• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନବରଙ୍ଗପୁର(ନବଘନ ବିଷୋୟୀ ) : ନଦୀ ଉପରେ ବାଉଁଶ ପୋଲ ତିଆରି କଲେ ନାଉରିଆ ବାପପୁଅ । ଲୋକଙ୍କ ବାହାବା ଲୋଡ଼ା ନାହିଁ କି ପ୍ରଶାସନର ସାହାଯ୍ୟ ଆବଶ୍ୟକତା ନାହିଁ । ଦିନେ ଯେଉଁ ନଦୀରେ ବୃଦ୍ଧ ବାପା ଓ ପୁଅ ଦିନେ ଦେଶୀ ଡଙ୍ଗାର ନାଉରିଆ ଥିଲେ, ଆଜି ସେମାନେ ସେହି ନଦୀରେ ଉପରେ ନିଜସ୍ୱ ଉଦ୍ୟମରେ ଉଭୟେ ପୋଲ ତିଆରି କରିଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା ଧାର କରଜ କରି ବାଉଁଶ ପୋଲ ନିର୍ମାଣ କରି ଲୋକଙ୍କୁ ସୁବିଧା ଯୋଗାଇ ଦେଇଛନ୍ତି l ବାପା ଓ ପୁଅଙ୍କ ଏହି କାମ ପାଇଁ ସେମାନେ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା ସାଉଁଟିଥିବା ବେଳେ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି l  ଅନ୍ୟପଟେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ନିରବଦ୍ରଷ୍ଟା ଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି l ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡା ବ୍ଲକର କଣ୍ଟାସାରୁଗୁଡା ଗ୍ରାମରୁ ଆସିଛି  ପ୍ରାରଣାଦାୟୀ କାହାଣୀ ।

ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡା ବ୍ଲକ "କୋକଡି-ସେମଳା " ପଞ୍ଚାୟତ ଅନ୍ତର୍ଗତ କଣ୍ଟାସାରୁଗୁଡା ଗ୍ରାମ l ଗାଁ ପାଖ ଦେଇ କୁଳୁ କୁଳୁ ହୋଇ ବହିଯାଉଛି ଇନ୍ଦ୍ରାବତୀ ନଦୀ । ଆଉ ଏହି ନଦୀ ବିଛିନ୍ନ କରୁଛି ନବରଙ୍ଗପୁର - କୋରାପୁଟ ଜିଲ୍ଲା ଓ ଛତିଶଗଡ଼ ରାଜ୍ୟକୁ l ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ନିର୍ମାଣ ହୋଇପାରୁନି ସ୍ଥାୟୀ ପୋଲ l ବର୍ଷା ଦିନରେ ନଦୀରେ ପାଣି ଆସିଲେ ଦେଶୀ ଡଙ୍ଗା ଓ ପାଣି କମିଲେ ନିର୍ମାଣ ହେଉଛି ବାଉଁଶ ପୋଲ l ନଦୀରେ ପାଣି ଆସିଲେ ଆପେ ଆପେ ନଦୀରେ ଲୀହ ହୋଇଯାଏ ପୋଲ l ହେଲେ ଏହି ପୋଲ ଉପରେ ନିର୍ଭର କରୁଛନ୍ତି ଆଖ ପାଖ ଅଞ୍ଚଳର ପ୍ରାୟ ୫୦ ଖଣ୍ଡ ଗ୍ରାମବାସୀ l ନଦୀର ଆରପାର୍ଶ୍ବରେ ରହିଛି କୋରାପୁଟ ଜିଲ୍ଲାର କୋଟପାଡ ସହର ଓ ଛତିଶଗଡ ରାଜ୍ୟର ବାଣିଜ୍ୟ ପେଣ୍ଠସ୍ଥଳୀ ଜଗଦଳପୁର l କୋଷାଗୁମୁଡା ବ୍ଲକର ପ୍ରାୟ ୫୦ ରୁ ଉର୍ଦ୍ଧ ଖଣ୍ଡ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ , ଜୀବିକା ପାଇଁ ଏହି ନଦୀ ଦେଇ କୋଟପାଡ ଓ ଛତିଶଗଡର ଜଗଦଲପୁର ସହର ଉପରେ ନିର୍ଭର କରୁଛନ୍ତି। ତେବେ ନଦୀ ପାର ହେବା ପାଇଁ ଜୀବନକୁ ବାଜି ଲଗାଇବାକୁ ପଡୁଛି। ପ୍ରତି ବର୍ଷ ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ସରକାର ଏହାକୁ ଧ୍ୟାନ ଦେଉନଥିବା ଅଭିଯୋଗ ଆସିଛି l

