• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୋଲସରା(ଅକ୍ଷୟ ମହାରଣା) : ଗୋବରରେ ଖେଳନା ତିଆରି କରୁଛନ୍ତି ମହିଳା । ଦେଖିଲେ ଆଖି ଲାଖି ରହିଯିବ । ଗୋବରରେ ଯେ ଏତେ ସୁନ୍ଦର ଖେଳନା ତିଆରି କରିହୁଏ, ତାହା ବିଶ୍ୱାସ କରିହେବନି । ଗ୍ରାମାଞ୍ଚଳରେ ଯେଉଁଠି ଗୋବରକୁ ଘର ଲିପିବାରେ ବ୍ୟବହାର କରାଯାଏ, ସେଠାରେ କିଛି ମହିଳା ଏହାକୁ ସଂଗ୍ରହ କରି ପିମ୍ପୁଡି ମରା ପାଉଡର, ପାଉଁଶ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତି । ଆଉ ସେହି ମିଶ୍ରଣରେ ଖେଳନା ତିଆରି କରି ତାକୁ ବିଭିନ୍ନ ରଙ୍ଗରେ ସଜେଇ ବଜାରରେ ବିକ୍ରି କରନ୍ତି । ହେଲେ ଏବେ କରୋନା ମହାମାରୀ ଯୋଗୁଁ ଖେଳନା ବିକ୍ରି ହୋଇପାରୁ ନାହିଁ ।

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମଥୁରା ଗ୍ରାମର ରୁହନ୍ତି କିଛି ପଥୁରିଆ କାରିଗରଙ୍କ ପରିବାର । ସ୍ୱାମୀ ପଥରରେ ଖୋଦେଇ କରୁଥିବା ବେଳେ ପରିବାରର ମହିଳାମାନେ ଗୋବରରେ ଖେଳନା ତିଆରି କରନ୍ତି । ରାସ୍ତା କଡରେ ପଡିଥିବା ଗୋବରକୁ ଏକାଠି କରି ପିମ୍ପୁଡି ମରା ପାଉଡ ଓ ସେଥିରେ ପାଉଁଶ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତି । ମିଶ୍ରଣ ଶୁଖିଗଲା ପରେ ତାକୁ ରଙ୍ଗ ଦିଅନ୍ତି । ରଙ୍ଗ ଦେଲା ପରେ ବିକ୍ରି କରିବା ପାଇଁ ମେଳା, ଦଣ୍ଡନୃତ୍ୟ, ନାମଯଜ୍ଞ ଭଳି ଲୋକଙ୍କ ଗହଳି ହେଉଥିବା ସ୍ଥାନରେ ସେମାନେ ଖେଳନା ମାନ ବିକ୍ରି କରନ୍ତି ।

ହେଲେ ଆଜିର ପରିସ୍ଥିତିରେ ମେଳା ଓ ଦଣ୍ଡନୃତ୍ୟ ଭଳି ବିଭିନ୍ନ ଧର୍ମୀୟ କାର୍ଯ୍ୟକ୍ରମ ବନ୍ଦ ଥିବାରୁ କୌଣସି ବ୍ୟବସାୟ ହୋଇପାରୁନି । କରୋନା ମହାମାରୀ ଯୋଗୁଁ ସବୁ ଖେଳନା ସେମିତି ସଜେଇ ହୋଇ ଘର କୋଣରେ ପଡ଼ିରହିଛି । ବଜାର ଅଭାବରୁ ଅନେକ ଖେଳନା ଡ୍ରମରେ ଓ ବାକ୍ସରେ କେବଳ ସାଇତି ହୋଇରହିଛି । ବିଡମ୍ବନାର ବିଷୟ ହେଉଛି, ଏମିତି ପେଷାକୁ ରୋଜଗାରର ପନ୍ଥା ଭାବେ ବାଛିଥିବା ମଣିଷମାନେ କେମିତି ଚଳିବ ତାହା ଏବେ ପ୍ରଶ୍ନ ଉଠୁଛି ।