• translate
Pramod Behera

ସାଧାରଣ ଲୋକ ଭାବନ୍ତି ଯେ ନାସାର ଅଭିଯାନ କେବଳ ମହାକାଶ ଅନୁସନ୍ଧାନ ପାଇଁ ସୀମିତ। ଏହା ସତ୍ୟ ଯେ ଆମେରିକାର ସମସ୍ତ ଉପଗ୍ରହକୁ ମହାକାଶକୁ ଆଣିବାର କାର୍ଯ୍ୟ ନାସା ଦ୍ୱାରା କରାଯାଇଛି, କିନ୍ତୁ ନାସାର ଅନେକ ଅଭିଯାନ ମଧ୍ୟ ପୃଥିବୀ ଉପରେ ନଜର ରଖିଥାଏ। ସୋମବାର ନାସା ମହାକାଶକୁ ଏକ ଶକ୍ତିଶାଳୀ ଏବଂ ଉନ୍ନତ ଉପଗ୍ରହ ପଠାଇଛି, ଯାହାର କାମ ହେଉଛି ପୃଥିବୀ ଉପରେ ନଜର ରଖିବା। ଲ୍ୟାଣ୍ଡ୍‌ସାଟ୍‌ ୯ର କାମ ହେଉଛି ଏହାର ସହଯୋଗୀ ଉପଗ୍ରହ ଲ୍ୟାଣ୍ଡ୍‌ସାଟ୍‌ ୮କୁ ମହାକାଶରେ ପହଞ୍ଚିବାରେ ସାହାଯ୍ୟ କରିବା। ମିଳିତ ଭାବେ ଉଭୟ ଉପଗ୍ରହ ନାସା ପାଇଁ ଫଟୋ ଉଠାଇବେ।

ଉଭୟ ଉପଗ୍ରହ ପ୍ରତି ୮ ଦିନରେ ପୃଥିବୀ ଚାରିପଟେ ବୁଲିବା ସହ ଏହା ଦ୍ୱାରା ନିଆଯାଉଥିବା ଫଟୋଗୁଡ଼ିକର ସାହାଯ୍ୟରେ ପୃଥିବୀ ଉପରେ ନଜର ରଖାଯିବ ଏବଂ କୃଷି, ଜଳସେଚନ, ଜଳ ଉତ୍ସ, ଜଙ୍ଗଲର ଉପଯୁକ୍ତ ବ୍ୟବହାର ଇତ୍ୟାଦି ଭଳି ପୃଥିବୀର ଗୁରୁତ୍ୱପୂର୍ଣ୍ଣ ଉତ୍ସ ଉପରେ ମଧ୍ୟ ନଜର ରଖାଯିବ। ଉପଗ୍ରହମାନେ ଏହି ଆଠ ଦିନ ପାଇଁ ପ୍ରତି ୯୯ ମିନିଟ୍‌ରେ ପୃଥିବୀର ଗୋଟିଏ ଚକ୍ର ଏବଂ ପ୍ରତ୍ୟେକ ଦିନ ୧୪ ଟି ଚକ୍ର କରି ଫଟୋ ସଂଗ୍ରହ କରିବେ। ଏହି ଫଟୋଗୁଡିକ ଡାଟା ସେଟ୍‌ରେ ଏଭଳି ଭାବେ ସଂଯୁକ୍ତି ହେବ ଯାହା ୫୦ ବର୍ଷ ଧରି ମାଗଣାରେ ଲୋକଙ୍କ ପାଇଁ ଉପଲବ୍ଧ ହେବ। ନାସା କହିଛି ଯେ ମଧ୍ୟମ ଧରଣର ରିଜୋଲୁସନର ଫଟୋଗୁଡ଼ିକର କ୍ଷମତା ଗବେଷକମାନଙ୍କୁ ମାନବୀୟ ଗତିବିଧିର ସଂକେତେ ଏବଂ ପୃଥିବୀରେ ଏହାର ପ୍ରଭାବକୁ ଜାଣିବାରେ ସାହାଯ୍ୟ କରିବ।

ଲ୍ୟାଣ୍ଡସେଟ୍‌ ୯ ହେଉଛି ଏକ ଉନ୍ନତ ଜ୍ଞାନକୌଶଳର ଉନ୍ନତ ଉପଗ୍ରହ ଯାହା ଏହାର କ୍ରମର ନବମ ଉପଗ୍ରହ। ଏହା ନାସାର ଗୋଡାର୍ଡ ସ୍ପେସ୍ ଫ୍ଲାଇଟ୍ ସେଣ୍ଟର ଦ୍ୱାରା ପରିଚାଳିତ ହେବ ଏବଂ ଏଥିରେ ଦୁଇଟି ଉପକରଣ ରହିବ। ଅପରେସନ୍ ଲ୍ୟାଣ୍ଡ୍ ଇମେଜର୍ 2 (OLI-2) ପୃଥିବୀରେ ଦେଖାଯାଉଥିବା ଦୃଶ୍ୟ, ନିକଟ ଇନ୍‌ଫ୍ରାରେଡ୍ ଏବଂ ସର୍ଟୱେଭ୍ ଇନ୍‌ଫ୍ରାରେଡ୍ ଆଲୋକର ଫଟୋ ଉଠେଇବ। ସେହିପରି ଥର୍ମାଲ୍ ଇନ୍‌ଫ୍ରାରେଡ୍ ସେନ୍ସର 2 (TIRS-2) ପୃଥିବୀ ପୃଷ୍ଠର ତାପମାତ୍ରା ଅଧ୍ୟୟନ କରିବ।

