• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

 କୋରାପୁଟ: ଅନ୍ଧାରରେ ଚାଲିଛି ରୋଗୀଙ୍କ ଚିକିତ୍ସା । କେଉଁ ବେଡ୍‌ରେ ଗର୍ଭବତୀଙ୍କ ଚିକିତ୍ସା ତ କେଉଁ ବେଡ଼ରେ ଶିଶଙ୍କୁ ଚିକିତ୍ସା କରାଯାଉଛି । ଦୀର୍ଘ ୬ ଘଣ୍ଟା ଧରି ବିଦ୍ୟୁତ କାଟ ହୋଇଥିବାବେଳେ ଟର୍ଚ୍ଚ ଲାଇଟରେ ଜାରି ରହିଥିଲା ଚିକିତ୍ସା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ । ଗତକାଲି ବିଦ୍ୟୁତ କଟିଯିବା ପରେ ଏପରି ଚିକିତ୍ସା ଜାରି ରହିଥିଲା । ଏମିତିକି ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସ ଚିକିତ୍ସା କରୁଥିବା ଦେଖିବାକୁ ମିଲିଛି । ମେଡିକାଲରେ ଏଭଳି ସ୍ଥିତି ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ବିଦ୍ୟୁତ ବିଭ୍ରାଟ ହେଲେ ଚିକିତ୍ସା ପାଇଁ ଜେନେରେଟର ବ୍ୟବସ୍ଥା ଥିଲେ ବି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ଅବହେଳା ଯୋଗୁଁ ତାହା କାର୍ଯ୍ୟକାରୀ ନ ହୋଇ ପଡିରହିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଗୋଟିଏ ପଟେ ରାଜ୍ୟ ସରକାର ଉତ୍ତମ ସ୍ୱାସ୍ଥ୍ୟ ସେବା ସହ ମାଗଣା ସ୍ୱାସ୍ଥସେବା ଯୋଗାଇ ଦେଉଥିବା ନାରା ଦେଉଥିବା ବେଳେ ଏଠାରେ ସରକାର କେତେ ପାରିବା ପଣିଆ ତାହା ସ୍ପଷ୍ଟ ହୋଇଛି । ସରକାରଙ୍କ ପ୍ରଚାର ଯେମିତି କାମ ଠିକ୍‌ ଏହାର ବିପରିତ ବୋଲି ସ୍ଥାନୀୟ ଲୋକ ଏଭଳି ଘଟଣା ପରେ ଅଭିଯୋଗ କରିଛନ୍ତି । ତେବେ ଏହି ଗୋଟିଏ ମେଡିକାଲ ନୁହେଁ, ରାଜ୍ୟରେ ଅନେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ଯେଉଁଠି ଡାକ୍ତର ତ ଦୂରର କଥା ଡାକ୍ତରଖାନାରେ ଚିକିତ୍ସା ସାମଗ୍ରୀ ବି ନାହିଁ । ସେହି ଡାକ୍ତରଖାନାଗୁଡ଼ିକ ଭଗବାନଙ୍କ ଭରସାରେ ଚାଲିଥିବା ଲୋକେ କୁହନ୍ତି ।

ଏମିତିକି ବିଭିନ୍ନ ସ୍ଥାନରେ ଫାର୍ମାସିଷ୍ଟଙ୍କ ଅଧିନରେ ପୁରା ଡାକ୍ତରଖାନା ଚାଲୁଥିବା ଦେଖାଯାଇଛି । ଏହି ସବୁ ସ୍ଥାନମାନଙ୍କରେ ଫାର୍ମାସିଷ୍ଟ ହିଁ ସବୁ କିଛି ବୋଲି କୁହାଯାଏ । ସେ ରୋଗୀଙ୍କ ପରୀକ୍ଷା ନିରୀକ୍ଷା ସହ ରୋଗୀଙ୍କ ସମ୍ପୂର୍ଣ୍ଣ ଚିକିତ୍ସା କରିଥାନ୍ତି । ଏହାସହ ଔଷଧ ମଧ୍ୟ ଦେଇଥାନ୍ତି । ସାଧା କାଗଜରେ ପ୍ରେସ୍‌କ୍ରିପ୍‌ସନ୍‌ ମଧ୍ୟ ଲେଖିଥାନ୍ତି । 

ତେବେ ଆଜି କୋରାପୁଟ ବୈପାରୀଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଏହି ଘଟଣା ସ୍ଥାନୀୟ ଲୋକଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଏହି ଘଟଣା ଘଟିଛି । ଏଭଳି ଅବ୍ୟବସ୍ଥା ସ୍ଥାନୀୟ ଲୋକଙ୍କ ଦେହସୁଆ ହୋଇଗଲାଣି ବୋଲି ଲୋକେ କହିଛନ୍ତି ।