• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସାମାନ୍ୟ ଅସାବଧାନତାରୁ ମୃତ୍ୟୁର ମହାସ୍ରୋତ ସାଜୁଛି କି ମହାନଦୀ ?

  • ସମ୍ବଲପୁରରେ ଗୋଟିଏ ପରିବାରର ତିନି ସଦସ୍ୟଙ୍କ ଅକାଳ ମୃତ୍ୟୁ ।

ସାମାନ୍ୟ ଅସାବଧାନତାରୁ ମୃତ୍ୟୁର ମହାସ୍ରୋତ ସାଜୁଛି କି ମହାନଦୀ ? ଗତକାଲି ସମ୍ବଲପୁରରେ ଗୋଟିଏ ପରିବାରର ତିନି ସଦସ୍ୟଙ୍କ ଅକାଳ ମୃତ୍ୟୁ, ଏଭଳି ପ୍ରଶ୍ନକୁ ଉଜ୍ଜୀବୀତ କରିଛି । ବେପରୁଆ ଗାଧୁଆ ହେଉ କି ନୌକା ଦୁର୍ଘଟଣା ଅବା ଆତ୍ମହତ୍ୟା । ମହାନଦୀରେ ଦୁର୍ଘଟଣା ସଂଖ୍ୟା ବଢି ଚାଲିଛି । ତଥ୍ୟ କହୁଛି କେବଳ ସମ୍ବଲପୁରରେ ଗତ ୫ବର୍ଷରେ ମହାନଦୀରେ ୧୨ରୁ ଅଧିକ ଜୀବନ ଯାଇଥିବାବେଳେ କଟକରେ ୩ ବର୍ଷରେ ୩୨ଜଣ ପ୍ରାଣ ହରାଇଲେଣି । 

ତାଜା ଘଟଣା ହେଉଛି ଗଲାକାଲି ସମ୍ବଲପୁରରେ ମହାନଦୀର ଦଳେଇପଡ଼ା ଘାଟରେ ଗୋଧାଇବା ବେଳେ ପେନସନପଡ଼ାର ମହମ୍ମଦ ଅଲତାଫ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ପୁଅ ଓ ଝିଅ ଭାସି ଯାଇଥିଲେ । ଗତକାଲି ପୁଅ ଓ ବାପା ଓ ଆଜି ବହୁ ଖୋଜାଖୋଜି ପରେ ଝିଅର ମୃତଦେହ ମିଳିଛି । ଏହି ଘଟଣା ସମଗ୍ର ସମ୍ବଲପୁରରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ତଥ୍ୟ କହୁଛି କେବଳ ସମ୍ବଲପୁରରେ ଗତ ୫ବର୍ଷରେ ମହାନଦୀରେ ୨୧ଟି ବୁଡ଼ି ଘଟଣା ଘଟିଛି ଯେଉଁଥିରେ ୧୨ରୁ ଅଧିକ ଜୀବନ ଯାଇଛି ।

