• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ ।

  • ସମୁଦ୍ରତଟରେ ହେବ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ।

  • ମିଳିବ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ଆଲକୋହଲ ଯୁକ୍ତ ପାନୀୟ, ମ୍ୟୁଜିକ୍ ସାଙ୍ଗକୁ ମନୋରଂଜନର ଅନ୍ୟାନ୍ୟ ସୁବିଧା ।

ଭୁବନେଶ୍ୱର: ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଯେଉଁଠି ମିଳିବ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ଆଲକୋହଲ ଯୁକ୍ତ ପାନୀୟ, ମ୍ୟୁଜିକ୍ ସାଙ୍ଗକୁ ମନୋରଂଜନର ଅନ୍ୟାନ୍ୟ ସୁବିଧା । ଘରୋଇ ସଂସ୍ଥାମାନେ ଏସବୁ ବାର ପରିଚାଳନା ଦାୟିତ୍ୱରେ ରହିବେ । ତେବେ ଓଟିଡିସି ସମସ୍ତ ଆନୁସଂଗିକ ସୁବିଧା ଯୋଗାଇ ଦେବ ।

ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା, ଉତ୍ତାଳ ତରଙ୍ଗର ଘୁ ଘୁ ଗର୍ଜନ ଓ ପ୍ରକୃତିର ମନୋରମ ପରିବେଶରେ ରଙ୍ଗୀନ ହେବ ରାତି । ଗୋଆ ଭଳି ଓଡ଼ିଶାରେ ବି ଏଣିକି ବେଳାଭୂମିରେ ବସି ଆଲକୋହଲ ଯୁକ୍ତ ପାନୀୟର ମଜ୍ଜା ନେଇପାରିବେ ପର୍ଯ୍ୟଟକ । ମନୋରଂଜନର ଅନ୍ୟାନ୍ୟ ବ୍ୟବସ୍ଥା ସାଙ୍ଗକୁ ମିଳିବ ନିଜ ନିଜର ପସନ୍ଦ ମୁତାବକ ସୁସ୍ୱାଦୁ ଖାଦ୍ୟ ।

ରାଜ୍ୟର ୬ଟି ବେଳାଭୂମି ବାଲେଶ୍ୱରର ତାଳସାରି, ଚାନ୍ଦିପୁର, ପାରାଦ୍ୱୀପ, ପୁରୀ, କୋଣାର୍କ ଏବଂ ଗଞ୍ଜାମର ପଟି ସୋନାପୁର ଏବଂ ଗୋପାଳପୁରରେ ୨୦ଟି ବେଳାଭୂମି କୂଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ସରକାର ଘରୋଇ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କଠାରୁ ଆବେଦନ ଆହ୍ୱାନ କରିଛନ୍ତି । ହୋଟେଲ ଓ ବାର ପରିଚାଳନାରେ ଅତି କମ୍‌ରେ ୩ ବର୍ଷର ଅଭିଜ୍ଞତା ଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ଏସବୁ ବାରର ପରିଚାଳନା ଦାୟିତ୍ୱ ଦିଆଯିବ । ତେବେ ଏଥିପାଇଁ ଆବଶ୍ୟକ ଜମି, ବିଦ୍ୟୁତ୍, ପାଣି, ସ୍ୱରେଜ୍ ଓ ବର୍ଜ୍ୟ ପରିଚାଳନାରେ ଓଟିଡିସି ସହାୟତା କରିବ । ସେହିପରି କେବଳ ଓଟିଡିସି ହିଁ ଏସବୁ ବାରକୁ ଆଲକୋହଲଯୁକ୍ତ ପାନୀୟ ଯୋଗାଣ କରିବ ।

କେବଳ ପରିବେଶ ଉପଯୋଗୀ ସାମଗ୍ରୀ ଯେଭଳି କାଠ, ବାଉଁଶ ଓ ଅନ୍ୟାନ୍ୟ ଅସ୍ଥାୟୀ ଉପକରଣରେ କୂଟୀର ନିିର୍ମାଣ କରାଯିବ । କେଉଁଠି ବି ସିମେଣ୍ଟ କିମ୍ବା ରଡ୍ ବ୍ୟବହାର କରାଯିବ ନାହିଁ । କୌଣସି ସ୍ଥାନରେ ସବୁଜିମା ଥିଲେ ତାକୁ ସଂପୂର୍ଣ୍ଣ ସୁରକ୍ଷିତ କରାଯିବ । ବେଳାଭୂମିର ପରିବେଶ ଯେପରି ପ୍ରଦୂଷିତ ନହୁଏ ସେଥିଲାଗି ପରିଚାଳନା ଦାୟିତ୍ୱ ନେଉଥିବା ସଂସ୍ଥାମାନେ ଦୃଷ୍ଟି ଦେବେ । ଉକୃଷ୍ଟମାନର ସେବା ଓ ସଂପୂର୍ଣ୍ଣ ପେସାଦାର ଭାବେ ଏସବୁ କୂଟୀରର ପରିଚାଳନା କରାଯିବ । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଗାଇଡ୍‌ଲାଇନର ଉଲ୍ଲଙ୍ଘନ ହେଲେ ଓଟିଡିସି ସଂପୃକ୍ତ ସଂସ୍ଥାଠାରୁ ପରିଚାଳନା ଦାୟିତ୍ୱ ପ୍ରତ୍ୟାହାର କରିନେବ ।

ହୋଟେଲ ଓ ପର୍ଯ୍ୟଟନ ସହ ସଂପୃକ୍ତ ସଂସ୍ଥା ଏହାକୁ ସ୍ୱାଗତ କରିଥିବା ବେଳେ ନିଶା ନିବାରଣ କାର୍ଯ୍ୟରେ ନିୟୋଜିତ ସଂଗଠନ କିନ୍ତୁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଓଡିଶାରେ ସୁଦୀର୍ଘ ବେଳାଭୂମି ଥିବାରୁ ବେଳାଭୂମି କୂଟୀର ବା ବିଚ୍ ସ୍ୟାକ୍ସ ନିର୍ମାଣର ପର୍ଯ୍ୟାପ୍ତ ସୁଯୋଗ ରହିଛି ।ତେବେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣସାଙ୍ଗକୁ ପର୍ଯ୍ୟଟକଙ୍କ ସୁରକ୍ଷା ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି ।