• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କାହା ତ୍ରୁଟିରୁ ଘଟିଗଲା ମୁଣ୍ଡଳୀରେ ଛାତିଥରା ବୋଟ୍ ଟ୍ରାଜେଡି ?

  • ଓଡ୍ରାଫ୍ ବୋଟ୍‌କୁ କିଏ ଦେଇଥିଲା ଅନୁମତି ?

  • ସେ ନେଇ ମଧ୍ୟ ପିସିସିଏଫ୍‌ଠୁ ମିଳିଲାନି ସ୍ପଷ୍ଟ ଉତ୍ତର ।

ଭୁବନେଶ୍ୱର: କାହା ତ୍ରୁଟିରୁ ଘଟିଗଲା ମୁଣ୍ଡଳୀରେ ଛାତିଥରା ବୋଟ୍ ଟ୍ରାଜେଡି ? ଘଟଣାର ୫ଦିନ ପରେ ବି ପ୍ରଶ୍ନ ଅସମାହିତ ଥିବାବେଳେ ଏଣେ ଭରା ମହାନଦୀରେ ହାତୀ ଘଉଡ଼ାଇବାକୁ ଓଡ୍ରାଫ୍ ବୋଟ୍‌କୁ କିଏ ଦେଇଥିଲା ଅନୁମତି ? ସେ ନେଇ ମଧ୍ୟ ପିସିସିଏଫ୍‌ଠୁ ମିଳିଲାନି ସ୍ପଷ୍ଟ ଉତ୍ତର । ଏଣେ ଅପରେସନ ଗଜରାଜ୍ ବିଫଳତା ପଛରେ ବନ ବିଭାଗର ଭୟଙ୍କର ତ୍ରୁଟିକୁ ନେଇ ସିଧା ସିଧା ଅଭିଯୋଗ ଆଣିଛନ୍ତି ପରିବେଶବିତ୍ ଓ ଆଠଗଡ଼ ବାସିନ୍ଦା ।

ଅକାଳରେ ଦୁଇ ଦୁଇଟି ମୂଲ୍ୟବାନ ଜୀବନ ଚାଲିଗଲା । ଯାହା ପାଇଁ ଏତେ ପାଲା, ଶେଷରେ ସେ ବି ମରିଗଲା । ତେଣୁ ଏଠି ପ୍ରଶ୍ନ-ମହାନଦୀରେ ଅପରେସନ ଗଜରାଜ ଫେଲ୍ ପଛରେ କାହାର ତ୍ରୁଟି ? କାହିଁକି ଉଦ୍ଧାର ହୋଇପାରିଲାନି ବନ୍ୟା ପାଣିରେ ଦୀର୍ଘ ସମୟ ଧରି ଫସିଥିବା ହାତୀ ? ବ୍ରିଜ୍ ତଳୁ ହାତୀ ଘଉଡ଼ାଇବାକୁ ଓଡ୍ରାଫ୍ ଟିମ୍ ଡାକିବାକୁ କାହା ମୁଣ୍ଡରେ ଜୁଟିଥିଲା ଉଦ୍ଭଟ ଚିନ୍ତାଧାରା ?

ମୁଣ୍ଡଳୀ ବୋଟ୍ ଟ୍ରାଜେଡିକୁ ନେଇ ସାଧାରଣରେ ଏଭଳି ବହୁ ଅସମାହିତ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଅନେକ କିନ୍ତୁ ସିଧାସଳଖ ବନବିଭାଗର ପାରିବା ପଣିଆ ଓ ବେଦାୟିତ୍ୱକୁ ଦାୟୀ କରୁଛନ୍ତି । ତାସହ ମୁଣ୍ଡଳୀରେ ଫସିଥିହା ହାତୀକୁ ଉଦ୍ଧାର ପାଇଁ ବନ ବିଭାଗ କି ପ୍ଲାନିଂ କରିଥିଲା ? ତାର ପରିଣାମ କଣ ହେଲା ବୋଲି ବି ପ୍ରଶ୍ନ ଉଠାଇଛନ୍ତି ।

