• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି) : କିଏ କାଠ ବୋହିଲା ତ କିଏ କାଠ କାଟିଲା । ସମସ୍ତେ କାମରେ ଲାଗିଗଲେ । ଟିଟିଲାଗଡ ବ୍ଲକ ମହୁଲପଡା ପଂଚାୟତର କୁଟରାକେନ୍ଦ ଗ୍ରାମବାସୀଙ୍କ ଉଦ୍ୟମରେ ତିଆରି ହେଲା କାଠପୋଲ । ଗାଁକୁ ରାସ୍ତା ନଥିବାରୁ ୨ ଟି ନାଳ ପାର ହୋଇ ଲୋକେ ଯିବାଆସିବା କରୁଥିଲେ । ବର୍ଷ ବର୍ଷ ଧରି ଏପରି ସମସ୍ୟାର ସମ୍ମୁଖୀନ ହେବା ପରେ ଅନେକ ସମୟରେ ପକ୍କା ରାସ୍ତା ଓ ପୋଲ ନିର୍ମାଣ ପାଇଁ ଦାବି କରି ଆସୁଥିଲେ ଗାଁ ଲୋକ । ରାଜନୈତିକ ବ୍ୟକ୍ତିଠୁ ଆରମ୍ଭ କରି ବିଭିନ୍ନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ନିଜ ପ୍ରଚେଷ୍ଟାରେ ତିଆରି କରିଛନ୍ତି କାଠ ପୋଲ । ଗ୍ରାମବାସୀଙ୍କ ଏଭଳି ପଦକ୍ଷେପକୁ ନେଇ ପ୍ରଶଂସା କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ । ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ।

ଟିଟିଲାଗଡ ବ୍ଲକ ମୁଖ୍ୟାଳୟରୁ ମାତ୍ର ୧୨ କିମି ଦୂରେ ଅଛି କୁଟରାକେନ୍ଦ ଗାଁ । ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଲୋକେ ମୌଳିକ ସୁବିଧାରୁ ବଂଚିତ, ଗାଁକୁ ରାସ୍ତା ନାହିଁ । ବ୍ଲକ ମୁଖ୍ୟାଳୟକୁ ଯିବାକୁ ହେଲେ ୨ଟି ନାଳ ଡେଇଁ ଯିବାକୁ ପଡ଼ୁଛି । ନାଳରେ ବର୍ଷର ୪ ମାସ ପାଣି ରହୁଥିବାରୁ ଲୋକେ ଯାତାୟାତ ପାଇଁ ଘୋର ସମସ୍ୟା ଭୋଗୁଛନ୍ତି । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲେନ୍ସ ବି ଆସିପାରୁନି । ସେହିପରି ଗାଁର ଚାଷୀମାନେ ମଧ୍ୟ ନିଜ ବହୁ କଷ୍ଟରେ ଯିବାଆସିବା କରି ନିଜର ଫସଲ ବିକ୍ରି କରୁଥିଲେ । ବାରମ୍ବାର ପ୍ରଶାସନ ପାଖରେ ହାରିଗୁହାରୀ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

ଶେଷରେ ନାଳ ଉପରେ ଏକ କାଠ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ନିଷ୍ପତ୍ତି ନେଇଥିଲେ । କାଠ ପୋଲ ତିଆରି ପାଇଁ ଆବଶ୍ୟକ ହେଉଥିବା କାଠ ପାଇଁ ନିଜ ଚାଷ ଜମିରେ ଥିବା ଗଛକୁ ଦାନ କରିଥିଲେ ଗ୍ରାମବାସୀ । ଏହାସହ ଗାଁ ଲୋକେ ଏକାଠି ହୋଇ ଗଛ ସଂଗ୍ରହ କରିବା ସହିତ ନାଳ ଉପରେ ଏକ ପୋଲ ତିଆରି କରିଛନ୍ତି । ଏହି ପୋଲ ତିଆରି ହେବା ଦ୍ୱାରା ଲୋକେ ବର୍ଷର ୧୨ ମାସ ବିନା କୌଣସି ସମସ୍ୟାରେ ଯିବାଆସିବା କରିପାରିବେ । ଗ୍ରାମବାସୀଙ୍କ ଏଭଳି ପଦକ୍ଷେପ ଏହି ଅଞ୍ଚଳର ଅନ୍ୟାନ୍ୟ ଗାଁ ପାଇଁ ଆଦର୍ଶ ସାଜିଥିବା ବେଳେ ଏଭଳି ପଦକ୍ଷେପକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ପ୍ରଶଂସା କରିଛନ୍ତି । ଏହାସହ ଗ୍ରାମବାସୀଙ୍କ ସମସ୍ୟାର ସ୍ଥାୟୀ ପ୍ରତିକାର କରାଯିବ ବୋଲି କହିଛନ୍ତି ।