• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଆଳୁ ଚାଷ ବଢାଇଲା ଚାଷୀଙ୍କ ଚିନ୍ତା

  • ରୋଗ ପୋକରେ ଆକ୍ରାନ୍ତ ଆଳୁ ଚାଷ

  • ଉଦ୍ୟାନ ବିଭାଗ ପକ୍ଷରୁ ଦିଆଯାଇଥିଲା ବିହନ

କନ୍ଧମାଳ(ତ୍ରିନାଥ ସାହୁ): ଆଳୁର ଅଭାବୀ ବିକ୍ରି ରୋକିବାକୁ ସରକାର କିଛି ମାସ ତଳେ ନିଷ୍ପତ୍ତି ନେଇଥିଲେ। ବର୍ଷା ଦିନିଆ ଆଳୁ ଚାଷ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ। ଏବଂ ଓଡ଼ିଶାର ଶୀତଳ ଅଞ୍ଚଳ ଭାବେ ପରିଚିତ କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାରେ ବର୍ଷା ଦିନିଆ ଆଳୁ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ରିହାତି ଦରରେ ଉନ୍ନତ ମାନର ଆଳୁ ବିହନ ଯୋଗାଣ କରିଥିଲେ । ହେଲେ ଆଳୁ ବିହନ ଗୁଡ଼ିକ ହୃଷ୍ଟପୃଷ୍ଟ ହେବା ବଦଳରେ ନଷ୍ଟ ହେଇଯାଉଥିବା କହିଛନ୍ତି ଚାଷୀ। ଫଳରେ ଆଗାମୀ ଦିନରେ କିଭଳି ଚଳିବେ ତାକୁ ନେଇ ଚିନ୍ତାରେ ଏବେ ଚାଷୀ।

ଜମିରେ ଧାଡି ଧାଡି ହୋଇ ଲାଗିଛି ଆଳୁ ଗଛ। ହେଲେ ଗଛଗୁଡିକ ଛନଛନିଆ ବଦଳରେ କେଉଁଠି ପତ୍ର ପୋଡି ଯାଇଛି, କେଉଁଠି ଗଛ ମୁହଁ ମାଡି ପଡିଛି ତ ଆଉ କେଉଁଠି ମାଟି ତଳେ ବିହନ ଗୁଡ଼ିକ ଗଣ୍ଠି ଧରିବା ବଦଳରେ ନଷ୍ଟ ହୋଇଯାଇଛି। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରୁ କିଛି ଦୂରରେ ଥିବା ରୁଜାଙ୍ଗୀ, ପିଟବାରୀ,ବନ୍ଧସାହି ପ୍ରଭୃତି ଗାଁରେ ଦେଖିବାକୁ ମିଳିଛି ବର୍ଷାଦିନିଆ ଆଳୁ ଚାଷର ଏଭଳି କିଛି ଦୃଶ୍ୟ। ଚାଷୀ ମାନେ ପ୍ରାୟ ୩ ମାସ ତଳେ ଉଦ୍ୟାନ ବିଭାଗ ତରଫରୁ ଦିଆଯାଇଥିବା ଆଳୁ ବିହନ ରିହାତି ମୂଲ୍ୟରେ କିଣି ଲଗାଇଥିଲେ । ହେଲେ ଆଳୁ ଗଛର ଏଭଳି ଅବସ୍ଥା ଏବେ ଚିନ୍ତା ବଢାଇଛି।

ଏନେଇ କନ୍ଧମାଳ ଜିଲ୍ଲା ଉଦ୍ୟାନ ବିଭାଗ ଉପ-ନିର୍ଦେଶକ କହିଛନ୍ତି, ଜିଲ୍ଲାରେ ବର୍ଷା ଦିନିଆ ଆଳୁ ଚାଷ ଯୋଜନା ପାଇଁ ସରକାର ନିଷ୍ପତି ନେଇଥିଲେ । ଯେଉଁଥିରେ କନ୍ଧମାଳ ଜିଲ୍ଲାର ୨୫୦ ହେକ୍ଟର ଜମିରେ ୧୭୪୪ ଜଣ ଚାଷୀଙ୍କୁ ୩୭୫୦ କୁଇଣ୍ଟାଲ ଆଳୁ ବିହନ ଦିଆଯାଇଥିଲା। ଏହାପରେ ଚାଷୀଙ୍କୁ ସବସିଡି ଅର୍ଥରାଶି ବ୍ୟାଙ୍କ ଜମା ଖାତାକୁ ପଠାଯାଇଥାନ୍ତା । ତେବେ ପାଣିପାଗ ଅନୁକୂଳ ହୋଇନଥିବାରୁ ଆଳୁ ଚାଷ ସାମାନ୍ୟ ପ୍ରଭାବିତ ହୋଇଥିବାବେଳେ କ୍ଷତିଭରଣା ପାଇଁ ସରକାର ନିଷ୍ପତ୍ତି ନେବେ।