• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pabitra Mohan Kar

କରୋନାର ଆତଙ୍କ ମଧ୍ୟରେ ଗତବର୍ଷ ସେପ୍ଟେମ୍ବର ମାସରେ ପାର୍ଲାମେଣ୍ଟରେ ଗୃହୀତ ତିନୋଟି ବିବାଦୀୟ କୃଷି ଆଇନକୁ ବିରୋଧ କରି ରାଜଧାନୀ ଦିଲ୍ଲୀ ସୀମାନ୍ତରେ ଚାଲିଥିବା କୃଷକ ଆନ୍ଦୋଳନକୁ ଚଳିତ ବର୍ଷ ନଭେମ୍ବର ୨୬ ତାରିଖରେ ବର୍ଷ ପୂରିଗଲା। ଠିକ ସପ୍ତାହେ ପୂର୍ବରୁ ୧୯ ତାରିଖ ନାନକ ଜୟନ୍ତୀ ପାଳନ ଅବସରରେ, ପ୍ରଧାନମନ୍ତ୍ରୀ ଅଚାନକ ଏହି ଆଇନ ତିନୋଟିକୁ ରଦ୍ଦ କରିବେ ବୋଲି ଘୋଷଣା କଲେ । ପାର୍ଲାମେଣ୍ଟର ଚଳିତ ଶୀତ ଅଧିବେଶନର ପ୍ରଥମ ଦିନରେ ହିଁ ଏହି ବିବାଦୀୟ ଆଇନତ୍ରୟ ପ୍ରତ୍ୟାହୃତ ହୋଇଗଲା ।

କୃଷି ବିଲ୍‌ଟି ଆଇନରେ ପରିଣତ ହେଲାବେଳେ ପାର୍ଲାମେଣ୍ଟରେ ଯେପରି ପର୍ଯ୍ୟାପ୍ତ ଆଲୋଚନା ହୋଇ ନଥିଲା, ଏହାର ପ୍ରତ୍ୟାହାର ପ୍ରକ୍ରିୟା ମଧ୍ୟ ବିନା ଆଲୋଚନାରେ ସଂପନ୍ନ ହେଲା । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଅବଶ୍ୟ କେବଳ ଔପଚାରିକତା ହିଁ ବାକି ଥିଲା । ସରକାରୀ ଦଳର ସଂଖ୍ୟାଗରିଷ୍ଠତା ଗଣତନ୍ତ୍ରରେ ସୁସ୍ଥ ଆଲୋଚନାଭିତ୍ତିକ ସଂସଦୀୟ ପରମ୍ପରାର କଣ୍ଠରୋଧ କଲାପରି ମନେହୁଏ । ସଂସଦରେ ସବିସ୍ତୃତ ଆଲୋଚନା ନ ହୋଇ ଆଇନ ପ୍ରଣୟନ ହେବା ବିପଦଜନକ ବୋଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ମତ ଦେଲେ ।

ଆଲୋଚିତ କୃଷି ଆଇନ ପରିପ୍ରେକ୍ଷୀରେ ସାଧାରଣ ଜନତାଙ୍କୁ ଏକ ଅଦ୍ଭୁତ ପରିସ୍ଥିତିର ସାମ୍ନା କରିବାକୁ ପଡିଲା। ତଥାକଥିତ ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧି ସମେତ ଯେଉଁମାନେ ବର୍ଷେ ହେଲା ଏହି ତିନୋଟି କୃଷି ଆଇନକୁ ଭାରତର କୃଷି ଓ କୃଷକଙ୍କ ହିତରେ ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ ବୋଲି ଚିତ୍କାର କରି ସମର୍ଥନ କରୁଥିଲେ ଓ ଏହାକୁ ବିରୋଧ କରୁଥିବାରୁ ଆନ୍ଦୋଳନକାରୀ କୃଷକମାନଙ୍କୁ ବିଦ୍ରୂପ କରୁଥିଲେ, ସେଇମାନେ ଏବେ ସ୍ଵର ବଦଳେଇ କୃଷି ଆଇନ ପ୍ରତ୍ୟାହାରକୁ ବି ରାଷ୍ଟ୍ରହିତରେ ପ୍ରଧାନମନ୍ତ୍ରୀଙ୍କର ଐତିହାସିକ ପଦକ୍ଷେପ ବୋଲି ଗଳା ଫଟେଇ ଯୁକ୍ତି ବାଢିଲେ ଓ ତତ୍କାଳ ଆନ୍ଦୋଳନ ପ୍ରତ୍ୟାହୃତ ନକରୁଥିବାରୁ କୃଷକମାନଙ୍କୁ ବିଦ୍ରୂପ ମଧ୍ୟ କଲେ । ମନେହୁଏ କ୍ଷମତାସୀନ ଓ ସେମାନଙ୍କ ସମର୍ଥକଙ୍କଠାରୁ କୃଷକମାନଙ୍କ ଭାଗ୍ୟରେ କେବଳ ବିଦ୍ରୂପ, କଟୁକ୍ତି, ଲାଞ୍ଛନା ଓ ନିନ୍ଦା ହିଁ ଲେଖାଅଛି ।

