• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଲେଶ୍ୱର: ଗାଁ ଦାଣ୍ଡରେ ପାଣି । ଘର ଭିତରେ ପାଣି । ରାସ୍ତା ଉପରେ ବି ପାଣି । ଜଳକାରେ ହଠାତ୍ ପାଣି ମାଡ଼ି ଆସିବା ଫଳରେ ଆଜି ଏମିତି କଲବଲ ବସ୍ତା ବ୍ଲକ୍‌ର ୧୨ରୁ ଅଧିକ ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଅଧିକ ଲୋକେ । ସେଠାରେ ସାଂଘାତିକ ଜଳବନ୍ଦୀ ସ୍ଥିତିର ଚିତ୍ର ଦେଖିବାକୁ ମିଳିଛି । କାହା ଘରର ପିଣ୍ଢା ଯାଏଁ ପାଣି ଲାଗିଛି ତ କେଉଁଠି ଗାଁ ମଝିରେ ମୁଣ୍ଡେ ଉଚ୍ଚର ପାଣି ଚାଲିଛି । ମାଛିଆ ଗାଁ ଭିତରର ଦୃଶ୍ୟ ଦେଖଲେ ଆଖିକୁ ବିଶ୍ୱାସ ହେବନି । ଏମିତି ବହୁ ଗାଁରେ ଏବେ ଓଡ୍ରାଫ୍ ଟିମ୍‌ର ଡଙ୍ଗା ଚାଲିଛି । ଯେଉଁଠି ବିପଦ ଅଧିକ, ସେଠି ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ରେସ୍‌କ୍ୟୁ ଚାଲିଛି । ସେହିଭଳି ପୁନସିତା ଗାଁରେ ଜଣେ ମାଆ ସହ ତାର ତିନି ଦିନର ନବଜାତ ଶିଶୁକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ସେହିଭଳି ଏକତାଳି ନିକଟରେ ଜଳକା ନଦୀ ବନ୍ଧରେ ହଠାତ୍ ୫ ଶହ ଫୁଟ୍‌ରୁ ଅଧିକ ଓସାରର ଘାଇ ପରେ ବସ୍ତା, ମଥାନୀ ଓ ରାସଗୋବିନ୍ଦପୁର ଅଞ୍ଚଳର ୫୦ରୁ ଅଧିକ ଗାଁ ଜଳମଗ୍ନ ହୋଇଛି । ଶହ ଶହ ଏକର ଚାଷ ଜମି ବୁଡ଼ି ଯାଇଛି । ଜଳସେଚନ ବିଭାଗର ଅପାରଗ ପଣିଆକୁ ସବୁଠି ଦାୟୀ କରାଯାଇଛି । ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି ମୟୂରଭଞ୍ଜ ଜିଲ୍ଲାରେ ନଦୀର ଉପରମୁଣ୍ଡରେ ୨୪୦ ମିଲିମିଟରରୁ ଅଧିକ ବର୍ଷା ଫଳରେ ଜଳକା ନଦୀରେ ହଠାତ୍ ବନ୍ୟା ଆସିଛି । ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳ ସଜାଗ ଅଛନ୍ତି । ବନ୍ୟା ଘେରରୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ମଥାନୀଠାରେ ଜଳକାର ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଏବେ ବନ୍ୟାଜଳ ୭ ମିଟର ଉପରେ ପ୍ରବାହିତ ହେଉଛି । ବସ୍ତା-ବାଲିଆପାଳ ରାସ୍ତାରେ ଏବେ ୫ଫୁଟ୍‌ରୁ ଅଧିକ ଉଚ୍ଚର ପାଣି ଚାଲିଛି ।

ସେପଟେ ଲଗାଣ ବର୍ଷା ପରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଡହ ଜଳଭଣ୍ଡାରର ମୋଟ୍ ୪ଟି ଗେଟ୍‌ରୁ ୨ଟି ଗେଟ୍ ଖୋଲା ଯାଇଛି । ଫଳରେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଜଳଭଣ୍ଡାରର ଜଳଧାରଣ କ୍ଷମତାଠାରୁ ଅଧିକ ପାଣି ପ୍ରବେଶ କରିବାରୁ କର୍ତ୍ତୃପକ୍ଷ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ସେପଟେ ଖୋର୍ଦ୍ଧା ବାଣପୁରର ଶାଳିଆ ନଦୀରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ୩ ଦିନ ପରେ ଉଦ୍ଧାର କରାଯାଇଛି ।