• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାଜ୍ୟରେ ମହାବିପତ୍ତି ଭାବେ ଉଭା ହେଲାଣି ବଜ୍ରପାତ ।
     

  • ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ଓଡ଼ିଶା ଆଗରେ ।

     

  • ବର୍ଷକ ଭିତରେ ବଜ୍ରପାତ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ।

ଭୁବନେଶ୍ୱର: ରାଜ୍ୟରେ ମହାବିପତ୍ତି ଭାବେ ଉଭା ହେଲାଣି ବଜ୍ରପାତ । ଏମିତିକି ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ସବୁଠୁ ଆଗରେ ବି ଓଡ଼ିଶା । କେବଳ ସେତିକି ନୁହେଁ ଗଲା ବର୍ଷକ ଭିତରେ ରାଜ୍ୟରେ ବଜ୍ରପାତ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ବି ଚିନ୍ତାର କାରଣ ପାଲଟିଛି । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୩ କିଶୋର କିଶୋରୀଙ୍କ ସହ ୫ ଜଣଙ୍କର ମୃତ୍ୟୁ ହୋଇଛି । 

ମୟୂରଭଞ୍ଜ ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୁଆ ଶୋଳ ଗାଁର ତିନି ଜଣ ନାବାଳକ ଛେଳି ଚରାଇବାକୁ ଯାଇଥିଲା ବେଳେ ବର୍ଷା ହୋଇଥିଲା । ଫଳରେ ସେମାନେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ । ଆଉ ଏହି ସମୟରେ ଗଛ ଉପରେ ବଜ୍ର ପଡ଼ିବାରୁ ୮ଟି ଛେଳି ସହ ଅକାଳରେ ଝଡ଼ି ଯାଇଥିଲା ସମସ୍ତଙ୍କ ଜୀବନ । ସେହିଭଳି ଢେଙ୍କାନାଳ ପରଜଙ୍ଗ ମହୁଲିଆପଶି ଗାଁରେ ବଜ୍ରାଘାତରେ ଜଣଙ୍କର ଜୀବନ ଯାଇଛି । 

ବିଗତ କିଛି ବର୍ଷ ଧରି ରାଜ୍ୟରେ ମହାବିପତ୍ତି ଭାବେ ଉଭା ହୋଇଛି ବଜ୍ର ବିପତ୍ତି । କ୍ଲାଇମେଟ୍ ରେଜିିଲିଏଣ୍ଟ ଅବଜର୍ଭିଂ ସିଷ୍ଟମ୍ ପ୍ରମୋସନ୍ କାଉନ୍ସିଲ୍- CROPC ଦ୍ୱାରା ପ୍ରସ୍ତୁତ ୨୦୨୦-୨୧ ବାର୍ଷିକ ରିପୋର୍ଟ ଅନୁଯାୟୀ ଓଡ଼ିଶା ହେଉଛି ଦେଶର ସର୍ବାଧିକ ବଜ୍ରପାତ ପ୍ରବଣ ରାଜ୍ୟ । ଆହୁରି ଚିନ୍ତାଜନକ କଥା ହେଉଛି ବର୍ଷକ ଭିତରେ ରାଜ୍ୟରେ ବଜ୍ରପାତ ପରିମାଣ ୩୭ ପ୍ରତିଶତ ବଢ଼ିଛି ।

ରିପୋର୍ଟ ଅନୁଯାୟୀ ୨୦୧୯-୨୦ ବର୍ଷରେ ରାଜ୍ୟରେ ୧୪ ଲକ୍ଷ ୨୦ ହଜାର ବଜ୍ରପାତ ସଂଘଟିତ ହୋଇଥିଲା । ୨୦୨୦-୨୧କୁ ଏହା ୨୦ ଲକ୍ଷ ୪୩ ହଜାରକୁ ବଢ଼ିଛି । ଆଇଏମ୍‌ଡି ସୂଚନା ଅନୁଯାୟୀ ବାରିପଦା, ଭୁବନେଶ୍ୱର, ଝାରସୁଗୁଡ଼ା, ଗୋପାଳପୁର, କଟକ, ଟିଟିଲାଗଡ଼, ସମ୍ବଲପୁର, ପୁରୀ, ବଲାଙ୍ଗିର ଓ ବ୍ରହ୍ମପୁର ଭଳି ସ୍ଥାନ ରାଜ୍ୟର ସବୁଠୁ ବଜ୍ରପାତ ପ୍ରବଣ ଅଞ୍ଚଳ । ତେବେ କିଛି ବର୍ଷ ଧରି ରାଜ୍ୟରେ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା କାରଣରୁ ବଜ୍ରପାତ ସଂଖ୍ୟା ବଢ଼ିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମିଥିବା କୁହାଯାଉଛି । ୨୦୧୯-୨୦ ବର୍ଷରେ ବଜ୍ରପାତରେ ୨୦୭ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୦୨୦-୨୧ରେ ଏହା ୧୫୬କୁ କମିଛି ।

ଏସ୍‌ଆର୍‌ସି ପ୍ରଦୀପ ଜେନା ମଧ୍ୟ ଟ୍ୱିଟ୍‌ କରି  ବଜ୍ରପାତ ଜନିତ ମୃତ୍ୟୁ ରୋକିବାକୁ ସ୍କୁଲ, କଲେଜ୍, ହସ୍ପିଟାଲ୍, ବଡ଼ ବ଼ଡ କୋଠା ଆଦିରେ ଲାଇଟ୍‌ନିଂ ଆରେଷ୍ଟର ଲଗାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି । ତେବେ ବଜ୍ରପାତ ଭଳି ବିପତ୍ତିକୁ ରୋକିବା ପାଇଁ ବ୍ୟାପକ ଜନସଚେତନତା ଉପରେ ଜୋର୍ ଦେଇଛନ୍ତି ଆଇଏମ୍‌ଡି ଡିଜି ।

କେବଳ ଓଡିଶା ନୁହେଁ ସାରା ଦେଶରେ ବି ବଡ଼ ପ୍ରାକୃତିକ ବିପତ୍ତି ଭାବେ ଉଭା ହେଲାଣି ବଜ୍ରପାତ । ଗତକାଲି ଉତ୍ତର ଓ ପଶ୍ଚିମ ଭାରତରେ ବଜ୍ରପାତର ତାଣ୍ଡବ ତାର ବଡ଼ ଉଦାହରଣ । କାଲି ଗୋଟିଏ ଦିନରେ ବଜ୍ରପାତରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୭୮ ଜଣଙ୍କ ଜୀବନ ଯାଇଛି । ସବୁଠୁ ବଡ଼ କଥା ହେଉଛି ଗଲା ୫୦ ବର୍ଷରେ ଦେଶରେ ବଜ୍ରପାତ ମୃତ୍ୟୁ ସଂଖ୍ୟାରେ ଦୁଇଗୁଣା ବୃଦ୍ଧି ଘଟିଛି ୧୯୬୮ରୁ ୨୦୧୯ ଭିତରେ । ବଜ୍ରପାତରେ ବର୍ଷକୁ ହାରାହାରି ହଜାରେ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ କେବଳ ୨୦୧୯ ବର୍ଷରେ ଦେଶରେ ୨ ହଜାର ୮୭୬ ଜଣଙ୍କ ମୃତ୍ୟୁ ହୋଇଛି ।