ଚର୍ଚ୍ଚିତ କୃଷି ଆଇନତ୍ରୟ ପ୍ରଥମେ ୨୦୨୦ ମସିହା ଜୁନ ମାସ ପାଞ୍ଚ ତାରିଖରେ ଅଧ୍ୟାଦେଶ ଆକାରରେ ଦେଶରେ ତତ୍କାଳ ଲାଗୁ ହୋଇଥିଲା, ଯାହା ସଂସଦର ଅନୁମୋଦନ ନିମନ୍ତେ କେନ୍ଦ୍ରୀୟ କୃଷିମନ୍ତ୍ରୀଙ୍କ ଦ୍ଵାରା ସେଇ ବର୍ଷ ସେପ୍ଟେମ୍ବର ମାସର ଶୀତକାଳୀନ ଅଧିବେଶନରେ ଆଗତ କରାଯାଇ ପର୍ଯ୍ୟାପ୍ତ ଆଲୋଚନା ବିନା ଆଇନରେ ପରିଣତ ହୋଇଥିଲା ।

ଏହି ଆଇନଗୁଡିକ ହେଲା (୧) କୃଷିଜାତ ଦ୍ରବ୍ୟର ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସହଜିବରଣ) ବିଲ-୨୦୨୦, ଯେଉଁଥିରେ ଚାଷୀଟିଏ ଦେଶର ଯେ କୌଣସି ଅଞ୍ଚଳରେ ଉତ୍ପାଦନ, ସଂଗ୍ରହ ଓ ଗଚ୍ଛିତ କରିପାରିବ, (୨) ବିକ୍ରି ମୂଲ୍ୟ ଆଶ୍ଵାସନା ଓ ଫାର୍ମ ସେବା ସଂକ୍ରାନ୍ତରେ କୃଷକ(ସଶକ୍ତିକରଣ ଓ ସୁରକ୍ଷା) ସହମତି ବିଲ, ଯେଉଁଥିରେ ଚାଷ ପୂର୍ବରୁ କ୍ରେତାଙ୍କ ସହ ମୂଲ୍ୟ ସଂକ୍ରାନ୍ତୀୟ ଚୁକ୍ତି ହୋଇପାରିବ ଓ (୩) ଅତ୍ୟାବଶ୍ୟକୀୟ ଖାଦ୍ୟଦ୍ରବ୍ୟ (ସଂଶୋଧନ) ବିଲ୍‌, ଯେଉଁଥିରେ ଆଳୁ, ପିଆଜ, ଡାଲି, ତୈଳବୀଜ ଓ ଖାଇବା ତେଲ ଆଦି ସାମଗ୍ରୀକୁ ଅତ୍ୟାବଶ୍ୟକ ତାଲିକାରୁ ହଟେଇବା ସହ ଗଚ୍ଛିତ ପରିମାଣର ସୀମା ମଧ୍ୟ ଉଠେଇ ଦିଆଗଲା ।

