• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଖୋର୍ଦ୍ଧାରେ କଂଗ୍ରେସର ରାସ୍ତାରୋକ ଓ ରାଲି ।

  • ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ବହିସ୍କାର ଦାବି ।

ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ନିଆଁ ଜଳୁଛି । ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେବା ପରେ ବିରୋଧୀ ସାରା ରାଜ୍ୟରେ ବିକ୍ଷୋଭ ଆରମ୍ଭ କରିଦେଇଛନ୍ତି । କେବଳ ବିଜେପି ନୁହେଁ ଏଥିରେ କଂଗ୍ରେସ ବି ପଛରେ ପଡ଼ିନାହିଁ । ଆଜି ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବି କାରି ନବୀନ ନିବାସ ଘେରାଉ କରାଯିବା ସହ ଟମାଟ ମାଡ଼ କରାଯାଇଥିଲା ।

ଓଡ଼ିଶା ଛାତ୍ର କଂଗ୍ରେସ ପ୍ରଭାରୀ ଓ ଛାତ୍ର କଂଗ୍ରେସ ସଭାପତି ୟାସୀରଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ନବୀନ ନିବାସ ଘେରାଉ କରିବାକୁ ଯାଇଥିଲେ । ସେମାନଙ୍କ ମୁଖ୍ୟ ପ୍ରସଙ୍ଗ ଥିଲା, ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର କରନ୍ତୁ । ମମିତା ମେହେର ହତ୍ୟାକାଣ୍ଡ ପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସବୁ ଜାଣିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଥିରୁ ଖୋଦ ମୁଖ୍ୟମନ୍ତ୍ରୀ, କ୍ୟାପଟେନ ମିଶ୍ରଙ୍କୁ ଘଣ୍ଟ ଘୋଡାଇ ରଖିଥିବା ସ୍ପଷ୍ଟ ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ତେବେ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ବେଳେ ପୋଲିସ ସହ କର୍ମୀଙ୍କ ମୁହଁମୁହିଁ ହୋଇଥିଲା । ପୋଲିସ ପକ୍ଷରୁ କରାଯାଇ ଥିବା ବାରିକେଡକୁ ଅତିକ୍ରମ କରିବାକୁ ଚେଷ୍ଟା କଲାବେଳେ ପୋଲିସ ଓ କର୍ମୀ ମାନଙ୍କ ମଧ୍ୟରେ ଜବରଦସ୍ତ ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ କଂଗ୍ରେସ ପକ୍ଷରୁ ନବୀନ ନିବାସକୁ ଟମାଟ ମାଡ଼ କରାଯାଇଥିବା ମଧ୍ୟ ଦେଖାଯାଇଛି । ଏହି ଘେରାଉରେ ଜଟଣୀ ର ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ଦେବାଶିଷ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ବିରୁଦ୍ଧରେ ନାରାବାଜି ଦେଇଥିଲେ ।

ଖାଲି ସେତିକି ନୁହେଁ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ଖୋର୍ଦ୍ଧା ସହରରେ କଂଗ୍ରେସ ବିରାଟ ଶୋଭଯାତ୍ରା  ଦେଖିବାକୁ ମିଳିଛି । ହତ୍ୟାକାରୀ ଗୋବିନ୍ଦ ସାହୁ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ହେତୁ ତୁରନ୍ତ ତାଙ୍କୁ ବହିଷ୍କାର କରିବା ସହ ତଦନ୍ତ ପରିସରଭୁକ୍ତ କରିବାକୁ ଖୋର୍ଦ୍ଧା କଂଗ୍ରେସ ଦାବି କରିଛି । ଏଠାରେ ମଧ୍ୟ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀ ସରକାରଙ୍କ ବିରୋଧରେ ନାରା ଦେବା ସହ ଖୋର୍ଦ୍ଧା- ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଏହି ଅବସରରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

ଅନ୍ୟପଟେ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ନୂଆପଡ଼ାରେ ବିଜେପି ଯୁବ ମୋର୍ଚ୍ଚାର ପ୍ରତିବାଦ ମଧ୍ୟ ଦେଖିବାକୁ ମିଳିଛି । ଏସ୍‌ପି ଅଫିସ୍ ଘେରାଉ କରିଛି ବିଜେପି ଯୁବ ମୋର୍ଚ୍ଚା । ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ । ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆସନ୍ତା ୨୮ରେ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି ।