• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପିଲାଙ୍କୁ ପାଠ ପଢ଼ାଇବା ସହ ସମାଜସେବା କରୁଛନ୍ତି ପବିତ୍ର ମୋହନ ଜେନା

  • ଦିନେ ଅସାଧାରଣ ଥିଲେ, ଆଜି ସାଧାରଣ ଜୀବନ ବିତାଉଛନ୍ତି

ଯାଜପୁର(ସଂଜୀବ୍ ନାୟକ) : ଚାଳ ଛପର ଘରେ ସାଧାରଣ ମଣିଷଟିଏ । ନିରାଡମ୍ବର ଜୀବନ ବିତାଉଛନ୍ତି ପୂର୍ବତନ ବିଧାୟକ । ନିଜର ସରଳ, ଅମାୟିକ, ନିଷ୍କପଟ ଓ ସରଳ ଜୀବନ ଶୈଳୀ ପାଇଁ ସେ ଚର୍ଚ୍ଚାରେ । ସାଇକେଲରେ ଯିବା ଆସିବା କରିବା ସହ ବୟସର ଅପରାହ୍ନରେ ନିଜ ଗାଁରେ ଚାଳ ଛପର ଘରେ ଜୀବନ ଅତିବାହିତ କରୁଛନ୍ତି । ପଚାଶ ବର୍ଷ ତଳେ ୧୯୭୧ ମସିହାରେ ଅବିଭକ୍ତ ବିଝାଂରପୁରରୁ ବିଧାୟକ ନିର୍ବାଚିତ ହୋଇଥିଲେ ପବିତ୍ର ମୋହନ ଜେନା । ରାଜନୀତିର ଉତଥାନ ପତନ ଭିତରେ ଥରେ ମାତ୍ର ନିର୍ବାଚିତ ହେବାର ସୁଯୋଗ ପାଇ ଥିବା ସରଳ ମଣିଷଟି ଆଜି ନିଜ ପରିବାର ସହ ସାଧାରଣ ଜୀବନଯାପନ କରୁଥିବା ବେଳେ ସାମର୍ଥ୍ୟ ଅନୁସାରେ ସମାଜ ସେବା ମଧ୍ୟ ଜାରି ରଖିଛନ୍ତି । ସରକାରଙ୍କ ଠାରୁ ମିଳୁଥିବା ବିଧାୟକ ପେନସନ ସହ ପରିବାର ଚଳାଇବା ଲାଗି ସେ ଚାଷ ବି କରୁଛନ୍ତି ।

ଯାଜପୁର ଜିଲ୍ଲା ବାଙ୍ଗରା ଗ୍ରାମର ପବିତ୍ର ମୋହନ ଜେନା । ସ୍ନାତକ ପରେ ପ୍ରଥମେ ସେକ୍ରେଟେରିଏଟ ନିଯୁକ୍ତି ତା’ପରେ ଚାକରି ଛାଡି ସମାଜସେବାରେ ଯୋଗ ଦେଇଥିଲେ । ଆଉ ତା’ପରେ ରାଜନୀତିରେ ଯୋଗ ଦେଇଥିଲେ ପବିତ୍ର ମୋହନ ଯେନା । ୧୯୭୧ ମସିହାରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅବିଭକ୍ତ ବରୀ ଓ ବିଝାଂରପୁରରୁ ନିର୍ବାଚନ ଲଢି ବିଧାୟକ ନିର୍ବାଚିତ ହୋଇଥିଲେ । ରାଜନୈତିକ ଅସ୍ଥିରତା କାରଣରୁ ଦୁଇ ବର୍ଷ ଭିତରେ ସରକାର ଭାଙ୍ଗି ଯାଇଥିଲା । ତାପରେ ଆଉ ବିଧାୟକ ହେବାର ସୁଯୋଗ ପାଇ ନଥିବା ପବିତ୍ର ଜେନା ଏବେ ନିଜ ଗାଁର ସେହି ପୁରୁଣା ଚାଳ ଘରେ ବାସ କରୁଛନ୍ତି ।

ନିଜକୁ ପୁର୍ବତନ ବିଧାୟକ ନଭାବି ଗାନ୍ଧୀବାଦକୁ ଭଲ ପାଉଥିବା ପବିତ୍ର ଜେନା ଖଦି ଓ ଧୋତି ପରିଧାନ କରି ସମାଜସେବା ଓ ବିଝାଂରପୁରର ସାମଗ୍ରିକ ଉନ୍ନତି କାମରେ ଅନବରତ ପରିଶ୍ରମ ଜାରି ରଖିଛନ୍ତି । ଦିନକୁ ଦିନ ବୟସ ବଢ଼ିଚାଲିଥିଲେ ସୁଦ୍ଧା ପ୍ରତ୍ୟେକ ଦିନ ସେ ସାଇକେଲ ଧରି ୭ କିମି ଯାଆସ କରିଥାନ୍ତି । ଘରେ ପାଳିଥିବା ଗୋସେବା କରିବା ସହ ସଭା ସମିତିରେ ନିଜକୁ ସାମିଲ କରି ସମୟ କାଟୁଛନ୍ତି । ବିଧାୟକ ସମୟରେ କୃଷି କୃଷକର ଉନ୍ନତି, କେନାଲ ମାଧ୍ୟମରେ ଜଳଯୋଗାଣ, ଗମନାଗମନ ଆଦି ଲାଗି ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କୁହନ୍ତି ପୁର୍ବତନ ବିଧାୟକ ପବିତ୍ର ଯେନା ।

ଆଗ ଭଳି ଆଜିର ବିଧାୟକମାନେ ବିଧାନସଭାଭଳି ପବିତ୍ର ଗୃହର ମର୍ଯ୍ୟାଦାକୁ ଗୁରୁତ୍ୱ ଦେଉ ନାହାନ୍ତି । ତଥା ଜନ ହିତକର କାର୍ଯ୍ୟରେ ଦୁର୍ନୀତି ବଢିଥିବା ସେ କୁହନ୍ତି । ସେ ବିଝାଂରପୁର ଲାଗି ଗୌରବ ଓ ତାଙ୍କ ଠାରୁ ଆଜିର ବିଧାୟକ କିଛି ଶିଖିବା ଉଚିତ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି । ପଚାଶ ବର୍ଷର ପୂର୍ବତନ ବିଧାୟକ ଭାବେ ସ୍ଥାନୀୟ ଅଂଚଳରେ ସେ ବେଶ ପରିଚିତ ଓ ପ୍ରଶଂସନୀୟ ।