼, ନା ଝଟକିବ ମଣ୍ଡପ । ମହାମାରୀ ମାଡ଼ରେ ଗତବର୍ଷ ଭଳି ଏଥର ବି ଖାଁ ଖାଁ ଲାଗିବ ଚତୁର୍ଦ୍ଦିଗ । କାରଣ ବିନା ବାଣ ରୋଷଣୀ ସହ ପାର୍ବଣକୁ ନିରାଡମ୍ବର ଭାବେ ପାଳିବା ପାଇଁ ଅକ୍ଟୋବର ଗାଇଡଲାଇନ୍ସରେ ସରକାରଙ୍କ କଡ଼ା ନିର୍ଦ୍ଦେଶ  ରହିଛି ।

ପାର୍ବଣର ଆଗମନ ପୂର୍ବରୁ ସଂକ୍ରମଣର ଭୟ ଓ ଆଶଙ୍କା । ଗତବର୍ଷ ଭଳି ଏଥର ବି କୋପ ଦେଖାଇପାରେ ମହାମାରୀ । ସତର୍କ ଆଉ ସାବଧାନ ନହେଲେ, ବିଗିଡ଼ିପାରେ ସ୍ଥିତି । ରାଜ୍ୟ ସରକାରଙ୍କ ଏଭଳି ସତର୍କବାଣୀ ସହ ଆଜିଠୁ କଡ଼ା କଟକଣା ପରେ ବ୍ୟବସାୟୀଙ୍କ ଛାତିରେ ପଶିଛି ଛନକା । ଫାଷ୍ଟଫୁଡ୍ ହେଉ କି ଚାଟ୍, ଗୁପ୍‌ଚୁପ୍ ହେଉ କି ଦହିବରା, ଅନ୍ୟଦିନ ଅପେକ୍ଷା ପାର୍ବଣରେ ଭଲ ରୋଜଗାର କରିବାର ସୁବର୍ଣ୍ଣ ସୁଯୋଗ ପାଇଥାନ୍ତି ଏହି ଚଟ୍‌ପଟା ଖାଦ୍ୟ ବ୍ୟବସାୟୀ । ବର୍ଷକୁ ଥରେ ଭଲ ଆୟ କରନ୍ତି ଏହି ଛୋଟ ଛୋଟ ବ୍ୟବସାୟୀମାନେ । ହେଲେ ଅକ୍ଟୋବର ଗାଇଡଲାଇନ୍ ବିଗାଡ଼ି ଦେଇଛି ସବୁକିଛି । ସହରାଞ୍ଚଳ ସମେତ ଟୁଇନ୍‌ସିଟିରେ ନାଇଟ୍‌କର୍ଫ୍ୟୁ ଅବଧିକୁ ବଢ଼ାଇ ଦେଇଛନ୍ତି ରାଜ୍ୟ ସରକାର । ତେଣୁ ପାର୍ବଣର ରାତ୍ରକାଳୀନ ମଉଜ ଭିତରେ ଦୁଇ ପଇସା ରୋଜଗାରର ଆଶା ରଖିଥିବା ବ୍ୟବସାୟୀଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି ।

ପୁରୁଣା ଭୁବନେଶ୍ୱରର ଟିକମ ମହାପାତ୍ରଙ୍କ ବପା କହିଛନ୍ତି ଜେଜେ ବାପା ଅମଳରୁ ତାଙ୍କ ପରିବାର ଜାରି ରଖିଛନ୍ତି ବାଣ ତିଆରି ସହ ବ୍ୟବସାୟ । ଦୁର୍ଗାପୂଜା ହେଉ କି ରାବଣପୋଡ଼ି, ଦୀପାବଳି ହେଉ କି ବିବାହ ଆଦି କାର୍ଯ୍ୟକ୍ରମ, ବହୁତ ଡିମାଣ୍ଡରେ ତାଙ୍କ ହାତ ତିଆରି ବାଣ । କିନ୍ତୁ ଗତବର୍ଷଠୁ କରୋନା ତାଙ୍କର ଏହି ବେଉଷାରେ ବେଡ଼ି ପକାଇବା ପରଠୁ ବଦଳି ଯାଇଛି ତାଙ୍କ ପେଶାର ରୂପରେଖ । ଏବେ ବାଣ ତିଆରି ଛାଡ଼ି ମୂର୍ତ୍ତି କାରିଗର ସାଜିଛନ୍ତି ଏହି ସରକାରୀ ସ୍ୱୀକୃତିପ୍ରାପ୍ତ ବାଣ କାରିଗର । କେବଳ ଟିକମ ମହାପାତ୍ର ନୁହଁନ୍ତି, ଦ୍ୱିତୀୟ ଶିବକାଶୀ କୁହାଯାଉଥିବା ଖୋର୍ଦ୍ଧା ଜିଲ୍ଲା ଜଟଣୀ ହେଉ କିମ୍ବା କଟକ ସାଲେପୁରର ରାଘବପୁର ଗାଁ ହେଉ । ଏଥରକୁ ମିଶାଇ ଦୁଇ ବର୍ଷ ହେଲାଣି ସାଂଘାତିକ କ୍ଷତିଗ୍ରସ୍ତ ହେବାକୁ ପଡୁଛି ଏଠିକାର ବାଣ ବ୍ୟବସାୟୀଙ୍କୁ । ତେଣୁ ବାଣକୁ କଟକଣାମୁକ୍ତ କରିବାକୁ ଦାବି କରିଛନ୍ତି ସମସ୍ତେ ।

ଏଣେ ପାର୍ବଣ ପୂର୍ବରୁ ଚେତାଇ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଭିଡ଼ କଲେ ଏବଂ ଅଧିକ ସମୟ ବାହାରେ ଏକାଠି ରହିଲେ ସଂକ୍ରମଣ ବୃଦ୍ଧିକୁ ଏଡାଇ ଦିଆଯାଇନପାରେ । ତେଣୁ ପାର୍ବଣରେ ଘରୁ ବାହାରିବା ଅନୁଚିତ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅପରପକ୍ଷେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମିଥିଲେ ବି ଆଶ୍ୱସ୍ତି ଆଣିପାରିନି । ତେଣୁ ପାର୍ବଣକୁ ନଜଗିଲେ ସ୍ଥିତି ବିଗିଡ଼ିପାରେ ବୋଲି ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ପାର୍ବଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ଅକ୍ଟୋବର ୧୧ରୁ ୨୦ ତାରିଖ, ରାତି ୮ଟାରୁ ସକାଳ ୫ ଯାଏଁ ଏବଂ ଅନ୍ୟ ପୌରାଞ୍ଚଳରେ ନାଇଟ୍ କର୍ଫ୍ୟୁ ପୂର୍ବଭଳି ରାତି ୧୦ରୁ ସକାଳ ୫ ଯାଏଁ ବଳବତ୍ତର ରହିବ ।