• translate
Prangyan Parimita

News Highlights

  • ଜନ୍ମମାଟିରେ ପହଞ୍ଚିଲା ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ପାର୍ଥିବ ଶରୀର

  • ପୈତୃକ ଗାଁ ମୟୂରଭଂଜ ଜିଲ୍ଲା ମୁକ୍ତାଝରି ସାହିରେ ଶୋକାକୁଳ ପରିବେଶ

  • ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସୀତାରାମଙ୍କ ହେବ ଶେଷକୃତ୍ୟ

  • ମୁଣ୍ଡଳୀରେ ହାତୀ ଉଦ୍ଧାରରେ ବେଳେ ବୋଟ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ

କରଞ୍ଜିଆ (ଦୀପକ କୁମାର ମହାନ୍ତ):  ଜନ୍ମମାଟିରେ ପହଞ୍ଚିଲା ଯବାନ ସୀତାରାମ ମୁର୍ମୁଙ୍କ ପାର୍ଥିବ ଶରୀର । ପୈତୃକ ଗାଁ ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡକେଇପାଳ ଗାଁର ମୁକ୍ତାଝରି ସାହିରେ ଏବେ ଶୋକାକୁଳ ପରିବେଶ । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସୀତାରାମଙ୍କ ଶେଷକୃତ୍ୟ କରାଯିବ । ଅପରେସନ ଗଜରାଜରେ ସାମିଲ ହୋଇ ପାଣିରେ ଫସି ରହିଥିବା ଗଜରାଜକୁ ଉଦ୍ଧାର କରିବା ପାଇଁ ବୋଟରେ ଯାଇଥିଲେ ସୀତାରାମ ମୁର୍ମୁ । ମାତ୍ର ବୋଟ ଜଳସ୍ରୋତରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ବୋଟରୁ ଖସି ପାଣିରେ ଭାସିଯାଇ ଜୀବନ ହାରିଥିଲେ ଯବାନ୍ ।

ତେବେ ସୀତାରାମ ମୁର୍ମୁଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କ ପୈତୃକଗ୍ରାମ ସମେତ ଠାକୁରମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅମରଆତ୍ମାର ସଦଗତି କାମନା କରିଛନ୍ତି ଅଞ୍ଚଳ ବାସୀ । ତାଙ୍କର ମୃତ୍ୟୁ ଖବର ଆସିବା ପରଠୁ ଗ୍ରାମରେ ଚୂଲି ବି ଜଳୁନି । ସମସ୍ତେ ସୀତାରାମଙ୍କୁ ଝୁରୁଛନ୍ତି । ସେ ଅତ୍ୟନ୍ତ ଦୁଃସାହସୀ ଥିବାବେଳେ ପାଣି ଭିତରେ ମୃତ୍ୟୁ କଥାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ସିତାରାମଙ୍କ ପରିବାରରେ ବୃଦ୍ଧବାପା, ତିନିଭାଇ ଓ ଜଣେ ଭଉଣୀ ଅଛନ୍ତି । ସେ ନିକଟସ୍ଥ ହାଣ୍ଡିଫୁଟା ଗ୍ରାମ ମହାଦେବ ଚନ୍ଦ୍ରଶେଖର ହାଇସ୍କୁଲ(MCS)ରୁ ମ୍ୟାଟ୍ରିକ ପାସ କରିବା ପରେ ୨୦୦୧ ମସିହାରେ ପୋଲିସ ଚାକିରି ଆରମ୍ଭ କରିଥିଲେ l ତାଙ୍କର ୧୨ ବର୍ଷର ଗୋଟିଏ ପୁଅ ଏବଂ ୪ ବର୍ଷର ଝିଅଟିଏ ଅଛି l ପରିବାର ସହ ସେ କଟକରେ ରହୁଥିଲେ ।

ସେ ଷଷ୍ଠ ବାଟାଲିୟନରେ ଥିବାବେଳେ ଓଡ୍ରାଫ ଟିମରେ ସାମିଲ ହୋଇଥିଲେ l ପିଲାବେଳୁ ନଦୀପାର ହୋଇ ସ୍କୁଲ ଯାଉଥିଲେ ଏବଂ ଚାକିରି କରିବା ପରେ ପାଣି ଭିତରୁ ଅନେକ ଲୋକଙ୍କୁ ଉଦ୍ଧାର କରିବାର ନଜିର ରହିଛି l ମାତ୍ର ସେ ନିଜେ ଦିନେ ପାଣିରେ ନିଖୋଜ ହୋଇଯିବେ ଏହା ଏବେବି ଲୋକେ ଗ୍ରହଣ କରିପାରୁନାହାନ୍ତି l ତାଙ୍କର ଅକାଳ ବିୟୋଗରେ ବାପା, ଭାଇ, ଆତ୍ମୀୟସ୍ୱଜନ ଭାଙ୍ଗି ପଡିଛନ୍ତି।

ତିନିଭାଇ ବିବାହ କରିଥିବା ବେଳେ ଦୁଇଭାଇ କଟକରେ ପୋଲିସ ବିଭାଗରେ ଚାକିରି କରୁଛନ୍ତି । ସାନଭଉଣୀ ଜଗତସିଂପୁରରେ ଜିଲ୍ଲାପୋଲିସ ଭାବେ କାର୍ଯ୍ୟରତ ଅଛନ୍ତି । ବର୍ତ୍ତମାନ ମୁକ୍ତାଝରି ଗ୍ରାମରେ ବୃଦ୍ଧ ବାପାଙ୍କ ସହ ସାନଭାଇ ଚାଷବାସ କରନ୍ତି । ତେବେ ଏପରି ଏକ ଆକସ୍ମିକ ଦୁର୍ଘଟଣାରେ ପୁଅକୁ ହରାଇ ମ୍ରିୟମାଣ ହଇ ଯାଇଛନ୍ତି ବୃଦ୍ଧ ବାପା ।

Other Stories