• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାଜଧାନୀରେ ମଣିଷଖିଆ ଡ୍ରେନ୍ ସୃଷ୍ଟିକାରୀ କିଏ ?

  • କାହା ପାଇଁ ମୁକୁଳା ଡ୍ରେନ୍‌ରେ ଗଡ଼ିଲାଣି ୬ବର୍ଷରେ ୬ ମୁଣ୍ଡ ?

ଭୁବନେଶ୍ୱର: ରାଜଧାନୀରେ ମଣିଷଖିଆ ଡ୍ରେନ୍ ସୃଷ୍ଟିକାରୀ କିଏ ? କାହା ପାଇଁ ମୁକୁଳା ଡ୍ରେନ୍‌ରେ ଗଡ଼ିଲାଣି ୬ବର୍ଷରେ ୬ ମୁଣ୍ଡ ? ବରମୁଣ୍ଡା ଡ୍ରେନ୍ ଟ୍ରାଜେଡିକୁ ଆଦୌ ସହଜରେ ଗ୍ରହଣ କରିପାରୁନଥିବା ରାଜଧାନୀବାସୀ ବାରମ୍ବାର ପଚାରୁଛନ୍ତି ଏ ପ୍ରଶ୍ନ । ଆଉ ନିରୀହ ଛାତ୍ର ରାଜାକୁ ଭସାଇ ନେଇଥିବା ଶତାବ୍ଦୀନଗର ଲେନ୍ ୭ର ଏଇ ମୁକୁଳା ଡ୍ରେନ୍ ତ ଯେମିତି ସାଂଘାତିକ ସତ ବଖାଣୁଛି । ବିଏମ୍‌ସିର ପାରିବା ପଣିଆକୁ ନେଇ ଏଠି ସ୍ଥାୟୀ ଡ୍ରେନ୍ ନିର୍ମାଣ ପାଇଁ ବିଏମ୍‌ସି କମିଶନରଙ୍କୁ ବହୁବାର ଗୁହାରି ପରେ ବି ନଶୁଣିବାରୁ, ଅଞ୍ଚଳବାସୀ ନିଜ ଖର୍ଚ୍ଚରେ ହ୍ୟୁମ୍ ପାଇପ୍ ଦୁଇଟି ବସାଇ ଡ୍ରେନ ପାଣି ନିଷ୍କାସନ ବ୍ୟବସ୍ଥା କରିଛନ୍ତି । କହିଛନ୍ତି, ଯଦି ବିଏମ୍‌ସି କଥା ଶୁଣିଥାନ୍ତା, ହୁଏତ ରବିବାର ଏତେ ବଡ଼ ଅଘଟଣ ଘଟିନଥାନ୍ତା ।

ଶତାବ୍ଦୀ ନଗରର ମଣିଷଖିଆ ଡ୍ରେନ୍ ଭଳି, ରାଜଧାନୀ ସାରା ଅନେଇଛି ମାଳ ମାଳ ମୁକୁଳା ଡ୍ରେନ୍ । ସହରରେ ୧୦ଟି ମୁଖ୍ୟ ଡ୍ରେନ୍ ସମେତ ବିଭିନ୍ନ ଓ୍ୱାର୍ଡରେ ବି ରହିଛି ଛୋଟ ବଡ଼ ଡ୍ରେନ୍ । ହେଲେ ଅଧିକାଂଶ ମୁକୁଳା । ଗତକାଲି ଭଳି ଆଜି ବି ସ୍ମାର୍ଟ ସିଟିର ଡ୍ରେନ୍ ଚେହେରା ପରଖିଥିଲା ଓଟିଭି । ରାଜଧାନୀର ଅନ୍ୟତମ ପ୍ରବେଶ ପଥ ପଳାଶୁଣୀ ମୁଖ୍ୟ ରାସ୍ତା କଡ଼ ଡ୍ରେନ୍‌ରେ ନା ଅଛି ସ୍ଲାବ୍, ନା ଅଛି ଗାର୍ଡ ଓ୍ୱାଲ୍ । ଡ୍ରେନ୍ ସଫା ପରେ ଯେଉଁ ମାଟି ବାହାରିଛି, ତାହା ସାଜିଛି ଅସ୍ଥାୟୀ ସୁରକ୍ଷା ବାଡ଼ ।

ସେମିତି ପଳାଶୁଣି-ଚକେଇସିଆଣି କେନାଲ ବନ୍ଧ ରାସ୍ତାର ଏ ବିରାଟ ଡ୍ରେନ୍ କେତେ ଲୋକଙ୍କୁ ଯେ ଖଣ୍ଡିଆ ଖାବରା କଲାଣି ତାର ହିସାବ ପାଇବା ମୁସ୍କିଲ । ସେହିଭଳି ଝାରପଡ଼ା ଗଣେଶ ମଣ୍ଡପ ସମ୍ମୁଖରେ ଯାଇଥିବା ଡ୍ରେନ୍ ଭିତରୁ ବାହାରିଥିବା ଲୁହାଛଡ଼ ଯେମିତି ବଡ଼ ବିପଦକୁ ଆମନ୍ତ୍ରଣ କରୁଛି । ଟିକିଏ ଅନ୍ୟମନସ୍କ ହେଲେ, ଦେହରେ ଗଳିଯିବ । କଳ୍ପନା ଛକ ନିକଟ ବ୍ୟସ୍ତ ବହୁଳ କଟକ ରୋଡ଼ରେ ବି ବିନା ସ୍ଲାବରେ ମୁକୁଳା ପଡ଼ିଛି ଡ୍ରେନ୍ । ସେମିତି ପୁରୁଣା ଭୁବନେଶ୍ୱର ବିନ୍ଦୁସାଗର ନିକଟ କେଦାରଗୌରୀ ଛକର ମୁକୁଳା ଡ୍ରେନ୍ ବି ମରଣଯନ୍ତା ପାଲଟିଛି । ଆଉ ଖୋଦ୍ କ୍ୟାପିଟାଲ ହସ୍ପିଟାଲ ସମ୍ମୁଖ, ରେଳ ଷ୍ଟେସନ୍ ମୁଖ୍ୟ ପ୍ରବେଶ ପଥ ହେଉ କି ମାଷ୍ଟର କ୍ୟାଣ୍ଟିନ୍ ଛକ ସବୁଠି ଡ୍ରେନ୍ ପଡ଼ିଛି ମୁକୁଳା ।

ବେସରକାରୀ ତଥ୍ୟ ଅନୁସାରେ ରାଜଧାନୀରେ ପ୍ରାୟ ୮ଶହ କିଲୋମିଟରରୁ ଅଧିକ ଲମ୍ବା ଡ୍ରେନ୍ ଅଛି । ଯେଉଁଥିରୁ ବିଏମ୍‌ସି ଅଧୀନରେ ପ୍ରାୟ ୪ ଶହ କିଲୋମିଟର ରହିଛି ଇଡ୍‌କୋ, ପୂର୍ତ୍ତ ବିଭାଗ ଓ ଏନଏଚ୍ଏଆଇ ଅଧୀନରେ ବି ଶହ ଶହ କିଲୋମିଟର ଡ୍ରେନ୍ ରହିଛି । ଉଦ୍‌ବେଗର କଥା ହେଲା ସେଥିରୁ ୬୦ ପ୍ରତିଶତ ଡ୍ରେନ୍‌ରେ ନାହିଁ ସ୍ଲାବ । ଅର୍ଥାତ୍ ପ୍ରାୟ ୫ଶହ କିଲୋମିଟର ଡ୍ରେନ୍ ମୁକୁଳା ପଡିଛି । ସେପଟେ ବରମୁଣ୍ଡା ଡ୍ରେନ୍ ଟ୍ରାଜେଡି ପରେ ବିଏମ୍‌ସି, ତଦନ୍ତକାରୀ କମିଟି ଗଠନ କରି ଘଟଣାର ଅନୁଧ୍ୟାନ କରିଛି ।

ରାଜଧାନୀର ଡ୍ରେନ୍ ଟ୍ରାଜେଡିକୁ ନେଇ ବିଧାନସଭା ଗୃହ କମିଟିର ଉଦେବଗ । ବର୍ଷା ବେଳେ ଉଭୟ କଟକ ଓ ଭୁବନେଶ୍ୱରର ମୁକୁଳା ପଡ଼ିଥିବା ବହୁ ଡ୍ରେନ୍ ଲୋକଙ୍କ ଜୀବନ ନେଉଥିବାରୁ ଏ ସମସ୍ୟାର ସମାଧାନ ଲାଗି ତତ୍ପରତା ପ୍ରକାଶ କରିଛି ଗୃହ କମିଟି । ଆଗାମୀ ୫ ତାରିଖରେ BMC ଓ CMC କମିଶନର, ଡ୍ରେନେଜ ଯନ୍ତ୍ରୀ, ଜାଇକା କର୍ତ୍ତୃପକ୍ଷ ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଛି । ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ କମିଟି ବୈଠକରେ ବର୍ଷା ବେଳେ ଡ୍ରେନ୍ ସମସ୍ୟା ଓ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତ୍ୟୁକୁ ନେଇ ଆଲୋଚନା କରାଯାଇଥିଲା ।