• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାସୁଦେବପୁର( କିରୀଟି ଦାସ ) : ପାଣି ଟୋପାଏ ପାଇଁ ହନ୍ତସନ୍ତ । ୪୦ ପରିବାରକୁ ଗୋଟିଏ ନଳକୂପ ଭରସା । ହେଲେ ଦୀର୍ଘଦିନ ଧରି ଗୋଳିଆ ଲୁଣି ପାଣି ବାହାରୁଛି । ଦୁଇ ବର୍ଷରୁ ଉର୍ଦ୍ଧ ହେବ ଲୁଣି ପାଣି ବାହାରୁ ଥିବାରୁ ୪୦ ପରିବାର ନାହିଁନଥିବା ହଇରାଣ ହେଉଛନ୍ତି । ଅନ୍ୟପଟେ ଲୁଣିପାଣି ସହ ଏବେ ନଳକୂଅର ପାଣି ସମ୍ପୂର୍ଣ୍ଣ ହଳଦିଆ ବାହାରୁଛି । ଏପରି ପାଣିକୁ ମଣିଷ ବ୍ୟବହାର କରିବା ଦୂରର କଥା, ଗୋରୁ ଗାଈ ବି ପିଇପାରୁ ନାହାନ୍ତି । ପିଇବା ପାଣି ପାଇଁ ଗାଁ ଲୋକଙ୍କୁ କଲବଲ ହେବାକୁ ପଡିଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନି । ଏହି ପାଣି ସମସ୍ୟା ନମେଂଟିଲେ ଏଥର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଗ୍ରାମବାସୀ ।

ବାସୁଦେବପୁର ବ୍ଲକ ଆନ୍ଦୋଳା ପଂଚାୟତ ମଝିସାହିରରେ ଦୀର୍ଘ ବର୍ଷ ତଳେ ନଳକୂଅ ବସିଥିଲା । ଏହି ନଳକୂପ ଉପରେ ପାଖାପାଖି ୪୦ରୁ ଉର୍ଦ୍ଧ ପରିବାର ନିର୍ଭର କରନ୍ତି । ଘରୋଇ ଭାବେ ନଳକୂଆ ବସାଇବା ବହୁ ବ୍ୟୟ ସାପେକ୍ଷ ହେଉଥିବାରୁ ସରକାରୀ ନଳକୂଅକୁ ଭରଷାକରି ଚଳୁଥିଲେ ସାହିବାସୀ । ଗୋଟିଏ ନଳକୂପ ନିକଟରେ ଦୀର୍ଘ ସମୟ ଧରି ଧାଡିରେ ଛିଡାହୋଇ ପାଣି ସଂଗ୍ରହ କରିବାକୁ ପଡୁଛି । ଦୁଇ ବର୍ଷରୁ ଉର୍ଦ୍ଧ ହେବ ନଳକୂଅଟିର ପାଣି ଲୁଣା ପଡିଗଲା । ଧିରେ ଧିରେ ଲୁଣାର ପରିମାଣ ବଢିବାସହ ଏବେ ହଳଦିଆ ଗୋଳିଆ ପାଣି ବାହାରୁଛି ।

କିଛି ଲୋକ ବାଧ୍ୟ ହୋଇ ଏହି ପାଣିକୁ ବ୍ୟବହାର କରୁଛନ୍ତି ନହେଲେ ପାଖସାହିରୁ ପାଣି ସଂଗ୍ରହ କରୁଛନ୍ତି । ବର୍ଷ ବର୍ଷ ଧରି ଏହି ସମସ୍ୟା ଦେଖା ଦେଇଥିଲେ ବି ଆଜିଯାଏ ପାଣି ସମସ୍ୟା ମେଣ୍ଟି ପାରୁନି । ପାଖରେ ଥିବା ବିଲ ସାହି ବାସୀଙ୍କର ମଧ୍ୟ ସମାନ ଅବସ୍ଥା । ଘରଠାରୁ ଗୋଟିଏ କିଲୋମିଟର ଦୂରତାରୁ ପିଇବା ପାଣି ସଂଗ୍ରହ କରୁଛନ୍ତି । ଲୁଣି ପାଣି ବ୍ୟବହାର କରି ସାହିବାସୀ କଲବଲ ହେଉଛନ୍ତି । ପିଇବା ପାଣି ପାଇଁ ନାକେଦମ ହେଉଥିବା ଏହି ସାହିବାସୀ ଅତିଷ୍ଠ ହୋଇ ପଡିଛନ୍ତି ।

ଗ୍ରାମବାସୀ ନିକଟରେ ବୋତଲରେ ପାଣି ଧରି ଜିଲ୍ଲାପାଳଙ୍କୁ ଭେଟି ନମୁନା ଦେଖାଇଛନ୍ତି । ବ୍ଲକର ବିଡିଓଙ୍କୁ ମଧ୍ୟ ଫେରାଦ ହୋଇଛନ୍ତି । ହେଲେ ସମସ୍ୟକୁ ଦୃଷ୍ଟି ଦିଆଯିବ କହି ସବୁ ଅଧିକାରୀ ଆମକୁ ବୁଝାଇ ଦେଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଭୋଟ ସମୟ ଆସିଲେ ନେତାମାନେ ଗାଁରେ ମାଳ ମାଳ ହୋଇ ବୁଲୁଛନ୍ତି । ହେଲେ ଭୋଟ ସରିଲେ ଆଉ କହାରି ଦେଖା ମିଳୁନାହିଁ ।

ଏଥିପାଇଁ ଆଗାମୀ ପଂଚାୟତ ନିର୍ବାଚନରେ ଏହି ସାହିର ଲୋକ ଭୋଟ ବର୍ଜନ କରିବେ ବୋଲି ଚେତବନୀ ଦେଇଛନ୍ତି । ଅନ୍ୟପଟେ ଗାଁର ପାଣି ସମସ୍ୟା ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟଜିତ ରାଉତ କହିଛନ୍ତି, ଘଟଣା ସମ୍ପର୍କରେ ଅଭିଯୋଗ ପାଇ ତଦନ୍ତ କରାଯାଉଛି । ସରକାରୀ ନିୟମ ଅନୁସାରେ ନିଶ୍ଚିତ ପଦକ୍ଷେପ ନିଆଯିବ ।

ସରକାରୀ ଅଧିକାରୀଙ୍କ ପଦକ୍ଷେପ ଯାହାହେଉ, ଲୋକମାନେ ନିଜର ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି । ଗାଁର ପିଇବା ପାଣି ସମସ୍ୟା ଦୂରନହେଲେ ଏଥର ପଂଚାୟତ ନିର୍ବାଚନର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ମଝିସାହିବାସୀ ।