• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବିବାହ, ପର୍ବପର୍ବାଣୀ କିମ୍ବା ଦୀପାବଳି ଆସିଲେ ସେମାନଙ୍କ ମୁହଁରେ ହସ ଫୁଟେ । ଲୋକେ ଖୁସିରେ ବାଣ ଫୁଟାଇଲେ ସେମାନଙ୍କ ପରିବାର ଚଳେ । ହେଲେ କରୋନା ଆସିବା ପରଠୁ ଉତ୍ସବ ଉପରେ ରୋକ୍ । ଆଉ ପର୍ବ-ପର୍ବାଣୀରେ କଟକଣା ପରେ ସେମାନଙ୍କ ବ୍ୟବସାୟ ବି ଠପ୍ । ରାଜ୍ୟରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ବାଣ ବିକ୍ରି ଓ ଫୁଟାଇବାକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି ରାଜ୍ୟ ସରକାର ।

ଏନେଇ SRCଙ୍କ ପକ୍ଷରୁ ଗାଇଡାଲାଇନ୍ ଜାରି ପରେ ଏମିତି ହାତ ବାନ୍ଧି ବସିଛନ୍ତି ହଜାର ହଜାର ବାଣ କାରିଗର ଓ ବ୍ୟବସାୟୀ । ଭୁବନେଶ୍ୱର ପାତ୍ରପଡ଼ା ଭଗବାନପୁର ଗାଁର କବିରାଜ ଲେଙ୍କା ଜଣେ ପୁରୁଣା ବାଣ କାରିଗର । ଦୀପାବଳି ବେଳେ ତାଙ୍କ ହାତକୁ ତର ନଥାଏ । ହେଲେ ଦୁଇ ବର୍ଷ ଧରି ଆଉ ସେ ସ୍ଥିତି ନାହିଁ । ବାଣ ତିଆରି ବନ୍ଦ କାରଣରୁ କାରଖାନାରେ ତାଲା ଝୁଲୁଛି ।

କବିରାଜ କହିଛନ୍ତି ପୂର୍ବ ପୁୁରୁଷରୁ ଏହି କାମ କରି ଆସୁଥିବାରୁ ରୋଜଗାରର ଆଉ କିଛି ବିକଳ୍ପ ନାହିଁ । ଏପଟେ ୨ ବର୍ଷ ବିନା ରୋଜଗାରରେ ଚଳିବା ବି କାଠିକର ପାଠ ହେଲାଣି । ଆଗକୁ ଲାଇସେନ୍ସ ସରେଣ୍ଡର କରି, ବାଣ କାରଖାନା ଜମି ବିକି ଅନ୍ୟ କିଛି ଧନ୍ଦା କରିବାକୁ ଯୋଜନା କରିଛନ୍ତି କବିରାଜ । ଏଭଳି ସ୍ଥିତି କେବଳ କବିରାଜଙ୍କର ନୁହେଁ, ବରଂ ରାଜ୍ୟବ୍ୟାପୀ ବାଣ କାରିଗର ରୋଜଗାର ଅଭାବରୁ ଏଭଳି ଅନୁରୂପ ଅବସ୍ଥା ଦେଇ ଗତି କରୁଛନ୍ତି ।

ଏପଟେ ଓଡ଼ିଶାରେ ବାଣ ବିକ୍ରି ଉପରେ କଟକଣା ପରେ ଏହାର ପ୍ରଭାବ ପଡ଼ିଛି ତାମିଲାନାଡୁର ବାଣ କାରିଗର ଓ ବ୍ୟବସାୟୀଙ୍କ ଉପରେ । ସେଥାପାଇଁ ରାଜ୍ୟରେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ଓଡ଼ିଶା ସମେତ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍‌ଙ୍କ ଚିଠି ପରେ ରାଜସ୍ଥାନ ସରକାର ବାଣ ବିକ୍ରି କଟକଣାକୁ କୋହଳ କରିଛନ୍ତି । ତେଣୁ ଓଡ଼ିଶାରେ ବି କଟକଣା କୋହଳ ହେବା ନେଇ ଆଶା ବାନ୍ଧିଛନ୍ତି ରାଜ୍ୟର ବାଣ ବ୍ୟବସାୟୀ ।

ଆମ ରାଜ୍ୟରେ ପ୍ରାୟ ୩୦ରୁ ୩୫ ହଜାର ପରିବାର ବାଣ ବ୍ୟବସାୟ ଉପରେ ନିର୍ଭର କରି ଚଳନ୍ତି । ପ୍ରତିବର୍ଷ ଲାଇସେନ୍ସ ରିନ୍ୟୁ ସହ ୧୬% ଟିକସ ବି ଗଣନ୍ତି । କରୋନା ସ୍ଥିତିରେ ଉନ୍ନତି ଆସିଥିଲେ ବି, ସରକାର ବାଣ ଶିଳ୍ପ ଉପରେ କାହିଁକି କଠୋର ହେଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ବ୍ୟବସାୟୀ । ଏପଟେ ପରିବେଶ ପ୍ରଦୂଷଣ ଓ ସଂକ୍ରମଣ ହ୍ରାସ ଲାଗି ବାଣ ଉପରେ କଟକଣା ସପକ୍ଷରେ ମତ ଦେଇଛନ୍ତି ପରିବେଶବିତ ।

ଗୋଟେପଟେ ହଜାର ହଜାର ପରିବାରର ପେଟପଟଣାର କଥା, ଅନ୍ୟପଟେ ପ୍ରଦୂଷଣ ଓ ସଂକ୍ରମଣ ବ୍ୟାପିବାର ଚିନ୍ତା । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହିଁ ନିର୍ଭର କରୁଛି ବାଣ କାରିଗର ଓ ବ୍ୟବସାୟୀଙ୍କ ଭବିଷ୍ୟତ ।