କଣ୍ଟାସାରୁଗୁଡାର ବାପା ଜୟଦେବ ଭତରା ଓ ପୁଅ ବନମାଳୀ ଭତରା । ସେହି ନଦୀରେ ନାଉରିଆ ଭାବରେ କାମ କରି ପରିବାର ଚଳାଉଥିଲେ l ଅକାତ କାତ ପାଣିରେ ଆହୁଲା ମାରି ଦେଶୀ ଡଙ୍ଗାରେ ଯାତ୍ରୀଙ୍କୁ ନଦୀ ପାର କରାଉଥିଲେ । ହେଲେ ଡଙ୍ଗାରେ ଯିବାଆସିବା ସମୟରେ ପାଦେ ପାଦେ ଅଘଟଣର ଭୟ ଥିବା ଅନୁଭବ କରିପାରୁଥିଲେ ସେମାନେ l ତଥାପି ବି ସଂଯମତାର ସହ ଲୋକଙ୍କୁ ସୁରକ୍ଷିତ ଭାବେ ନଦୀ ପାର କରୁଥିଲେ । ଲୋକଙ୍କ କଷ୍ଟ ସେମାନେ ହୃଦବୋଧ କରିପାରିଥିଲେ ଉଭୟ ବାପ ପୁଅ l ତେଣୁ ବର୍ଷା ମାସ ଗଲା ପରେ ଉଭୟେ ମିଶି ଧାର କରଜ କରି ତିଆରି କରିଛନ୍ତି ଗୋଟିଏ ବାଉଁଶ ପୋଲ l ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଏହି ପୋଲ ନିର୍ମାଣ କରିଥିବା ବେଳେ ସ୍ଥାନୀୟ ଲୋକଙ୍କୁ କାମ ସହ ରୋଜଗାର ଦେଇଥିଲେ l

ମାତ୍ର ୧୫ ଦିନ ମଧ୍ୟରେ ଏହି ପୋଲ ତିଆରି କରିଛନ୍ତି ବାପପୁଅ l ପୋଲ ନିର୍ମାଣ ସରିଲା ପରେ ଗତ ରବିବାର ଦିନ ଏହାକୁ ଉଦଘାଟନ କରିବାକୁ ସ୍ଥାନୀୟ ସରପଞ୍ଚ, ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ଡକାଯାଇଥିଲେ ମଧ୍ୟ କେହି ଆସିନଥିବା ପ୍ରକାଶ କରିଛନ୍ତି ପୁଅ ବନମାଳୀ l ଫଳରେ ସ୍ଥାନୀୟ ଲୋକେ ହିଁ ଏହି ବାଉଁଶ ପୋଲର ଉଦଘାଟନ କରିଥିଲେ l ବର୍ତ୍ତମାନ ପୋଲ ଦେଇ ଦୈନିକ ଶହ ଶହ ଦୁଇ ଚକିଆ ଗାଡି, ସାଇକଲଯାତ୍ରୀ ଅକ୍ଳେଶରେ ନଦୀ ପାର ହୋଇପାରୁଛନ୍ତି । ଆଉ ମନଖୁସିରେ ଥିବା ନିଜ ଇଚ୍ଛାରେ କିଛି କିଛି ଟଙ୍କା ମଧ୍ୟ ଦେଉଛନ୍ତି ।

ପ୍ରଶାସନ ତତ୍ପରତା ଦେଖାଇଲେ ସେଠାରେ ସ୍ଥାୟୀ ପୋଲ ନିର୍ମାଣ ହୋଇପାରିବ ଓ ଲୋକେ ଉପକୃତ ହୋଇପାରିବେ ବୋଲି ଦାବି କରିଛନ୍ତି ଅଞ୍ଚଳବାସୀ l କୋଷାଗୁମୁଡା ବ୍ଲକରେ ଇନ୍ଦ୍ରାବତୀ ଓ ଭାଷ୍କେଲ ନଦୀ ଉପରେ ଆବଶ୍ୟକ ସଂଖ୍ୟକ ଉଚ୍ଚ ପୋଲ ନିର୍ମାଣ ହେଲେ ଯାତ୍ରୀଙ୍କ ଯାତ୍ରା ସୁଗମ ହୋଇପାରିବ । ବନ୍ୟା ଦାଉରୁ ରକ୍ଷା ପାଇପାରିବେ ଏବଂ ଅସୁରକ୍ଷିତ ଡଙ୍ଗା ଯାତ୍ରାରୁ ତ୍ରାହି ମିଳିବ ବୋଲି ଦାବି କରିଛନ୍ତି ଅଞ୍ଚଳ ବାସୀ l ସମସ୍ତ ନଦୀ ଘାଟରେ ଉଚ୍ଚା ପୋଲ ନିର୍ମାଣ କରାଗଲେ କୋଷାଗୁମୁଡା ବ୍ଲକର ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରି ବୋଲି କହିଛନ୍ତି ଅଞ୍ଚଳବାସୀ l ଅନ୍ୟପଟେ ଏହାକୁ ନେଇ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ବିଧାୟକ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି l