• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜନ ସଚେତନତା ପାଇଁ ପୋଲିସର ପ୍ରୟାସ

  • ନଛୋଡ଼ବନ୍ଧା ଗ୍ରାମବାସୀ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି) : ହଜି ଯାଉଛି ମାନବିକତା। ଅନ୍ଧବିଶ୍ୱାସର ଅନ୍ଧଗଳିରେ ବାଟବଣା ହୋଇଯାଉଛି ମଣିଷ । ଗାଁ ଗଣ୍ଡାରେ ବର୍ତ୍ତମାନ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷତ୍ୱ ଭୁଲିଯାଉଛନ୍ତି ।  ଗୁଣିଗାରେଡ଼ି କରି ଲୋକଙ୍କୁ କ୍ଷତି ପହଞ୍ଚାଉଥିବା ଅଭିଯୋଗରେ ଟିଟିଲାଗଡ଼ର ନିମୁର୍ଲା ଗାଁରେ ବସିଥିଲା ଗରିଲା କୋର୍ଟ ।  ନିଷ୍ପତ୍ତି ପରେ ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ କରାଯାଇଛି ।  ଫଳରେ ବାସନ୍ଦ ହୋଇଥିବା ପରିବାର ଘର ଥାଇ ମଧ୍ୟ ବାହାରେ ବୁଲୁଛନ୍ତି । ସୁରକ୍ଷା ଦେବା ସହିତ ଥଇଥାନ କରିବାକୁ ପୀଡିତ ପରିବାର ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଛି ଜନ ସଚେତନତା କାର୍ଯକ୍ରମ ।  ହେଲେ ତାଙ୍କ ଯିଦରେ ଅଟଳ ଅଛନ୍ତି ଗ୍ରାମବାସୀ ।

ସିଦ୍ଧେକେଲା ଥାନା ଅନ୍ତର୍ଗତ ନିମୁର୍ଲା ଗାଁରେ ଦେଖିବାକୁ ମିଳିଛି ଅଭାବନୀନ ଘଟଣା । ଗାଁରେ ଗୋଟିଏ ପରିବାର ଲୋକେ ଗୁଣିଗାରେଡ଼ି କରି କିଛି ଗ୍ରାମବାସୀଙ୍କୁ ହତ୍ୟା କରିବା ସହିତ ଅନେକ ଲୋକଙ୍କୁ କ୍ଷତି ପହଞ୍ଚାଉଥିବା ଅଭିଯୋଗରେ ଏକ ସଭା କରାଯାଇଥିଲା । ଗାଁ ଲୋକଙ୍କ ନିଷ୍ପତ୍ତି ଅନୁସାରେ ପରିବାରକୁ ଗାଁରୁ ବହିଷ୍କାର କରିବାକୁ ସଭାରେ ନିଷ୍ପତ୍ତି ହେଲା । ଫଳରେ ପରିବାର ବର୍ଗ ପ୍ରଥମେ ଏନେଇ ସିନ୍ଦେକେଲା ଥାନାରେ ଅଭିଯୋଗ କରିଥିଲେ । ହେଲେ ଏବେ ସୁଦ୍ଧା ସମସ୍ୟାର ସମାଧାନ ହୋଇନଥିବାରୁ ଗଛ ମୂଳେ ଆଶ୍ରୟ ନେଉଛନ୍ତି ପରିବାର ବର୍ଗ ।

ଛୋଟ ଛୋଟ ଛୁଆ ଓ ବୃଦ୍ଧ ବୃଦ୍ଧାଙ୍କୁ ଖୋଲା ଆକାଶ ତଳେ ରହିବାକୁ ପଡୁଛି । ବର୍ଷା ଦିନ ହୋଇଥିବା ବେଳେ ବାହାରେ ରହିବାରେ ଅସୁବିଧା ହେଉଥିବାରୁ ପୀଡିତ ପରିବାର ଗତ କିଛି ଦିନ ପୂର୍ବରୁ ଟିଟିଲାଗଡ SDPO ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଥିଲେ । ହେଲେ ଘଟଣା ଘଟିବାର ୧୫ ଦିନ ହୋଇଯାଇଥିଲେ ମଧ୍ୟ ପୀଡିତ ପରିବାରଙ୍କୁ ନ୍ୟାୟ ମିଳିନି । ଗ୍ରାମବାସୀଙ୍କ ଗୋଟିଏ ଯିଦ ପରିବାରକୁ ଗାଁକୁ ପଶେଇ ଦେବେନାହିଁ ।

ଅନ୍ୟ ପଟେ ପୋଲିସ ଗାଁକୁ ଯାଇ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହିତ ଲୋକଙ୍କୁ ସଚେତନ କରାଇବାକୁ ଉଦ୍ୟମ କରୁଛି ।  ବାରମ୍ବାର ପ୍ରୟାସ କରିବା ସହ ଗ୍ରାମବାସୀଙ୍କୁ ସଚେତନ କରାଇ ହିଁ ସମସ୍ୟାର ସମାଧାନ କରାଯିବ ବୋଲି କହିଛି ପୋଲିସ୍ । ସେପଟେ ତନ୍ତ୍ରମନ୍ତ୍ର କରି ଲୋକଙ୍କର କ୍ଷତି କରିବା ସହି ଗୁଣ୍ଡାଗର୍ଦ୍ଦି କରୁଥିବାରୁ ସେମାନଙ୍କୁ ଗାଁକୁ ପଶେଇ ଦିଆଯିବ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି ଗ୍ରାମାବାସୀ । ଏପରିକି ସେହି ପରିବାର  ଗାଁକୁ ଆସିଲେ ଆମେ ଗାଁ ଛାଡି ପଳାଇବୁ ବୋଲି ଲୋକେ କହିଛନ୍ତି ।

ଗୁଣିଗାରେଡ଼ିକୁ ବିଜ୍ଞାନ କିମ୍ବା ଓ ଆଇନ ଅସ୍ଵୀକାର କରୁଥିବା ବେଳେ ଏହାକୁ ଗାଁ ଲୋକେ ବିଶ୍ୱାସ କରୁଥିବାରୁ ପୋଲିସକୁ ନାକେଦମ ହେବାକୁ ପଡୁଛି ଓ ଏହାର କଠୋର ପରିଣତି ଭୋଗ କରୁଛନ୍ତି ପୀଡିତ ପରିବାର ।