୨୦୧୬ ମସିହା କଥା ମନେ ପକାଇବା ଯଦି, ସେହି ବର୍ଷ ଅଗଷ୍ଟ ୩୧ରେ କଟକ ଗଡ଼ଗଡ଼ିଆ ଘାଟରେ ଗାଧୋଉଥିବା ବେଳେ ମହାନଦୀରେ ଭାସି ଯାଇଥିଲେ ଭୁବନେଶ୍ୱରର ଏକ ଇଂଜିନିୟରିଂ କଲେଜର ୪ ଛାତ୍ରଛାତ୍ରୀ । ମାତ୍ର ଜଣେ ବଞ୍ଚି ଯାଇଥିଲା । ସେମିତି ନିକଟରେ ଗତ ୨୪ ତାରିଖରେ ମହାନଦୀର ମୁଣ୍ଡଳୀଠାରେ ଓଡ୍ରାଫ୍ ବୋଟ୍ ଓଲଟି ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସଙ୍କ ସହ ଜଣେ ଓଡ୍ରାଫ୍ କର୍ମଚାରୀଙ୍କ ଅକାଳ ମୃତ୍ୟୁ ଘଟିଥିଲା । ମହାନଦୀରେ ବିଭିନ୍ନ ସମୟରେ ଏମିତି ଛୋଟ ବଡ଼ ଅଘଟଣମାନ ଘଟି ଚାଲିଛି ଯାହାକୁ ରୋକିବାକୁ କଟକରେ ମହାନଦୀର ଗଡ଼ଗଡ଼ିଆ ଘାଟ ଓ ଜୋବ୍ରା ସହ କିଛି ସ୍ଥାନକୁ ବିପଦପୂର୍ଣ୍ଣ ଚିହ୍ନଟ କରିଛି । ଏହାସହ ସେଠାରେ ନଦୀକୁ ନଯିବାକୁ ଫଳକ ଲଗାଇ ସତର୍କ କରିଛି ପ୍ରଶାସନ । ହେଲେ ସେ ସ୍ଥାନ ମଧ୍ୟରୁ ଯୋବ୍ରା ବ୍ୟାରେଜରେ ବେଧଡ଼କ ଚାଲିଛି ଗାଧୁଆ । ଲୋକଙ୍କୁ ପଚାରିବାରେ କହିଛନ୍ତି ପିଲାବେଳୁ ଗାଧୋଉଛୁ, ପହଁରା ଜାଣୁ ।

ବେପରୁଆ ସ୍ନାନ ହେଉ କି ଦୁର୍ଘଟଣା ଅବା ଆତ୍ମହତ୍ୟା । ମହାନଦୀରେ ଜୀବନହାନୀ ଘଟଣା ନୂଆ ନୁହେଁ । କେବଳ କଟକରେ ୨୦୧୯ରୁ ଆଜି ତାରିଖ ସୁଦ୍ଧା ୬୧ଟି ଦୁର୍ଘଟଣା ଜନିତ କଲ୍ ପାଇଛି ଅଗ୍ନିଶମ ବିଭାଗ । ଯେଉଁଥିରୁ ୨୯ଜଣଙ୍କ ଜୀବନ ରକ୍ଷା ସମ୍ଭବ ହୋଇଥିବାବେଳେ ୩୨ଜଣଙ୍କ ପ୍ରାଣ ଯାଇଥିବା ସୂଚନା ଦେଇଛନ୍ତି ଚିଫ୍ ଫାୟାର ଅଫିସର । ସେ କହିଛନ୍ତି, ରାଜ୍ୟରେ ୪୮୦ କିଲୋମିଟର କୋଷ୍ଟାଲ ଲାଇନ୍ ରହିଛି, ଯାହା ନଦୀ-ନାଳ ଓ ସମୁଦ୍ର ସଲଗ୍ନ । ସୁଇସାଇଡ୍, ଫିସିଂ ଅବା ଗାଧୁଆଜନିତ ମୃତ୍ୟୁ ଦୈନିକ ତିନିରୁ ଚାରିଟି ଦୁର୍ଘଟଣାଜନିତ ଖବର ଆସୁଛି । ସେ କହିଛନ୍ତି ସହରାଞ୍ଚଳରେ ଅଧିକାଂଶ ଲୋକ ପହଁରା ଜାଣନ୍ତିନି । ନଦୀ, ନାଳ କି ପୋଖରୀରେ ଗାଧୋଇବା ସେମାନଙ୍କୁ ଜଣାନାହିଁ । ତେଣୁ ଯେଉଁ ଦିନେ ଅଧେ ନଦୀ କି ପୋଖରୀକୁ ଯାଉଛନ୍ତି, ନିଜେ ବୁଡୁଛନ୍ତି ଅବା ବୁଡ଼ି ଯାଉଥିବା ଲୋକକୁ ବଞ୍ଚାଇବାକୁ ଯାଇ ଜୀବନ ହାରୁଛନ୍ତି ।

ସେପଟେ ନଦୀ ଭିତରକୁ ନିଶା ସେବନ କରି ପଶିବା ଓ ନଦୀର ଗଣ୍ଡସ୍ଥଳ ଏବଂ ଭଉଁରୀ ସ୍ଥାନଠୁ ଯଥାସମ୍ଭବ ଦୂରେଇ ରହିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି ସ୍କୁବା ଡାଇଭର ।