• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରାହା ଦେଖାଇଲା ଲକଡାଉନ୍

  • ଗଉଁଲି ଖାଦ୍ୟ ତିଆରି କରି ୟୁଟ୍ୟୁବରେ ଅପଲୋଡ କରନ୍ତି ଇସାକ୍ ମୁଣ୍ଡା

ସମ୍ବଲପୁର(ସଞ୍ଜୟ କୁମାର ଜେନା): ପରିବାର ଚଳାଇବା ପାଇଁ ଦିନେ ସେ ପର ଘରେ ପାଇଟି କରୁଥିଲେ । କିନ୍ତୁ ଗତ ବର୍ଷ କରୋନା କଟକଣା ତାଙ୍କୁ ଜୀବନ ଜୀଇଁବାର ନୂଆ ରାହା ଦେଖାଇଲା । ମାଟ୍ରିକ ଡେଇଁ ନଥିବା ଅଖ୍ୟାତ ଗାଁର ଜଣେ ମୁଣ୍ଡା ଯୁବକ ଏବେ ରାଜ୍ୟର ଘରେ ଘରେ ପରିଚିତ, ନିଜର ୟୁଟ୍ୟୁବ୍ ଚ୍ୟାନେଲ ପାଇଁ । ବିଭିନ୍ନ ପ୍ରକାର ଗାଉଁଲି ଖାଦ୍ୟ ତିଆରି କରି ୟୁଟ୍ୟୁବରେ ଅପଲୋଡ କରନ୍ତି । କେବଳ ପରିଚୟ ନୁହେଁ ଲକ୍ଷ ଲକ୍ଷ ଟଙ୍କା ବି ରୋଜଗାର କରୁଛନ୍ତି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକର ଇସାକ ମୁଣ୍ଡା ।

କରୋନାର ପ୍ରଥମ ଲହରୀ ପାଇଁ ସାରା ଭାରତରେ ଲକଡାଉନ ଓ ସଟଡାଉନ ଚାଲିଥିଲା , ସେତେବେଳେ ଶ୍ରମିକ ଶ୍ରେଣୀରଙ୍କ ଦୁର୍ଦ୍ଦଶା ବଢ଼ି ଯାଇଥିଲା । ଯେଉଁମାନେ ବାହାର ରାଜ୍ୟରେ କାମ କରୁଥିଲେ , ସେମାନେ କାମଧନ୍ଦା ହରାଇ ଘରକୁ ଫେରୁଥିଲେ । ଆଉ ଯେଉଁମାନେ ଗାଁରେ ରହୁଥିଲେ, ସେମାନେ କାମଧନ୍ଦା ନପାଇ ହାତବାନ୍ଧି ଘରେ ବସିରହିଲେ । ସେମାନଙ୍କ ଭିତରୁ ଜଣେ ହେଲେ ସମ୍ବଲପୁର ଯୁଜୁମୁରା ବାବୁପାଲିର ଇସାକ ମୁଣ୍ଡା । ଶ୍ରମିକ ଭାବେ କାମ କରୁଥିବା ଇସାକ ମୁଣ୍ଡାଙ୍କ ପାଇଁ ଆୟର କୌଣସି ବିକଳ୍ପ ନଥିଲା । ଆଉ ସେହି ସମୟରେ ମୋବାଇଲରେ ୟୁଟ୍ୟୁବରୁ ବିଭିନ୍ନ ଭିଡିଓ ଦେଖୁଥିଲେ । ତେବେ ତାଙ୍କ ଆଗ୍ରହ ଦେଖି କେହି ଜଣେ ତାଙ୍କୁ ମଧ୍ୟ ନିଜେ ଭିଡିଓ ତିଆରି କରି ଅପଲୋଡ଼୍ କରିବାକୁ ପରାମର୍ଶ ଦେଇଥିଲେ ।

ଇଚ୍ଛା ଥିଲେ ବି ଅଧିକ ପାଠଶାଠ ପଢି ନଥିବାରୁ ଭିଡିଓ କିପରି କରିବେ ସେ ଜାଣି ପାରିଲେନି । ଅନେକ ଚିନ୍ତା କରିବା ପରେ ଘରେ ଖାଉଥିବା ବାସି ପଖାଳକୁ ମୋବାଇଲ ରେ ରେକର୍ଡିଂ କରି ୨୦୨୦ ମାର୍ଚ୍ଚ ମାସରେ ପ୍ରଥମ ଥର ପାଇଁ ନିଜ ଚ୍ୟାନେଲରେ ଅପଲୋଡ କରିଥିଲେ । ତା ପରେ ବିଭିନ୍ନ ପ୍ରକାର ଗାଉଁଲି ଖାଦ୍ୟ ରୋଷେଇ କରି ଅପଲୋଡ କରିଥିଲେ । ଚାହୁଁ ଚାହୁଁ ସବସ୍କ୍ରାଇବରଙ୍କ ସଂଖ୍ୟା ବଢି ଚାଲିଥିଲା । ୩ ମାସ ପରେ ସେ ୟୁଟ୍ୟୁବରୁ ପ୍ରଥମ ଦରମା ୩୭ ହଜାର ଟଙ୍କା ପାଇଥିଲେ । ଆଉ ସେହି ବର୍ଷ ଅଗଷ୍ଟ ମାସରେ ତାଙ୍କୁ ମିଳିଥିଲା ସର୍ବାଧିକ ୫ ଲକ୍ଷ ଟଙ୍କା । ସେହି ଟଙ୍କାରେ ଇସାକ୍ ତି‌ଆରି କରିଛନ୍ତି ଏକ କୋଠାଘର ।

ଏବେ ଇଶାକଙ୍କର ଧିରେ ଧିରେ ତାଙ୍କର ଭିଉଅର ସଂଖ୍ୟା ବଢିବାରେ ଲାଗିଛି । ଲୋକେ ତାଙ୍କ ଭିଡିଓ ବେଶ୍ ପସନ୍ଦ କରୁଛନ୍ତି । ପ୍ରତିମାସ ରୋଜଗାର ମଧ୍ୟ ବଢୁଛି । ଓଡିଆ କିମ୍ବା ସମ୍ବଲପୁରୀ ବଦଳରେ ସେ ହିନ୍ଦି ଭାଷାରେ କହିଥାନ୍ତି । କାରଣ ହିନ୍ଦି ଭାଷାରେ କହିଲେ ସମସ୍ତେ ବୁଝି ପାରିବେ ବୋଲି ଇସାକ କହନ୍ତି । ଆଗକୁ ସେ ଏମିତି ଭାବେ ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରି ୟୁଟ୍ୟୁବ୍ ଚାନେଲରେ ଅପଲୋଡ କରିବାର ଲକ୍ଷ ରଖିଛନ୍ତି । ଆଗକୁ ସେ ତାଙ୍କ ଭଳି ଗରିବବ ଲୋକଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି ।