• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିର ଉଦ୍‌ବେଗ । କେଉଁଠି ଧାନ ରଖିବା ପାଇଁ ଜାଗା ନାହିଁ, କେଉଁଠି ପିଇବା ପାଣି ନାହିଁ, ତ ଆଉ କେଉଁଠି ନାହାନ୍ତି ପୂର୍ଣ୍ଣକାଳୀନ ବା ନିୟମିତ ସଂପାଦକ । ଘୋର ଅବ୍ୟବସ୍ଥା ଭିତରେ ଆରମ୍ଭ ହୋଇଛି ଧାନ ସଂଗ୍ରହ । ପେଡି ପ୍ରକ୍ୟୋରମେଣ୍ଟ ବା ଧାନ କିଣା ସଂପର୍କିତ ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ ଲେଖାଯାଇଛି, ରାଜ୍ୟରେ ୨ ହଜାର ୫୮୧ ପ୍ରାଥମିକ କୃଷି ସମବାୟ ସମିତି ବା ପ୍ୟାକ୍ସ ୩ ହଜାର ୩୬୫ ଧାନ ସଂଗ୍ରହ କେନ୍ଦ୍ର ବା ପିପିସି ଜରିଆରେ ଧାନ କିଣୁଛନ୍ତି ।

ସେଥିମଧ୍ୟରୁ ୨ ହଜାର ୪୦୪କୁ ଛାଡ଼ି ବାକି ପିପିସିର ନିଜସ୍ୱ ଜାଗା ନାହିଁ । କିଏ RMC ମାର୍କେଟ୍ ୟାର୍ଡ ବ୍ୟବହାର କରୁଛନ୍ତି, ତ ଆଉ କିଏ ସରକାରୀ ଓ ଘରୋଇ ଜାଗା । ୪୦୯ଟି ପ୍ୟାକ୍ସର ନିୟମିତ ସଂପାଦକ ନାହାନ୍ତି । ଶତାଧିକ ପିପିସିରେ ଭଲ ଇଣ୍ଟରନେଟ୍ କନେକ୍ସନ ନାହିଁ, ଲୋକଙ୍କ ବସିବା ପାଇଁ ସ୍ଥାନ ନାହିଁ, ପାନୀୟ ଜଳ ବ୍ୟବସ୍ଥା ବି ନାହିଁ । ଏଥିସହ ଯେଉଁ ଧାନ କିଣା କେନ୍ଦ୍ରରେ ଗୋଦାମ ଘର ନାହିଁ, ସେଗୁଡ଼ିକୁ ଖୋଲାଯିବା ଉଚିତ ନଥିଲା ବୋଲି କହିଛି କମିଟି । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ।

୨-୩ ଦିନ ତଳୁ ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ଧାନ ସଂଗ୍ରହ ପ୍ରକ୍ରିୟା । ହେଲେ ଆରମ୍ଭରୁ ହିଁ ଦେଖାଦେଲାଣି ଚାଷୀ ଅସନ୍ତୋଷ । ସବୁ ମଣ୍ଡି ଖୋଲିନଥିବାରୁ କେଉଁଠି ଚାଷୀ ପ୍ରତିବାଦ ଆରମ୍ଭ କରିଛନ୍ତି, ତ ଆଉ କେଉଁଠି ଆନ୍ଦୋଳନର ଚେତାବନୀ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଭେଜିଗୁଡ଼ା ଓ ଅରେବେଡ଼ାରେ ଏବର୍ଷ ମଣ୍ଡି ବ୍ୟବସ୍ଥା ହୋଇନଥିବାରୁ ଚାଷୀମାନେ ହୋହଲ୍ଲା କରିଛନ୍ତି । ସବୁ ପଞ୍ଚାୟତରେ ଧାନମଣ୍ଡି ଆରମ୍ଭ କରିବାକୁ ଦାବି କରିଛନ୍ତି ଚାଷୀ । ବରଗଡ଼ରେ ବିନା କଟ୍‌ନୀ ଛଟ୍‌ନୀରେ ଧାନ କିଣା ନଗଲେ ଚାଷୀମାନେ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି । ସେପଟେ ସମ୍ବଲପୁରରେ ଟୋକନ ସମସ୍ୟାକୁ ନେଇ ଚାଷୀ ଡିଆର୍‌ସିଏସ୍‌ଙ୍କୁ ତାଙ୍କ ଅଫିସ୍ ଭିତରେ ଘେରାଉ କରିଥିଲେ । ତେବେ ୨୦୨୧-୨୨ ଖରିଫରେ ରାଜ୍ୟର ୧୫ ଲକ୍ଷ ୭୪ ହଜାର ୩୧୭ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଛନ୍ତି ।