• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ମାନ୍ୟତା ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

  • ରାଜ୍ୟମାନଙ୍କୁ ନିଜସ୍ୱ ଓବିସି ତାଲିକା ପ୍ରସ୍ତୁତ କରିବାର ମିଳିଛି ଅଧିକାର ।

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପରେ ସମ୍ବିଧାନ ସଂଶୋଧନ କରି ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ମାନ୍ୟତା ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଯାହାଦ୍ୱାରା ରାଜ୍ୟମାନଙ୍କୁ ନିଜସ୍ୱ ଓବିସି ତାଲିକା ପ୍ରସ୍ତୁତ କରିବାର ମିଳିଛି ଅଧିକାର । ହେଲେ ଏହାକୁ ନେଇ ସରଗରମ ହୋଇଛି ରାଜନୀତି । ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ସହ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କୁ ମିଶାଇ ସମୁଦାୟ ସଂରକ୍ଷଣ ସୀମା ୫୦ ପ୍ରତିଶତ ପାଇଁ ଥିବା ପ୍ରତିବନ୍ଧକ ହଟାଇବା ଦାବିରେ ଆଜି ବିଜେଡି ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଯାହାକୁ ବିଜେପି ଶ୍ରେୟ ରାଜନୀତି ବୋଲି ଆକ୍ଷେପ କରିଛି ।

କାରଣ ବିଜେଡି ଫୋକସ୍‌ରେ ପଛୁଆବର୍ଗ । ଏହି ବର୍ଗଙ୍କ ଭୋଟ୍ ବ୍ୟାଙ୍କ ହାତରେ ରଖିବାକୁ ଦଳର ଭରପୁର ପ୍ରୟାସ ଯାହାକି ପୁଣି ସ୍ପଷ୍ଟ ହୋଇଛି ଆଜିର ଏହି ଘଟଣାରୁ । ବିଜେଡି ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟି ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ପାଇଁ ଦେଇଛନ୍ତି ଦାବିପତ୍ର । ଜାତିଭିତ୍ତିକ ଜନଗଣନା ହେଲେ ରାଜ୍ୟରେ ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ ଓ ସେହି ଅନୁସାରେ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇ ପାରିବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି ।

ତାସହ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କୁ ମିଶାଇ ସମୁଦାୟ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ କରିବା ନେଇ ସୁପ୍ରିମକୋର୍ଟଙ୍କ ପ୍ରତିବନ୍ଧକ ରହିଥିବା ବେଳେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଆଇନ୍ ଆଣି ରାଜ୍ୟମାନଙ୍କୁ ପଛୁଆବର୍ଗ ଚିହ୍ନଟ ଓ ତାଲିକା ଜାରି କରିବା ସହ ସଂରକ୍ଷଣ ସୀମା ୫୦ ପ୍ରତିଶତ ଉପରକୁ କରିବା ପାଇଁ କ୍ଷମତା ପ୍ରଦାନ କରାଯାଉ ବୋଲି ବି ଦାବି କରିଛନ୍ତି ବିଜେଡି ସାଂସଦ । ଗୃହମନ୍ତ୍ରୀ ସେମାନଙ୍କ ଦାବି ଶୁଣିଛନ୍ତି ଓ ଏନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିବା ସୂଚନା ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ।

ସେପଟେ ବିଜେପି ଏନେଇ ରଖିଛି କଡ଼ା ପ୍ରତିକ୍ରିୟା, ସାଂସଦ ସୁରେଶ ପୂଜାରୀ କହିଛନ୍ତି ପୂର୍ବରୁ ବହୁବାର ବିଜୁ ଜନତା ଦଳ କେନ୍ଦ୍ର ସରକାରରେ ଅଂଶୀଦାର ଥାଇ ବି କେବେ ପଛୁଆବର୍ଗଙ୍କ କଥା ଚିନ୍ତା କରିନି । ସ୍ୱାଧୀନତାର ୭୫ବର୍ଷ ପରେ ମୋଦି ସରକାର ଯେତେବେଳେ ସମ୍ବିଧାନର ୧୨୭ତମ ସଂଶୋଧନ କରି ପଛୁଆବର୍ଗଙ୍କୁ ସାମ୍ବିଧାନିକ ମାନ୍ୟତା ଦେଲେ, ସେତେବେଳେ ଶ୍ରେୟ ନେବାକୁ ଏହା ଏକ ପ୍ରତିଯୋଗିତା ।

ସେହିଭଳି ପଛୁଆବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ଆଜି ରାଜ୍ୟସଭାରେ ମୁହାଁମୁହିଁ ହୋଇଥିଲେ ବିଜେଡି-ବିଜେପି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଓବିସି ସଂରକ୍ଷଣ ଯୁକ୍ତିର ସିଧାସଳଖ କାଉଣ୍ଟର କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରସନ୍ନ କହିଥିଲେ ଜାତି ଭିତ୍ତିକ ଜନଗଣନା ହେଲେ, ଯେଉଁ କାରଣ ଦର୍ଶାଇ କୋର୍ଟ ଓବିସି ସଂରକ୍ଷଣ ଆଇନକୁ ଅସିଦ୍ଧ ଘୋଷଣା କରୁଛନ୍ତି ସେଥିରୁ ମୁକ୍ତି ମିଳିବ । ଏନେଇ ଆମେ ହାଇକୋର୍ଟ ଯାଇଥିଲୁ, ହେଲେ ନ୍ୟାୟାଳୟ ତାକୁ ଖାରଜ କରିଦେଇଥିଲେ । ଜବାବରେ ଧର୍ମେନ୍ଦ୍ର କହିଥିଲେ, ଯଦି ୨୦୧୪ ମସିହାରେ ହାଇକୋର୍ଟ ଆବେଦନ ଖାରଜ କଲେ, ତାହାଲେ ସୁପ୍ରିମକୋର୍ଟରେ କାହିଁକି ଗଲେନି ।

ରାଜ୍ୟରେ ପଛୁୁଆବର୍ଗଙ୍କ ଭୋଟ୍ ବ୍ୟାଙ୍କ ହାତମୁଠାରେ ରଖିବାକୁ ବିଜେଡି ବହୁ ଆଗରୁ ଯୋଜନା ଚଳାଇଛି । ଏମିତିକି ୨୦୨୧ ଫେବ୍ରୁଆରୀରେ ହେବାକୁ ଥିବା ସାଧାରଣ ଜନଗଣନା ସହ ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରି ବିଧାନସଭାରେ ପ୍ରସ୍ତାବ ପାରିତ କରି କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଥିଲା । ହେଲେ କେନ୍ଦ୍ର ଏହାକୁ ଅଗ୍ରାହ୍ୟ କରିବା ପରେ, ରାଜ୍ୟ ସରକାର ସାମାଜିକ, ଆର୍ଥିକ ଓ ଶିକ୍ଷା ସ୍ଥିତି ନେଇ ଗତ ମେ ପହିଲାରୁ ନିଜସ୍ୱ ସର୍ଭେ କରିବାକୁ ସ୍ଥିର କରିଥିଲେ । ଜଷ୍ଟିସ୍ ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଓବିସି କମିଶନ୍ ମଧ୍ୟ ଗଠନ ହୋଇ ରୋଡ୍‌ମ୍ୟାପ୍ ପ୍ରସ୍ତୁତ ହୋଇଥିଲା । କିନ୍ତୁ କୋଭିଡ୍ କାରଣରୁ ତାହା ଆଗେଇ ପାରିନି ।