ପଞ୍ଜାବ, ହରିୟାନା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଛତିଶଗଡ ଆଦି ପ୍ରମୁଖ କୃଷିଭିତ୍ତିକ ରାଜ୍ୟମାନଙ୍କରେ ଏହି ଆଇନ ଗୁଡିକୁ ନେଇ କୃଷକ ଅସନ୍ତୋଷ ସୃଷ୍ଟି ହେଲା । ଏହାଦ୍ୱାରା ସେମାନଙ୍କର ଓ ସେମାନଙ୍କ ଚାଷର ଭବିଷ୍ୟତ ସଂକଟାପନ୍ନ ହୋଇଯିବାର ଭୟ ସୃଷ୍ଟି ହେଲା। କର୍ପୋରେଟ ବ୍ୟବସାୟୀମାନେ ସେମାନଙ୍କ ବେଉସାକୁ କବ୍ଜା କରିବା ସହ ପୂର୍ବେ ଗାଁ ଗହଳିରେ ପ୍ରଚଳିତ ‘ଧାନ କାଢ଼ିଆ’ ପରି ଶସ୍ତାରେ ଉତ୍ପାଦଗୁଡିକର ମୂଲ୍ୟ ନିର୍ଦ୍ଧାରଣ କରିଦେବେ। ଅମଳ ସମୟରେ ଓ ପରେ ଦ୍ରବ୍ୟଗୁଡିକର ବଜାର ଭାଉ ବଢିଲେ ବି ଚାଷୀ ବିଚରା କୌଣସି ଲାଭ ପାଇବ ନାହିଁ ।

ଗୁରୁତ୍ଵପୂର୍ଣ୍ଣ କଥାଟି ହେଲା ଏହି ଆଇନ (ବିଶେଷତଃ ଚୁକ୍ତିଭିତ୍ତିକ ଫାର୍ମିଂ)ର କାର୍ଯ୍ୟକାରିତାରେ ଖିଲାପୀ, ଅସଙ୍ଗତି କିମ୍ଵା ଦୁର୍ନୀତି ହେଲେ ମାମଲାଗୁଡିକ କୋର୍ଟ ପରିସରକୁ ଅଣାଯାଇପାରିବ ନାହିଁ । ଅଧିକନ୍ତୁ ସରକାରୀ ସ୍ତରରେ ସେସବୁର ଚୂଡାନ୍ତ ବିଚାର ଓ ଫଇସଲା ହେବ । ସରକାରୀ କଳ ନିରପେକ୍ଷ ହୋଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ନ୍ୟାୟ ପ୍ରଦାନ କରିବା ସନ୍ଦେହଜନକ ମନେହୁଏ ।

ଏହିସବୁ ଆଶଙ୍କା ଓ ସମ୍ଭାବିତ ସଂକଟ ଦୃଷ୍ଟିରୁ ଚାଷୀମାନେ ଅସୁରକ୍ଷିତ ମନେକଲେ। ନୂଆ କାନୁନରେ 'ନ୍ୟୁନତନ ସହାୟକ ମୂଲ୍ୟ' ବୃଦ୍ଧି କରାଗଲା ନାହିଁ, ପରନ୍ତୁ ମଣ୍ଡି ବ୍ୟବସ୍ଥା ଧୀରେଧୀରେ ଅପସରି ଯିବ ବୋଲି ଆଲୋଚନା ହେଲା। କର୍ପୋରେଟ ସଂସ୍ଥାମାନେ କୃଷିକ୍ଷେତ୍ରକୁ କବଜା କରିନେବାର ଭୟ ସୃଷ୍ଟି ହେଲା । ଏଠାରେ ସ୍ମରଣଯୋଗ୍ୟ ଯେ, କରୋନା ଜନିତ ଲକଡାଉନ ଓ ସଟଡାଉନ ଯୋଗୁ ସବୁ ଶିଳ୍ପରେ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେବଳ କୃଷି ଉତ୍ପାଦନ ହିଁ ସକାରାତ୍ମକ ରହିଥିଲା ।

ଏହି ଆଇନ ଗୁଡିକର ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ସମଗ୍ର ଦେଶର ଚାଷୀକୁଳ ଅଣ୍ଟା ଭିଡ଼ିଲେ। ଦେଶର ପ୍ରମୁଖ କୃଷକ ସଂଗଠନଗୁଡିକ ଏକତ୍ର ହୋଇ ସେଇ ବର୍ଷ ନଭେମ୍ବର ପ୍ରଥମ ସପ୍ତାହରେ 'ସଂଯୁକ୍ତ କିଶାନ ମୋର୍ଚ୍ଚା' ଗଠନ କଲେ । ନିଜ ଦାବିକୁ ସରକାର ଓ ଦେଶବାସୀଙ୍କ ସମ୍ମୁଖରେ ପ୍ରଭାବୀ ଢଙ୍ଗରେ ଉପସ୍ଥାପିତ କରିବା ପାଇଁ ରାଜଧାନୀ ଦିଲ୍ଲୀ ଅଭିମୁଖେ ଅଗ୍ରସର ହେଲେ। ସେମାନଙ୍କୁ ଦିଲ୍ଲୀ ସୀମାନ୍ତରେ ରୋକାଗଲା । ସେଥିପାଇଁ ରାସ୍ତା ଖୋଳି ଦିଆଗଲା, ତାର ବାଡ଼ ଘେରାଗଲା ଓ ରାସ୍ତାରେ କଣ୍ଟା ପୋତାଗଲା ।

କୃଷକମାନେ ବହୁ ସଂଖ୍ୟାରେ ସିଙ୍ଘୁ, ଟିକ୍ରି ଓ ଘାଜିପୁର ସୀମାରେ ଧାରଣାରେ ବସିଲେ। ୪୦ ହଜାରରୁ ଅଧିକ କୃଷକଙ୍କ ନାଁରେ ମାମଲା ରୁଜୁ ହେଲା। ସେମାନଙ୍କ ଉପରେ ପାଣି ମାଡ, ଲାଠିମାଡ କରାଗଲା । ସେମାନଙ୍କୁ ଦେଶଦ୍ରୋହୀ, ଆତଙ୍କବାଦୀ , ଖଲିସ୍ତାନୀ ଓ ମୱାଲି କହି ଅପମାନିତ କରାଗଲା । ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କୁ ଆନ୍ଦୋଳନଜୀବୀ କହି ଉପହାସ କଲେ ।

ଆଶ୍ଚର୍ଯ୍ୟର କଥା,ଏସବୁ ପ୍ରତିକୂଳତା ସତ୍ତ୍ଵେ ସେମାନେ ଧୈର୍ଯ୍ୟ ନ ହରାଇ, ଗୋଟେ ଜିଦିଆ ସରକାର ପାଖରେ ଅସମ୍ଭବ ମନେ ହେଉଥିବା ବିବାଦୀୟ କୃଷି ଆଇନ ଗୁଡିକର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଲେ । ୨୦୨୧ ମସିହା ଜାନୁଆରୀ ମାସରେ ସୁପ୍ରିମକୋର୍ଟ ଏହି ଆଇନ କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କଲେ ଓ କୃଷକମାନଙ୍କ ଦାବି ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ନିଜଆଡୁ ଗୋଟେ ଚାରିଜଣିଆ କମିଟି ଗଠନ କରି ସରକାରଙ୍କ ଚିନ୍ତା ବଢେଇଦେଲେ ।

ସେଇ ଜାନୁଆରୀ ମାସରେ ହିଁ ଆନ୍ଦୋଳନ ସମାପ୍ତ କରିବାକୁ ସରକାର ଏହି ଆଇନ ଗୁଡିକୁ ଅଠର ମାସ ଯାଏ ସ୍ଥଗିତ ରଖିବା ପ୍ରସ୍ତାବ ଦେଲେ । ତଥାପି କୃଷକ ସଂଗଠନ ସହ ସରକାରଙ୍କର ୧୧ ପର୍ଯ୍ୟାୟର ଆଲୋଚନା ବିଫଳ ହେଲା । ଇତିମଧ୍ୟରେ ଶିରୋମଣି ଅକାଳୀ ଦଳ ଏନଡିଏ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛି ଓ ଜଣେ କେନ୍ଦ୍ରୀ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇ ସାରିଛନ୍ତି।

ବିଶ୍ଵରେ ଏହି ଅଦ୍ଭୁତପୂର୍ବ କୃଷକ ଆନ୍ଦୋଳନ ସମ୍ବନ୍ଧରେ ଚର୍ଚ୍ଚା ହେଲା । କେତେକ ଦେଶର ସଂସଦରେ ସେମାନଙ୍କ ସମର୍ଥନରେ ପ୍ରସ୍ତାବ ଗୃହୀତ ହେଲା । ଏହି ଆନ୍ଦୋଳନ ବିଶ୍ଵର ଦୀର୍ଘତମ କୃଷକ ଆନ୍ଦୋଳନ ବୋଲି ବିଶ୍ଵବ୍ୟାପୀ ଗଣମାଧ୍ୟମରେ ଆଲୋଚନା ହେଲା। ଗାନ୍ଧୀଙ୍କ ପ୍ରଣୀତ ସତ୍ୟାଗ୍ରହ ଏକବିଂଶ ଶତାବ୍ଦୀରେ ମଧ୍ୟ ସଫଳତାର ସହିତ କରାଯାଇପାରେ ବୋଲି କୃଷକମାନେ ପ୍ରମାଣ କଲେ। ସେମାନଙ୍କ ସଂକଳ୍ପ ଦିନକୁ ଦିନ ଦୃଢ ହେଲା। ଇତିମଧ୍ୟରେ କେତୋଟି ରାଜ୍ୟର ଉପନିର୍ବାଚନରେ କ୍ଷମତାସୀନ ବିଜେପିର ପତିଆରାରେ ହ୍ରାସ ଘଟିଲା।

ଆସନ୍ତା ବର୍ଷ ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଆଜି ରାଜ୍ୟର ବିଧାନସଭା ନିର୍ବାଚନ ହେଉଥିବାରୁ ବିଜେପି ଚିନ୍ତିତ ହୋଇଥାଇପାରେ। ପଶ୍ଚିମବଙ୍ଗ ନିର୍ବାଚନରେ ସମସ୍ତ ଶକ୍ତି ଖଟେଇ ମଧ୍ୟ ଆଖିଦୃଶିଆ ପ୍ରଦର୍ଶନ କରି ପାରିନାହିଁ । ହୁଏତ ଏହି ନିର୍ବାଚନ ଭୟ ଯୋଗୁ ପ୍ରଧାନମନ୍ତ୍ରୀ ଦୀର୍ଘ ନୀରବତା ପରେ ହଠାତ ନାନକ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା ପୂର୍ବକ କୃଷି କାନୁନ ପ୍ରତ୍ୟାହାର ସଂକ୍ରାନ୍ତରେ ଘୋଷଣା କରି ସମଗ୍ର ଦେଶକୁ ଚକିତ କରିଦେଲେ ।

କୃଷକମାନେ କିନ୍ତୁ ଭାବପ୍ରବଣତାରେ ଭାସି ନଯାଇ କୃଷି ଓ କୃଷକର ସ୍ୱାର୍ଥ ନିମନ୍ତେ ନ୍ୟୂନତମ ସହାୟକ ମୂଲ୍ୟ କାନୁନ ହେବା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି । ହଜାର ହଜାର ନିରୀହ ଚାଷୀଙ୍କ ଉପରୁ କେସ ପ୍ରତ୍ୟାହାର, ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଓ ସହାୟତା ପ୍ରଦାନ ସଂପର୍କରେ ଗ୍ରହଣଯୋଗ୍ୟ ସରକାରୀ ନିଷ୍ପତ୍ତି ନ ହେଲାଯାଏ, ତରବରିଆ ଭାବେ ଆନ୍ଦୋଳନ ପ୍ରତ୍ୟାହାର ଠିକ୍ ହେବ ନାହିଁ ବୋଲି ସେମାନେ ବିଚାରୁଛନ୍ତି ।

ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ଯଦି ପ୍ରକୃତରେ କୃଷକମାନଙ୍କ ପାଇଁ ଚିନ୍ତିତ, ତେବେ ତାହା ତାଙ୍କ ଆଚରଣ, ଉଚ୍ଚାରଣ ଓ ଆଭିମୁଖ୍ୟରେ ପ୍ରଦର୍ଶିତ ହେବା ଉଚିତ ।