• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ମାଆଠୁ ଦୁନିଆରେ ଆଉ କିଏ ବା ହେବ ବଡ଼

  • ପୁଅ ଜୀବନ ବଂଚାଇବା ପାଇଁ ଆର ପାରିକୁ ଚାଲିଗଲା ମାଆ

  • ଦୈବର ବିଚିତ୍ର ନୀଳା

  • ଚିର ନିଦ୍ରାରେ ଶୋଇଗଲା ମାଆ

ଭୁବନେଶ୍ୱର: ସନ୍ତାନ ପାଇଁ ମାଆ ସାତ ସମୁଦ୍ର ଲଙ୍ଘିପାରେ, ତେର ନଇ ପାର ହୋଇପାରେ। ଦରକାର ପ଼ଡ଼ିଲେ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଏନି। ଏ ଉକ୍ତିର ଯଥାର୍ଥତାକୁ ପୁଣି ପ୍ରମାଣିତ କରିଛନ୍ତି ଯାଜପୁର ଦଶରଥପୁର ବ୍ଲକ ଦେଉଳବାଡ଼ ଗାଁର ଜଣେ ମାଆ। ପ୍ରୀୟଦର୍ଶନୀ ରାଉତ ନିଜ ଦେଢ଼ ବର୍ଷର ପୁଅକୁ ବିଷାକ୍ତ ନାଗ ସାପ କବଳରୁ ବଞ୍ଚାଇବାକୁ ଯାଇ ନିଜେ ପ୍ରାଣବଳୀ ଦେଇଛି।

ପୁଅ ପାଇଁ ବଳିଦାନ ପରେ ଚିର ନିଦ୍ରାରେ ଶୋଇଛି ମାଆ। ସେ ଏମିତି ଅଫେରା ରାଇଜକୁ ଯାଇଛି ଯେ, ଆଉ ଫେରିବନି। ଆଉ ଏପଟେ ଏତେ କଅଁଳ ବୟସରୁ ସେ ଘଟଣା କଣ ସିନା ବୁଝିନି, ହେଲେ ମାଆକୁ ଖୋଜି ପାଇବାକୁ ଯେମିତି ଘୁରି ବୁଲୁଛି ତା କୁନି କୁନି ଆଖି। ବୟସ ମାତ୍ର ଦେଢ଼ ବର୍ଷ। ଏଇ ବୟସରୁ ବିଧାତା ତାକୁ ସଜାଇ ଦେଇଛି ମାତୃହରା। ତାରି ଜୀବନ ରକ୍ଷା ଲାଗି ନିଜ ଜୀବନକୁ ପାଣି ଛଡାଇ ଦେଇଛି ତା ମମତାମୟୀ ମାଆ। ଘଟଣା ଏମିତି, ଗତକାଲି ଦିନ ପ୍ରାୟ ୩ଟା ସ୍ଥାନ ଯାଜପୁର ଦଶରଥପୁର ବ୍ଲକର ଦେଉଳବାଡ଼ ଗାଁରେ ଚିନ୍ମୟ ରାଉତଙ୍କ ପତ୍ନୀ ପ୍ରିୟଦର୍ଶନୀ ନିଜ ଦେଢ ବର୍ଷର ପୁଅକୁ ଶୁଆଇ ଦେଉଥିଲେ। ଠିକ୍ ଏହି ସମୟରେ ଘର ଭିତରକୁ ପଶି ଆସିଥିଲା ଏ କାଳ ସର୍ପ। ଏ ବିଶାଳକାୟ ନାଗଟି ପୁଅ ଆଡ଼କୁ ମାଡ଼ି ଆସୁଥିବା ଦେଖି, ଆଉ ଚିନ୍ତା ନକରି ସାପର ଲାଙ୍ଗୁଡ଼ ଧରି ଫିଙ୍ଗି ଦେବାକୁ ଚେଷ୍ଟା କରିଥିଲେ ପ୍ରିୟଦର୍ଶନୀ। ପୁଅଠୁ ସିନା ବିପଦକୁ ଦୂରେଇ ଦେଲେ, ହେଲେ ନିଜେ ବିପତ୍ତିରୁ ବର୍ତ୍ତିପାରିଲେନି। ସେଇ ନାଗ ସାପ ଚୋଟରେ ଗୁରୁତର ହୋଇପଡ଼ିଲେ ସେ। ଘର ଲୋକେ ତୁରନ୍ତ ତାଙ୍କୁ ଯାଜପୁର ମେଡିକାଲ ଭର୍ତ୍ତି କରିଥିଲେ, ହେଲେ ସେତେବେଳକୁ ଦୁନିଆ ଛାଡ଼ି ସାରିଥିଲେ ପ୍ରିୟଦର୍ଶନୀ।

ଏ ଅଭାବନୀୟ ଘଟଣା ପରେ ପୁରା ଦେଉଳବାଡ଼ ଗାଁରେ ଗତକାଲିଠୁ ଖେଳିଯାଇଛି ଅସମ୍ଭବ ନିରବତା। ୨୦୧୯ରେ ଦେଉଳବାଡ଼ ଗାଁର ଚିନ୍ମୟଙ୍କୁ ବିବାହ କରିଥିଲେ ଦଶରଥପୁର ରାହାସୋଇ ଗାଁର ପ୍ରିୟଦର୍ଶନୀ ଜେନା। ବିବାହର ବର୍ଷକ ପରେ କୋଳକୁ ଆସିଥିଲା ପୁଅ ପୀୟୁଷ। ବାପା-ମାଆ ଓ କୁନି ପୁଅକୁ ନେଇ ଖୁବ୍ ଖୁସିରେ ବିତୁଥିଲା ସଂସାର। ହେଲେ କାଲିର ଏ ଘଟଣା ପରେ ଚିନ୍ମୟଙ୍କ ସୁଖୀ ପରିବାର ଭାଗ୍ୟରେ ଯେମିତି ଘୋଟିଯାଇଛି ଘନ କଳାବାଦଲ। ମାତ୍ର ଦେଢ଼ ବର୍ଷ ବୟସରୁ ମାଆକୁ ହରାଇ ଏକା ହୋଇଯାଇଛି ପୀୟୁଷ।

ଏହି କଅଳ ବୟସରୁ ସାରା ଜୀବନ ଲାଗି ପୀୟୁଷ ବାତ୍ସଲ୍ୟ ମମତାରୁ ବଞ୍ଚିତ ହେଲା ସିନା, କିନ୍ତୁ ସେଇ ମାଆ ପାଇଁ ସେ ପାଇଛି ନୂଆ ଜୀବନ। ଏପଟେ ସନ୍ତାନ ପାଇଁ ମାଆଟିଏ ମରଣକୁ କେମିତି ବରଣ କରିପାରେ ସବୁଦିନ ପାଇଁ ତାର ଜ୍ୱଳନ୍ତ ଉଦାହରଣ ଦେଇ ଆରପାରିକୁ ଚାଲିଯାଇଛନ୍ତି ସାହାସୀ ମାଆ ପ୍ରିୟଦର୍ଶନୀ।