ଏହାସହ ଯଦି ପୁରା ଘଟଣାକ୍ରମ ଦେଖାଯାଏ, ତେବେ ଅଘଟଣ ପୂର୍ବରୁ କେବଳ ହାତୀକୁ କାନ୍ଧିଏ କଦଳୀ ଖାଇବାକୁ ଦେଇ ଯେମିତି ବେଫିକର ହୋଇ ବସି ଯାଇଥିଲା ବନ ବିଭାଗ । ଆଉ ଏଣେ ଦିନତମାମ ପାଣିର ପ୍ରଖର ସୁଅରେ ଛିଡ଼ା ହୋଇ ରହିବା ପରେ ଶେଷରେ ହାଲିଆ ହୋଇ ସୁଅରେ ଭାସିଗଲା ଦନ୍ତା । ପୁଣି ପ୍ରଶ୍ନ ଉଠୁଛି ରାତିରେ ଯେତେବେଳ ପର୍ଯ୍ୟନ୍ତ ହାତିଟୀ ବ୍ରିଜ୍ ତଳେ ଥିଲା, ଲୋକେ ଟ୍ରଚ୍ ପକାଇ ଦେଖିଛନ୍ତି । ହେଲେ ବନ ବିଭାଗ ସେତେବେଳେ କୁଆଡ଼େ ଗଲା ?

କଣ ବୋଟ୍ ଟ୍ରାଜେଡି ପରେ ହାତୀଟିକୁ ହରି ଭରସାରେ ଛାଡ଼ି ଦେଇ ଉଦ୍ଧାର କଥା ପାଶୋରି ଗଲା କି ଜଙ୍ଗଲ ବିଭାଗ ? ଯାହାର ପରିଣାମ ସ୍ୱରୂପ ଗତ ରବିବାର କଟକ ଯୋବ୍ରା ଆନିକଟରୁ ମିଳିଲା ହାତୀର ମୃତଦେହ । ଉଭୟ ଆଠଗଡ଼ ଅଞ୍ଚଳବାସୀ ଓ ବନ୍ୟପ୍ରାଣୀ ବିଶେଷଜ୍ଞ ସମସ୍ତେ ମୁଣ୍ଡଳୀ ଅଘଟଣ ପାଇଁ ସିଧାସଳଖ ବନ ବିଭାଗର ଦାୟିତ୍ୱହୀନତାକୁ ହିଁ ଦାୟୀ କରୁଛନ୍ତି । ତାସହ ଅସୁରକ୍ଷିତ ହାତୀ କରିଡର ଓ ଅପରେସନ ଗଜରାଜର ଅଦୂରଦର୍ଶୀ ପଦକ୍ଷେପକୁ ନେଇ ବନବିଭାଗକୁ ବି ଟାର୍ଗେଟ୍ କରିଛନ୍ତି ।

ତେବେ ମୁଣ୍ଡଳୀରେ ଫସିଥିବା ହାତୀ ପାଖକୁ ଓଡ୍ରାଫ୍ ବୋଟ୍ ପଠାଇବାକୁ ଅନୁମତି କିଏ ଦେଲା ? ଓଡ୍ରାଫ୍ ବୋଟ୍‌ରେ ଅପରେସନ ଗଜରାଜ ବେଳେ କାହିଁକି ସାମିଲ ହୋଇନଥିଲେ ବନବିଭାଗ କର୍ମଚାରୀ ? ସାଧାରଣରେ ଉଠୁଥିବା ଏସବୁ ପ୍ରଶ୍ନର ସିଧାସଳଖ ଉତ୍ତର ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କୁ ପଚରାଯାଇଥିଲା । ହେଲେ ସେ ସଫା ସଫା କହିଥିଲେ, ବୋଟ୍ ଟ୍ରାଜେଡି ଘଟଣାର ତଦନ୍ତ ଏଡିଜି କରୁଛନ୍ତି । ତେଣୁ କିଛି ପ୍ରତିକ୍ରିୟା ଦେବିନି । ତେବେ ଯୋବ୍ରା ଆନିକଟରୁ ମିଳିଥିବା ଏକ ଦନ୍ତାହାତୀର ମୃତଦେହ ଓ ମହାନଦୀରୁ ମିଳିଥିବା ଏକ ଛୁଆ ହାତୀର ମୃତ୍ୟୁର କାରଣ ଖୋଜା ଚାଲିଛି । କାହିଁକି ହାତୀ ଦୁଇଟିକୁ ପାଣିରୁ ଉଦ୍ଧାର କରାଯାଇ ପାରିଲା ନାହିଁ ? ତାର ଅନୁଧ୍ୟାନ କରାଯାଇ ଆକ୍ସନ ନିଆଯିବ ।