• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ନିଅଣ୍ଟିଆ ବର୍ଷା ଦାଉରେ ମାଟି ଫାଟି ଆଁ ।

  • ଚାଷୀର ଭାତହାଣ୍ଡି ଆଜି ଶୁଖିଲା ପଡ଼ିଛି ।

  • କେଉଁଠି ଧାନଗଛ ହଳଦିଆ ପଡ଼ିଗଲାଣି ତ ଆଉ କେଉଁଠି ଗୋରୁ ଚରିଲେଣି ।

ଭୁବନେଶ୍ୱର: ନିଅଣ୍ଟିଆ ବର୍ଷା ଦାଉରେ ମାଟି ଫାଟି ଆଁ । ଚାଷୀର ଭାତହାଣ୍ଡି ଆଜି ଶୁଖିଲା ପଡ଼ିଛି । କେଉଁଠି ଧାନଗଛ ହଳଦିଆ ପଡ଼ିଗଲାଣି ତ ଆଉ କେଉଁଠି ଗୋରୁ ଚରିଲେଣି ଧାନ କ୍ଷେତରେ । ଆସନ୍ନ ମରୁଡ଼ିର ଚିତ୍ର ବୟାନ କରୁଛି ବଲାଙ୍ଗିର ଜିଲ୍ଲାର ଅନେକ ଚାଷ ଜମି । ଯେଉଁଠି ଆଜି ଜୀବନ ଯାଇଛି ଜଣେ ଅନ୍ନଦାତାର । କୁହାଯାଉଛି ଫସଲହାନୀ ଯୋଗୁ ବିଷପିଇ ଆତ୍ମହତ୍ୟା କରିଦେଇଛନ୍ତି ଚାଷୀ । ତୁରେକେଲା ବ୍ଲକ କାଦୋବେରା ଗାଁର ୬୦ ବର୍ଷୀୟ ଚାଷୀ ରେଚକା ବନ୍‌ଛୋର ଗତବର୍ଷ କ୍ଷତି ସହିବା ପରେ ବି ଏଥର ଚାଷରୁ ଭଲ ଅମଳ ଆଶା ରଖିଥିଲେ । କିନ୍ତୁ ବର୍ଷା ନହେବାରୁ ଫସଲ ଉଜୁଡ଼ିଯିବା ପରେ ଗତକାଲି ବିଷପିଇ ଦେଇଥିଲେ ରେଚକା । ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି ।

ଏପଟେ ମେଘ ଆସୁଛି ସତ, କିନ୍ତୁ ବର୍ଷି ପାରୁନି ବୋଲି ଫଟାକ୍ଷେତ ଦେଖି ଚାଷୀର ଛାତି ଫାଟିଯାଉଛି । ସମ୍ବଲପୁର ଜିଲ୍ଲାର ଦୃଶ୍ୟ ବି ସମାନ । ଜିଲ୍ଲାର ଯୁଯୁମୁରା, ବାମରା, ରେଢ଼ାଖୋଲ, ନାକଟୀଦେଉଳରେ ଶହ ଶହ ହେକ୍ଟର ଜମିରେ ପାଣି ଅଭାବରୁ ଜମି ଫାଟି ଆଁ । ରୁଆ ବେଉଷଣ କାର୍ଯ୍ୟ ବିଳମ୍ବ ହୋଇଯାଇଥିବା ବେଳେ ଅଣଜଳସେଚିତ ଅଞ୍ଚଳରେ ବିକଳ୍ପ ପନ୍ଥା ନଥିବାରୁ ଉଜୁଡ଼ିବାକୁ ବସିଛି ଫସଲ । ସମ୍ବଲପୁର ଭଳି ଗଞ୍ଜାମ ଭଞ୍ଜନଗର ଅଞ୍ଚଳର ଚାଷୀଙ୍କୁ ଭୋଗିବାକୁ ପଡ଼ିଛି ସମାନ ଦଶା । ଯେଉଁ ଚାଷୀ ହାତରେ ଦି ପଇସା ଅଛି, ସିଏ ନିଜ ଖର୍ଚ୍ଚରେ ପାଇପ୍ ଲଗାଇ ଜଳସିଞ୍ଚନ କରୁଛନ୍ତି । ନଥିଲାବାଲା ମୁଣ୍ଡରେ ହାତ ଦେଇ ବସୁଛନ୍ତି ।

ଏଭଳି ସ୍ଥିତିରେ ସାରର କଳାବଜାରୀ ଚାଷୀଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି । ନବରଙ୍ଗପୁରର ଓ ଭଦ୍ରକ ବାସୁଦେବପୁରରୁ ଆସିଛି ଏଭଳି ଅଭିଯୋଗ । ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ ଗୋଟିଏ ବସ୍ତା ୟୁରିଆ ସାର ପାଇଁ ଲାଇନରେ ଲାଗିଛି ଆଧାରକାର୍ଡ ଓ ଜମିପଟ୍ଟା । ଜିଲ୍ଲାରେ ୪୫ ହଜାର ମେଟ୍ରିକ ଟନ୍ ୟୁରିଆର ଆବଶ୍ୟକ ଥିବାବେଳେ ଆସିଛି ମାତ୍ର ୨୫ ହଜାର ୩୫୮ ଟନ୍ । ସାରର ଏଭଳି ସଙ୍କଟ ସ୍ଥିତିରେ ବସ୍ତାଏ ୟୁରିଆ ନେବାକୁ ଚାଷୀ ଏଠି ବିକଳ । ତେଣେ ଭଦ୍ରକ ବାସୁଦେବପୁରରେ ଚଢ଼ା ଦାମ୍‌ରେ ସାର ବିକ୍ରି ହେଉଥିବାର ଫାଇଦା ନେଇ ଅସାଧୁ ସାର ବ୍ୟବସାୟୀ ନାମୀ ଦାମୀ ବ୍ରାଣ୍ଡ ନାଁରେ ନକଲି ସାର ବିକ୍ରିର ଜାଲ ବିଛାଇଛନ୍ତି । ଯାହାକୁ କ୍ଷେତରେ ପକାଇଲେ ପାଣି ଉପରେ ଭାସୁଛି ।

ପାଣିପାଗ ବିଭାଗର ତଥ୍ୟ କହୁଛି ଚଳିତ ବର୍ଷ ଓଡ଼ିଶାର ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଅଗଷ୍ଟ ଅପେକ୍ଷା ଚଳିତ ମାସରେ ଅଧିକ ବର୍ଷାର ସମ୍ଭାବନା ରହିଛି ।