• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ହଠାତ୍ ଏକ ସଡ଼କ ଦୁର୍ଘଟଣାରେ ହାତ ଛାଡ଼ି ଚାଲିଗଲେ ସ୍ୱାମୀ

  • ଏକା ହୋଇଗଲେ ଜାଏଦା ବିବି

  • ୪ ମାସ ଘରେ ବସି କାନ୍ଦିଲେ ଓ ନିଜକୁ ଶକ୍ତ କଲେ

ଯାଜପୁର( ଗୁଲାମ୍ ଗସ୍ ) : ନାରୀ ହେବ ତ ଏମିତ । ସ୍ୱାମୀଙ୍କ ମୃତ୍ୟୁ ପରେ ବି ଭାଙ୍ଗି ପଡିନାହାଁନ୍ତି । ହେଲେ ନିଜର ଦୁଃଖ ବଖାଣୁ ବଖାଣୁ କଣ୍ଠସ୍ୱର ଭାରି ହୋଇଯାଉଛି । ପରିବାର ଚଳାଇବା ସହ ତିନି ତିନୋଟି ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ସେ ଅଣ୍ଟା ଭିଡିଛନ୍ତି । କାହା ଉପରେ ନିର୍ଭର ନକରି ଗାଁ ଗାଁ ବୁଲି ଷ୍ଟସନାରୀ ବ୍ୟବସାୟ କରୁଛନ୍ତି ଆଉ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚୋରମୁହାଁ ପଂଚାୟତ ଜାଏଦା ବିବିଙ୍କ ସଂଘର୍ଷର କାହାଣୀ ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚୋରମୁହାଁ ପଂଚାୟତର ସେକ୍ ରୁସ୍ତମଙ୍କ ପତ୍ନୀ ଜାଏଦା ବିବି । ଚାରି ବର୍ଷ ତଳେ ଏକ ସଡକ ଦୁର୍ଘଟଣାରେ ରୁସ୍ତମଙ୍କର ଜୀବନ ଚାଲିଗଲା । ଏକା ହୋଇଗଲେ ଜାଏଦା ବିବି। ଘରର ଏକମାତ୍ର ରୋଜଗାରିଆ ଆରପାରିକୁ ଚାଲିଯିବା ପରେ ପରିବାରରେ କଳାବାଦଲ ଛାଇଥିଲା । ଛୋଟ ଛୋଟ ୨ଟି ପୁଅ ଓ ଗୋଟିଏ ଝିଅକୁ ନେଇ କେମିତି ବଂଚିବେ ସେ ନେଇ ଚିନ୍ତାରେ ପଡିଯାଇଥିଲେ ଜାଏଦା । ୪ ମାସ ଘରେ ବସି କାନ୍ଦିବା ପରେ ସେ ନିଜକୁ ଶକ୍ତ କଲେ।

ନିଜର ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ତାଙ୍କୁ ଜୀବନ ଜୀବିକା ନିର୍ବାହ କରିବାର ରାହା ଦେଖାଇଥିଲା । ଗାଁ ଗାଁ ବୁଲି ବ୍ୟବସାୟ କରିବାକୁ ଚିନ୍ତାକଲେ । ଜାଏଦା ପ୍ରଥମେ ଏକ ସାଇକେଲରେ ଆଖା ପାଖ ଗାଁକୁ ଯାଇ ଚୁଡି, ଟିକିଲି, ଛୋଟ ପିଲାମାନଙ୍କ ଡ୍ରେସ ସହ ଅନ୍ୟାନ୍ୟ ଷ୍ଟେସନାରୀ ସାମଗ୍ରୀ ବିକ୍ରି କରିବା ଆରମ୍ଭ କଲେ । ବ୍ୟବସାୟ ଭଲ ହେବାରୁ ଧିରେ ଧିରେ ନିଜ ବ୍ୟବସାୟକୁ ବଢାଇଲେ । ଏବେ ଏକ ସ୍କୁଟର ସାହାଯ୍ୟରେ ବିଭିନ୍ନ ଗାଁକୁ ଯାଇ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରିବାରେ ସକ୍ଷମ ହୋଇଛନ୍ତି ଜାଏଦା ।

ଏହି ବ୍ୟବସାୟ ପାଇଁ ଜାଏଦାଙ୍କୁ ବହୁତ କଷ୍ଟ କରିବାକୁ ପଡୁଛି । ଜାଏଦା ନିଜେ ୧୫ କିଲୋମୋଟର ଦୂର ଚଣ୍ଡିଖୋଲ ଓ ମଧୁବନ ବଜାରକୁ ଯାଇ ମାର୍କେଟିଂ କରି ବ୍ୟବସାୟ ଉପକରଣ ଆଣିଥାନ୍ତି । ଏପଟେ ଘରର ସମସ୍ତ ଦାୟିତ୍ୱ ସାଙ୍ଗକୁ ପିଲାମାନଙ୍କ ପାଠ ପଢା ଦାୟିତ୍ୱର ବୋଝ ମଧ୍ୟ ତାଙ୍କ ମୁଣ୍ଡ ଉପରେ । ସକାଳୁ ଘରେ ରୋଷେଇ କାର୍ଯ୍ୟ ସାରି ପିଲାମାନଙ୍କ କଥା ବୁଝି ବ୍ୟବସାୟକୁ ବାହାରି ପଡନ୍ତି ଜାଏଦା ।

ଗ୍ରାହକଙ୍କ ପସନ୍ଦ ମୁତାବକ ଚୁଡି, ଡ୍ରେସ ଓ ଷ୍ଟେସନାରୀ ଆଇଟମ ଧରି ଘର ଦୁଆର ପହଞ୍ଚନ୍ତି । କାହା ଉପରେ ନିର୍ଭର ନକରି ଜାଏଦା ନିଜ ପିଲାଙ୍କ ପାଇଁ ସମସ୍ତ କଷ୍ଟ ଓ ତ୍ୟାଗକୁ ସ୍ୱୀକାର କରିଛନ୍ତି । ପୂର୍ବରୁ ଏହି ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇଥବା ବେଳେ ଏବେ ସରକାରୀ ସହାୟତା ଭାବେ ଜାଏଦାଙ୍କୁ ରାସନ ସାମଗ୍ରୀ ଏବଂ ଭତ୍ତା ମିଳୁଛି । ତେବେ ଏହି ପରିବାରକୁ ଅନ୍ୟାନ୍ୟ ସମସ୍ତ ସରକାରୀ ସୁବିଧା ଯୋଗାଇଦେବାକୁ ଗ୍ରାମାବସୀ ଦାବି କରିଛନ୍ତି । ବିନା ସରକାରୀ ସହାୟତାରେ କାହା ଉପରେ ନିର୍ଭର ନକରି ଜଣେ ଅସହାୟ ମହିଳା ନିଜ ଗୋଡରେ ଠିଆ ହୋଇପାରେ ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଜାଏଦା ବିବି ।