• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆପଡା(ମାୟାଧର ସରାଫ) : ନିଜ ଦୁଃଖ କାହାକୁ କହିବ, ଶୁଣିବ ବା କିଏ ? ସରକାରୀ ସହାୟତା ଆକାଶ କଇଁୟା ଚିଲିକା ମାଛ ପରି । ‍ବୟସର ଅପରାହ୍ନରେ ବୃଦ୍ଧ ମହିଳାଙ୍କ ଉପରେ ପରିବାର ବୋଝ । ବଳବୟସ ଗଲାଣି, ଚମ ଧୁଡ଼ୁ ଧୁଡ଼ୁ କରୁଛି, ତଥାପି ଘର କାମ କରୁଛନ୍ତି । ପୁଅ କାମ କରିପାରୁନି, ପରିବାର ଚଳାଉଛନ୍ତି । ଏମିତି ସମସ୍ୟାରେ ଜୀବନ ଜିଉଁଛନ୍ତି ଅସହାୟ ଦୂର ମାଝି ।

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଖଇରା ପଂଚାୟତର ଗୋହିରାପଦର ପଡାର ଦୂର ମାଝୀ । ପରିବାର କହିଲେ ଭିନ୍ନକ୍ଷମ ପୁଅ, ମାନସିକ ରୋଗୀ ନାତୁଣୀ । ଦୂରଙ୍କ ବୟସ ୭୦ ଡେଇଁଲାଣି । ଦିନ ଥିଲା ମା ଓ ପୁଅ ମିଶି ରୋଜଗାର କରୁଥିଲେ, ଦୁଃଖେସୁଖେ ଚଳି ଯାଉଥିଲା ପରିବାର । ନାତୁଣୀ ଜନ୍ମ ହେବା ପରେ ପରେ ତା’ ମା ଆରପାରିକୁ ଚାଳିଗଲା । ନାତୁଣୀକୁ ସାଉତି ସମ୍ଭାଳି ବଡ଼ କଲେ, କିନ୍ତୁ ସେ ବି ମାନସିକ ରୋଗୀ । ପୁଅ ଜିତାକୁ ଭରଷା କରି ଚଳୁଥିଲେ ଯେ, ତାହା ବି ଦଇବ ସହିଲାନି । ବର୍ଷେ ହେବ ପୁଅ ଜିତାର ଗୋଡ଼ ଭାଙ୍ଗିଯାଇଛି । ସେ ଆଉ କୌଣସି କାମଧନ୍ଦା କରି ପାରୁନାହାନ୍ତି ।

ଦୂରଙ୍କୁ ଯାହା ଭତ୍ତା ଟଙ୍କା ଆଉ ଚାଉଳ ମିଳୁଛି, କଷ୍ଟେ ମଷ୍ଟେ ପରିବାର ଚଳୁଛି । ଚିନ୍ତା ଏତିକି ଜୀବନ ଥିବା ଯାଏ, ବାପା ଆଉ ଝିଅଙ୍କୁ ଦେଖିବେ । ହେଲେ କେତେବେଳେ କିଛି ଅଘଟଣ ଘଟିଲେ, ସେମାନଙ୍କୁ ଦେଖିବ କିଏ । ଘର ଖଣ୍ଡେ ଥିଲା, ତାହା ବି ଭାଙ୍ଗିଗଲା । ଝାଟିମାଟି କୁଡିଆରେ ଶାଢୀ ଓ ପଲିଥିନ ଟାଣି ରହୁଛନ୍ତି । ଦିନରେ ସୂର୍ଯ୍ୟ ଓ ରାତିରେ ଜହ୍ନ ଦିଶୁଛି । ଘର ଖଣ୍ଡେ ପାଇଁ ଲୋକ ପ୍ରତିନିଧିଠାରୁ ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଜଣାଇଛନ୍ତି । ହେଲେ ଦୂରର ଦୁଃଖ କିଏ ବୁଝି ନାହାନ୍ତି । ଭାଗ୍ୟକୁ ଆଦରି ଦୂର ପଲିଥିନ ଟଣା କୁଡିଆରେ ଜୀବନ ବିତାଉଛନ୍ତି । ଦୂରର ପରିବାରର ସମସ୍ୟା ସଂପର୍କରେ ଆମେ ବୋଡେନ ବିଡିଓଙ୍କୁ ଅବଗତ କରାଯାଇଥିଲା । ସହାୟତା କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।