ଲ୍ୟାଣ୍ଡ୍‌ସେଟ୍‌ ୯ ହେଉଛି ନାସା ଏବଂ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣର ମିଳିତ ମିଶନ୍, ଯାହା ଗତ ପାଞ୍ଚ ଦଶନ୍ଧି ଧରି ପୃଥିବୀର ପ୍ରକ୍ରିୟା ଏବଂ ସେଗୁଡିକର ଅନେକ ପରିବର୍ତ୍ତନକୁ ଜାଣିବାରେ ସାହାଯ୍ୟ କରୁଛି। ଲ୍ୟାଣ୍ଡସେଟ୍‌ ସିରିଜ୍ ଆଣ୍ଟାର୍କଟିକାରେ ଗ୍ଲେସିୟର ଗତି, କୃଷି ପାଇଁ ବ୍ୟବହୃତ ଜଳ ପରିମାଣ, ଆମାଜନ ଜଙ୍ଗଲରେ ଜଙ୍ଗଲ ନଷ୍ଟ ହେବା ଭଳି ଅନେକ ପରିବର୍ତ୍ତନର ମାପ କରିଛି । ଏହା ବ୍ୟତୀତ ଅଷ୍ଟ୍ରେଲିଆ, ଆମେରିକା, ବ୍ରାଜିଲ ସମେତ ବିଶ୍ୱର ଅନେକ ଦେଶର ଜଙ୍ଗଲ ଅଗ୍ନିକାଣ୍ଡର ସ୍ଥିତି ଉପରେ ମଧ୍ୟ ନଜର ରଖିଛି।

ବର୍ତ୍ତମାନ, ନାସାର ଲ୍ୟାଣ୍ଡ୍‌ସେଟ୍‌ ୭ ଓ ଲ୍ୟାଣ୍ଡ୍‌ସେଟ୍‌ ୮ ଉପଗ୍ରହ କାର୍ଯ୍ୟ କରୁଛି ଏବଂ ସେଗୁଡିକର କକ୍ଷପଥର ସ୍ୱରୂପ ପ୍ରତ୍ୟେକ ୧୬ ଦିନର, ତେଣୁ ପୃଥିବୀର ପ୍ରତ୍ୟେକ ସ୍ଥାନର ଫଟୋ ପ୍ରତି ୮ ଦିନରେ ନିଆଯାଏ। ନାସା କହିଛି ଯେ ଲ୍ୟାଣ୍ଡ୍‌ସେଟର ଯନ୍ତ୍ରଗୁଡ଼ିକ ପୃଥିବୀରେ ଘୂରି ବୁଲୁଥିବା ବେଳେ ଥରକରେ ୧୮୫ କିଲୋମିଟର ଲମ୍ବର ଫଟୋ ଉଠାଉଛି। ଏହାର ପ୍ରତ୍ୟେକ ପିକ୍ସେଲ ୩୦ ମିଟର ବଡ ହୋଇଥାଏ।

୧୯୭୨ ମସିହାରେ ନାସା ପ୍ରଥମ ଲ୍ୟାଣ୍ଡ୍‌ସେଟ୍‌ ଆରମ୍ଭ କରିଥିଲା, ଯାହାର ନାମ ଆର୍ଥ ରିସୋର୍ସ ଟେକ୍ନୋଲୋଜି ସାଟେଲାଇଟ୍ (ERTS) ଥିଲା। ଏହା ପୃଥିବୀର ୮୦ ଲକ୍ଷ ଫଟୋ ନେଇଥିଲା। ନାସା କହିଛି ଯେ ଏହି ଉପଗ୍ରହଗୁଡ଼ିକ ପରିବର୍ତ୍ତିତ ପୃଥିବୀ ବିଷୟରେ ବୈଜ୍ଞାନିକମାନଙ୍କୁ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଦେଇଥାଏ। ଏହି ପରିବର୍ତ୍ତନଗୁଡିକ ଭୂକମ୍ପ ଭଳି ପ୍ରାକୃତିକ କାରଣ କିମ୍ବା ଗ୍ରୀନ୍‌ହାଉସ୍ ଗ୍ୟାସ୍ ନିର୍ଗମନର ମାନବ-କାରଣ ଯୋଗୁଁ ହୋଇପାରେ ଯାହା ବିଶ୍ୱ ତାପମାତ୍ରାକୁ ବୃଦ୍ଧି କରିଥାଏ।

ବର୍ତ୍ତମାନ ପୃଥିବୀ ଜଳବାୟୁ ପରିବର୍ତ୍ତନର ବିପଜ୍ଜନକ ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହେଉଛି। ଏହାର ଅଧିକ କ୍ଷତିକୁ ରୋକିବା ନେଇ ଦୁନିଆର ସମସ୍ତ ଦେଶର ମୁଣ୍ଡବିନ୍ଧାର କାରଣ ହୋଇଛି। ମହାକାଶରୁ ପର୍ଯ୍ୟବେକ୍ଷଣଗୁଡିକ ବିବର୍ତ୍ତନର ଏକ ଉତ୍ତମ ଦୃଶ୍ୟ ଖୋଜିବାରେ ସାହାଯ୍ୟ କରିପାରେ। ଏହା ବ୍ୟତୀତ, ମାଗଣା ସୂଚନା ଅନେକ ଦେଶ ପାଇଁ ସେମାନଙ୍କର କୃଷି ସମ୍ବଳର ଉତ୍ତମ ବ୍ୟବହାରରେ ସହାୟକ ହୋଇପାରେ। ନାସା କହିଛି ଯେ ଉପଗ୍ରହ ସୂଚନା କୃଷକମାନଙ୍କ ପାଇଁ ଉତ୍ତମ ଏବଂ ଉପଯୋଗୀ ଫସଲ ସ୍ଥିର କରିବାରେ ସହାୟକ ହୋଇଛି।

Other Stories